ଭକ୍ତ ସୁଦାମା

 

 

 

 

 

 

 

 

 

 

 

ଭକ୍ତ ସୁଦାମା

ମୁକୁନ୍ଦ ଦାଶ

 

ପ୍ରଥମ ପରିଚ୍ଛେଦ

ଦ୍ୱାରକା ଯାତ୍ରା

 

ବର୍ଷା ଦିନ । ତିନି ଦିନ ତିନି ରାତି ହେଲା ଲଗାଣ ବର୍ଷା ଚାଲିଲାଣି—ତଥାପି ବର୍ଷାର ବିରାମ ନାହିଁ । ବେଳକୁ ବେଳ ପାଣି ପବନ ଅଧିକ ବେଗରେ ମାଡ଼ି ଆସୁଛି । ଫଳରେ କାହାରି କୁଆଡ଼େ ଯିବାର ଉପାୟ ନାହିଁ । ଯେ ଯାହା ଖଞ୍ଜାରେ ଯେଉଁଠି ବସିଛନ୍ତି ।

 

ଏ ବର୍ଷାରେ ସୁଦାମାର ଭାରି ଦୁଃଖ । ଭିଖାରି ଜୀବନ ତିନି ଦିନ ହେଲା ଘର ଭିତରେ ପଡ଼ି ରହିଛି । ଦାନା ନାହିଁ—ଯାହା ବା ମାଗି କରି ନିଜର କୃତ୍ୟ ଚଳାଇ ବଳକା ରଖିଥିଲା, ତାହା ଦିନକ ମଧ୍ୟରେ ଶେଷ ହୋଇଥାନ୍ତା, ତେବେ ବଡ଼ କଷ୍ଟରେ ସେଥିରେ ଦି’ଦିନ ଚଳାଇ ଦେଲା । ଏବେ ଦିନେ ହେଲା ଘରେ ଚୁଲି ଜଳି ନାହିଁ । ଖାଇବ ବା କୁଆଡ଼ୁ ? ସେଥିରେ ସୁଦାମାର ଦୁଃଖ ନାହିଁ, କି ଚିନ୍ତା ନାହିଁ । ସେ ନିଜର କର୍ମକୁ ଆଦରି ରହି ଯିବାକୁ ପ୍ରସ୍ତୁତ, କିନ୍ତୁ ସୁମତିର ଭାରି ଦୁଃଖ, ଭାରି କଷ୍ଟ । ଏଥିରେ ସୁଦାମାର ଦମ୍ଭ ଭାଙ୍ଗିଗଲା—ମନରେ ଭାରି ଦୁଃଖ ହେଲା । କିନ୍ତୁ କରେ କ’ଣ-? ଉପାୟ ବା କ’ଣ ଅଛି ? ଭାଗ୍ୟକୁ ଆଦରି ରହିବାକୁ ବାଧ୍ୟ ହେଲା ।

 

ଏଣେ ଘରଭିତରେ ରହିବାକୁ ଯାଗା ନାହିଁ । ସବୁଆଡ଼ କାଦୁଅ—ସନ୍ତସନ୍ତିଆ । ଯହିଁ ଗଲେ, ସେଠି ଚାଳରୁ ପାଣି ଗଳୁଛି । ଖରାଦିନ ତୋଫାନରେ ଚାଳରୁ ନଡ଼ା ପାଳ ସବୁ ଉଡ଼ି ଯାଇଥିଲା । ଯାହା ବା ପୁରୁଣା ପୁରୁଣି ଥିଲା, ତାହା କ’ଣ ଏଡ଼େ ବର୍ଷା ସମ୍ଭାଳେ ? ଫଳରେ ସବୁ ମନ୍ତେ କଷ୍ଟ ପାଉଛି, ସେଥିରେ ସୁଦାମାର ଦୁଃଖ କହିଲେ ନ ସରେ ।

 

ଏସବୁ ଦୁଃଖ, କଷ୍ଟ ସହି ମଧ୍ୟ ସୁଦାମାର ଈଶ୍ୱର—ବିଶ୍ୱାସ କମି ନାହିଁ । ପେଟକୁ ଦାନା ନାହିଁ, ଦେହକୁ କନା ନାହିଁ, ମୁଣ୍ଡକୁ ଟିକିଏ ଲଗାଇବାକୁ ତେଲ ନାହିଁ, ତଥାପି ସେ କୋଥଳିଟି ଧରି କୃଷ୍ଣମନ୍ତ୍ର ଜପିବାରେ ଲାଗିଛି । ଦେହରେ ଯେଉଁ ଛିଣ୍ଡା କନା ଖଣ୍ଡିକ ଅଛି, ସେଇଟି ପାଣି କାଦୁଅରେ ସୁଡ଼ୁବୁଡ଼ୁ । ମୁଣ୍ଡର ବାଳ ତେଲ ଅଭାବରୁ ବିବର୍ଣ୍ଣ ଦିଶୁଛି—ତଥାପି ମନ ସେହି କୃଷ୍ଣମନ୍ତ୍ର ଜପିବାରେ ଲାଗି ରହିଛି । କିନ୍ତୁ ଏସବୁ ତାର ସ୍ତ୍ରୀ ସୁମତିକୁ ଭଲ ଲାଗୁନାହିଁ । ସେ ଭାରି ରାଗିଯାଇ କହିଲା, ‘‘ହଇ ହେ, ଏ ମାଳାରୁ ମିଳିବ କ’ଣ ? ବର୍ଷାରେ ଘରେ ରହିବାକୁ ଜାଗା ନାହିଁ । ଦିନ ଗୋଟାଏ ହେଲା କିଛି ନ ଖାଇବାରୁ ପେଟରେ ହୁତାଶନ ଜଳୁଛି । କ’ଣ କରିବା, କ’ଣ ଖାଇବା, କିମିତି ରହିବା, ଜଣାନାହିଁ । କାହିଁ, ସେ ବିଷୟରେ ତ ଭାବନା ତମର ଟିକିଏ ହେଲାନାହିଁ । ଗରିବ ଉପରେ ଯେ ସମସ୍ତଙ୍କ ପ୍ରହାର, ଏକଥା କ’ଣ ମନେ ପଡ଼ୁଛି ? ପୋଡ଼ା ପେଟର ଯେମିତି ଦାଉ, ପ୍ରକୃତିର ମଧ୍ୟ ତହୁଁ ବଳି ଦାଉ । ଏସବୁ ନ ଭାବି, ସେହି କୋଥଳି, ସେହି ମାଳା—ସବୁବେଳେ ସେହି କଥା । ସେହି କୃଷ୍ଣନାମ । ସେଥିରେ ଯଦି ଭୋକଶୋଷ ଯାଉଥାନ୍ତା, ତେବେ ଏଡ଼େ ସହଜ ଓ ସରଳ ବାଟ ଛାଡ଼ି ଲୋକେ ଆଉ ଏତେ କାମ କରନ୍ତେ କାହିଁକି ? ସମସ୍ତେ ତ ସେପରି ଥଳିଟିଏ ଓ ମାଳାଟିଏ ଧରି ଗଡ଼ଉଥାନ୍ତେ । ଏସବୁ କରମକୋଢ଼ିଙ୍କର କାମ । ନ ହେଲେ ସମସ୍ତେ ନିନ୍ଦା କରିବେ । ସେଥିରୁ ରକ୍ଷା ପାଇବାର ଗୋଟାଏ ବେଶ୍ ସହଜ ଉପାୟ ! ଆଚ୍ଛା, କହିଲ ଭଲା, ବର୍ତ୍ତମାନ କ’ଣ ମାଳା ଜପିବାର ସମୟ ? ଦେଖୁଛ, ଦିନେ ହେଲା ଘରେ ଚୁଲି ଜଳି ନାହିଁ—ଚାଉଳ ବୋଲି ମୁଣ୍ଡରେ ଲଗାଇବାକୁ ଗୋଟାଏ ନାହିଁ । ଜାଳ ଖଣ୍ଡେ ବି ନାହିଁ । ସେ ସବୁର ଉପାୟ କରିବ କ’ଣ, ତାହା ନ ଭାବି ଖାଲି ହରିମନ୍ଦିର ଚିତାଟାଏ କାଟି ମାଳା ଗଡ଼ାଇଲେ କି ଲାଭ କହିଲ ? ତୁମର ସିନା ଭୋକ ଶୋଷ ସେଥିରେ ମେଣ୍ଟିଯିବ—ମୋର ତ ଯିବ ନାହିଁ । ମୋ ପାଇଁ କ’ଣ କରୁଛ-? ମୁଁ ତ ମାଇପିପ୍ରାଣୀ ବାହାରକୁ ଯିବା ମନା, ନ ହେଲେ ଯାଇ କୁଆଡ଼ୁ ଭିକଫିକ ମାଗି ଆଣି ଆଜି କୃତ୍ୟ ଅବା ଚଳାଇ ଦିଅନ୍ତି । କରେ କ’ଣ ?’’

 

ସେ ଏପରି ଆଉ ଗୁଡ଼ାଏ କ’ଣ କହିବାକୁ ଯାଉଥିଲା, ସୁଦାମା ତାକୁ ବାଧା ଦେଇ କହିଲା, ‘‘ସୁମତି ! ତୁ ବୁଝିପାରୁ ନାହୁଁ ଏ ମାଳାର କେତେ ଗୁଣ—ଏ ନାମ କେଡ଼େ ମଧୁର । ପ୍ରକୃତରେ ଯେ ଥରେ ଏ ରସ ପିଇଛି, ତାହାର ଭୋକ ଶୋଷ ରହିବ ନାହିଁ । ସେ ଏପରି ଅମୃତ ଛାଡ଼ି କାହିଁକି ସଂସାରର ଗରଳ ପିଇବ ? ଏହି କୃଷ୍ଣନାମରେ କେତେ ପାଗଲ ହୋଇଛନ୍ତି, କେତେ ଘରଦ୍ୱାର ଛାଡ଼ି ଜଙ୍ଗଲରେ ତାଙ୍କର ନାମ ନେଉଛନ୍ତି ! ସେମାନଙ୍କର କ’ଣ ଭୋକ ଶୋଷ ଅଛି ? ତୁ ଥରେ ସେ ନାମ କହ, ଦେଖିବୁ, ସେ ନାମ କେଡ଼େ ମଧୁର, କେଡ଼େ ଆନନ୍ଦପ୍ରଦ । ସେ ନାମରେ କେତେ ମୁନିଋଷି ତରି ଯାଇଛନ୍ତି ସଂସାର ଜଞ୍ଜାଳରୁ, ତାହାର ସଂଖ୍ୟା ନାହିଁ । ସେହି କୃଷ୍ଣର—କହ୍ନେଇର ପିଲାଦିନ କଥା କ’ଣ କହିବି ? ତା ସଙ୍ଗେ ପିଲାଦିନେ ପାଠ ପଢ଼ାରେ, ଗାଈ ଚରାରେ, ଖେଳକୌତୁକରେ କେତେ ଦିନ ବିତିଛି—ସେ ସବୁରେ ତାର କି ରହସ୍ୟ କି ଲୀଳା ଲାଗିଥାଏ, ତାହା ବା କ’ଣ କହିବି ? ସେଦିନ ଲୁଚକାଳି ଖେଳ ହେଉଥିଲା, ଯେ ଯେଉଁଠି ଯେତେ କୌଶଳରେ ଲୁଚିଲେ, ସେସବୁ ଦେଖିଲା, ଅଥଚ ସେ ଯାଇ କାହିଁ ଲୁଚିଲା, ସମସ୍ତେ ଖୋଜି ଖୋଜି ହାଲିଆ ହେଲେ, କିନ୍ତୁ ତାଙ୍କୁ ପାଇଲେ ନାହିଁ । ଏପରି କି ତା ବଡ଼ଭାଇ ବଳରାମ ବି ତା ସଙ୍ଗେ ଖେଳରେ ହାର ମାନିଛନ୍ତି । ଅନ୍ୟକଥା କି ସାମାନ୍ୟ ! କି ଛାର ! ଆଉ ଦିନେ ସେ ଗୋଟିଏ ଆମ୍ୱଗଛରେ ଚଢ଼ି ଆମ୍ୱ ତୋଳି ଆଣିଲା—ନିଜେ ଖାଇଲା, ଅନ୍ୟ ସମସ୍ତିଙ୍କି ଦେଲା । କେତେବା ଏ ଜୀବନରେ ଆମ୍ୱ ଖାଇ ନ ଥାଇଁ, କିନ୍ତୁ ସେଦିନ ସେ ଆମ୍ୱର ସ୍ୱାଦ ଆଉ କୌଣସି ଆମ୍ୱରେ ପାଇନାହିଁ, ଏପରି କି ସେଇ ଗଛରୁ ଆମ୍ୱ ନିଜେ ଆଣି ଖାଇଛି, ସେ ସ୍ୱାଦ ପାଇନାହିଁ । ସେ ହାତର କି କରାମତି ! ତା ପ୍ରସାଦର କି ମାହାତ୍ମ୍ୟ ! ସେ ସବୁକଥା ତୋ ଆଗେ କ’ଣ କହିବି ? ଆଉ ସେହି ସ୍ୱାଦ ମଧ୍ୟ ତା’ ହାତରୁ ପିଜୁଳୀ, ଲବଣୀ ଖାଇ ଅନୁଭବ କରିଛି । ଏସବୁ ଜୀବନରେ ଅନୁଭବ କରି ସେ ନାମ କିମିତି ଭୁଲିଯିବି? ସେ ଆଜି ଦ୍ୱାରକାର ରାଜା । କେତେ ସାଙ୍ଗ, ସଖା ସଖା ବୋଲି କେତେ ସ୍ନେହ-! ସେ ସବୁକଥା କ’ଣ ତାଙ୍କର ଆଜି ମନେଥିବ ?’’

 

‘‘ହଇ ହେ, ସେ ପିଲାଦିନ କଥାରୁ କ’ଣ ମିଳିବ ? ତାଙ୍କୁ ଦିନ ରାତି ଭାବିଲେ କ’ଣ ହେବ? କହ୍ନେଇ ଭାଇ ବୋଲି ତ ଭୋକ ଶୋଷ ନ ଥାଏ । ପିଲାଦିନେ ତ ପାଣି ଗଳୁ ନ ଥିଲା—କେତେ ସାଙ୍ଗ, କେତେ କଥା । ଯାଉନାହଁ ? ସେ ତ ଏକ୍ଷଣି ରଜା । ତମଙ୍କୁ ପିଲାଦିନ ସାଙ୍ଗ ଦେଖି ଟଙ୍କା ପଇସା, ଧନ ଦୌଲତ ଦିଅନ୍ତେ—ଦୁଃଖ ପାଣିପରି ଚାଲିଯାନ୍ତା । ନ ହେଲେ ବୁଝନ୍ତ ତୁମେ ତାଙ୍କ କଥା ଯେପରି ଭାବୁଛ, ସେ ତୁମ କଥା ଆଦୌ ସେପରି ଭାବନ୍ତି ନାହିଁ ।’’

 

‘‘ନାହିଁ, ଦୁଃଖରେ ବନ୍ଧୁବାନ୍ଧବଙ୍କ ଘରକୁ ଯିବା ଉଚିତ୍ ନୁହେ । ସେଥିରେ ଅପମାନ ମିଳେ-। ବନ୍ଧୁ ଲୋଭୀ ବୋଲି ଭାବେ । ବିଶେଷରେ ଶ୍ରୀକୃଷ୍ଣ ବର୍ତ୍ତମାନ ରାଜା—ସେ ବା କାହିଁକି ମୋପରି ଗରିବ ଭିକାରି ବ୍ରାହ୍ମଣକୁ ଚିହ୍ନିବେ ?’’

 

‘‘ଏ କିମିତି କଥା ମ ? କଥାରେ ଅଛି ବିପଦରେ ବନ୍ଧୁପଣ ଚିହ୍ନାଯାଏ ? ତୁମେ ଥରେ ଯାଅ—ତାଙ୍କୁ ନିଜ କଥା କହ, ଦେଖିବା ସେ କୃତଜ୍ଞ ନା କୃତଘ୍ନ । ପିଲାଦିନେ ତ ସେ ମୋଠାରୁ କେତେଥର ମୁଢ଼ି, ଚାଉଳଭଜା ଖାଇଛନ୍ତି, ନ ଦେଲେ ମୋତେ ଅଥୟ କରି ଦିଅନ୍ତି । ମୋ ସାଙ୍ଗେ କେତେ ଥଟ୍ଟା, କେତେ ଗେଲ କରନ୍ତି ? ସଖୀ ସଖୀ ବୋଲି ବସାଇ ଉଠାଇ ଦିଅନ୍ତି ନାହିଁ । ତାଙ୍କର ଏସବୁ କଥା କ’ଣ ମନେ ନ ଥିବ ? ଥରେ ନ ବୁଝି ଖାଲି ଚୁପଟିଏ ହୋଇ ଘରେ ବସିଲେ କ’ଣ ହେବ ? ଯଦି ଖାଲି ଭାବିବାରେ କାମ ହୋଇ ଯାଉଥାନ୍ତା, ତେବେ ଲୋକେ କାମ କରନ୍ତେ କାହିଁକି-? କେଉଁଠି ଦେଖିଛ, କହିଲ ଭଲା, ସିଂହ ଶୋଇଥାଏ, ତା ପାଖେ ଜନ୍ତୁ ଆସି ପହଞ୍ଚିଯାଏ-? ବିନା ପରିଶ୍ରମରେ ପାଖରେ ଥିବା ଖାଇବା ଜିନିଷ ପାଟିକୁ ଯାଏ ନାହିଁ । ଏବେ ଯାଅ । ଶ୍ରୀକୃଷ୍ଣ ବର୍ତ୍ତମାନ ରାଜା । କଥାରେ ଅଛି ରଜା ଭୋଳ । ତାଙ୍କ ପାଖେ ଅଳି କଲେ ସିନା, ସେ ବୁଝନ୍ତେ । ପିଲାଦିନ ସାଙ୍ଗ ବୋଲି କିଛି ଦିଅନ୍ତେ । ଖାଲି ଘରଭିତରେ ବସି ରହିଲେ କିଏ ଭଲା କାହିଁକି ଦେବ ? ସେ ବା କିମିତି ଜାଣିବେ ତୁମ ଅବସ୍ଥା ଇମିତିକା ? ତୁମେ କହିଲ ଭଲା, ଆଜିକାଲି ଯୁଗରେ ଦବା ନବାକୁ କିଏ ସୁଖପାଏ ? ବଡ଼ଲୋକଙ୍କର ତ ବେଶୀ ଲୋଭ—କେଡ଼େ କୌଶଳରେ କାମ ହାସଲ କରିବେ, ଆଖିରେ ଅନ୍ଧପୁଟୁଳି ଦେଇ ଠକି ଦେବେ । ସେମାନଙ୍କ ଚାହିଁ ଭେଳିକି କଥା କ’ଣ କହୁଛ ? କଥାରେ କଥାରେ ମନ ଖୁସି କରିଦେବେ ତୁମେ ତ ସେ ଭୁଲାଣିଆ କଥାରେ ପାଗଲ, ଆମର ବୋଲି କୋଳକରି ପକାଇବ, କିନ୍ତୁ ସେ ଯେ ଭିତରେ ଭିତରେ ତୋଟି କାଟି ଦିଅନ୍ତି, ମୂଷା ଡୋଲିରେ ପଶି ଡୋଲି ଖାଲି କରିବାପରି ସର୍ବସ୍ୱାନ୍ତ କରନ୍ତି, ଏକଥା ତୁମଭଳିଆ ସରଳ ଲୋକ ବୁଝିବେ କୁଆଡ଼ୁ ? ତାହା ନ ହେଲେ କି ତୁମେ ତିନିଦିନରେ ଓଳିଏ ଖାଇବାକୁ ପାଆନ୍ତ ନାହିଁ-? ହଉ, ଗଲାକଥା ଭାବି କିଛି ଲାଭ ନାହିଁ । ସଖା, ସଖା ବୋଲି ଯାହାଙ୍କ ନାମ ଶୁଣିଲେ ଭୋକ ଶୋଷ ରହେ ନାହିଁ, ସେହି ସଖା ଶ୍ରୀକୃଷ୍ଣ—ଦ୍ୱାରିକାର ରାଜାଙ୍କ ପାଖକୁ ଯାଅ । କିଛି ମାଗିଆଣ-। ହେଲେ କିଛିଦିନ କୃତ୍ୟ ଚଳିଯିବ । ମୁଖ ଫିଟିଲେ ସିନା ଦୁଃଖ ଯାଏ; ତାଙ୍କ ପାଖେ ଅଳିକରି କେତେ ଲୋକ ବଡ଼ଲୋକ ହେଲେଣି ଏ କଥା ତ ଦେଖୁଛ । ନିଜେ ତୁନି ହୋଇ କାହିଁକି ବସିଛ ? ସେ କ’ଣ ବଳେ ଦେଇଯିବେ ?’’

 

‘‘ନା, ତାତ ହେବନାହିଁ, ସୁମତି ! ମୁଁ ତ ତାଙ୍କୁ କେବେ କିଛି ମାଗିନାହିଁ । ଆଜି ବା କିମିତି ଯାଇ ମାଗିବି ? ମାଗିଲେ ବା ସେ କ’ଣ ଭାବିବେ, କ’ଣ କହିବେ ? ମୋପରି କେତେ ଅରକ୍ଷ, କାଙ୍ଗାଳ ତାଙ୍କ ଦ୍ୱାରୁ ନିତି ଫେରି ଯାଇ ଥିବେ, ସେଥିରେ ସେ ଏ ଭିକାରିଟାକୁ ବା କିମିତି ଚିହ୍ନିବେ-? କାହିଁକି ବା ପଚାରିବେ ?’’

 

‘‘ପୁଣି ସେ ଦ୍ୱାରକାର ରାଜା—ତାଙ୍କ ପାଦତଳେ କେତେ ଚାକର ବାକର ନିତି ଖଟୁଚନ୍ତି, କେତେ ରାଜା ମହାରାଜା ଆସି ତାଙ୍କ ପାଦ ପୂଜା କରୁଛନ୍ତି, କେତେ ବି ତାଙ୍କ ଦର୍ଶନ ନ ପାଇ ଫେରୁଛନ୍ତି । ସେଥିରେ ମୋ’ପରି କାଙ୍ଗାଳଟାଏ ବା ତାଙ୍କ ପାଖକୁ କିପରି ଯିବ ? ଦୂରରୁ ଚାକର ବାକର ଘଉଡ଼ାଇ ଦେବେ । ମୋତେ ଆଉ ତୁ ବୃଥା ବଳାନା ସୁମତି ।’’

 

‘‘ସବୁ କଥାକୁ ଡରିଲେ କିମିତି ଚଳିବ ମ ? ନିଜ ପେଟ ଦେଖାଇଲେ ସିନା କିଏ ଦେଲା ନ ଦେଲା କହିବା ! କିଛି ନ କରି ଖାଲି ଭୟରେ ରହିଲେ କ’ଣ ହେବ ? ସେଠିକି ଯାଆନ୍ତ, ଥରେ ଚେଷ୍ଟା କରନ୍ତ । ଯଦି ଗରିବ କପାଳକୁ ଗଙ୍ଗା ବିଜେ କରନ୍ତେ, ତେବେ ନିଜ ଦୁଃଖତକ ଜଣାନ୍ତ, ଫଳେ ପୁଷ୍ପେ ଯାହା ମିଳିଲା ଧରି ଆସନ୍ତ । ନ ହେଲେ ଫେରି ଆସନ୍ତ । ଦୁଃଖୀ ଗରିବଙ୍କର ମାନ ଅପମାନ କ’ଣ ? ମାଗିବା କଥା ତ, ଏଇଟା କ’ଣ ପାରିବ ନାହିଁ ? ବେଶ୍ ତ ପାରନ୍ତ । ସେ ଦିନ କହୁଥିଲ ଗୋପ ଗଉଡ଼ ପିଲାଏ କୃଷ୍ଣଙ୍କୁ ଭଜି କେତେ ବିପଦରୁ ରକ୍ଷା ପାଇଲେ, ଧନକୁବେର ହେଲେ, ଆଉ କେତେ ଲୋକ କେତେ କଥା ପାଇଲେ । ତୁମେ କାହିଁକି ଡରୁଛ ? ରାଜା ହୋଇ ଯେ ଦୁଃଖୀରଙ୍କିଙ୍କ କଥା ନ ବୁଝେ ସେ କି ରାଜା ମ ? କେବଳ ପ୍ରଜାଙ୍କ ତୋଟି ଚିପି ଧନ ସାଇତିଲେ କ’ଣ ରାଜା ବୋଲାନ୍ତି ? ପ୍ରଜାଙ୍କ ଦୁଃଖ ଦୂର କଲେ ସିନା ରାଜାପଣ ଜଣାପଡ଼େ । ସୂର୍ଯ୍ୟ ପୃଥିବୀରୁ ପାଣି ଶୋଷି ନେଇ ମେଘ ଆକାରରେ ପୃଥିବୀରେ ଢାଳି ଦେବାପରି ରାଜା ସିନା ପ୍ରଜାଙ୍କ ଧନ ପ୍ରଜାଙ୍କ ଉପକାରରେ ଲଗାଇଲେ ହୁଏ ? ମଉଜ—ମଜଲସି, ଗାଡ଼ିଘୋଡ଼ାରେ ଲଗାଇଲେ କ’ଣ ପ୍ରଜାଙ୍କ ଉପକାର ହୁଏ ? ସମସ୍ତେ କହୁଛନ୍ତି କୃଷ୍ଣ ସେ ଧରଣର ରଜା ନୁହନ୍ତି । ସେ ଦୁଃଖୀ, ରଙ୍କୀ, ରୋଗୀ, ଶୋଷୀ, ଭୋକୀ—ସମସ୍ତଙ୍କ କଥା ଆଗେ ବୁଝନ୍ତି—ତାଙ୍କ ପାଖରେ ବଡ଼ ସାନ କିଛି ନାହିଁ । ତୁମେ ଥରେ ତାଙ୍କ ପାଖକୁ ଗଲେ, ସେ କିଛି ନା କିଛି ଦିଅନ୍ତେ । ସେଥିରେ ଆମ ଦୁଃଖ ନିଶ୍ଚେ ଦୂର ହୁଅନ୍ତା ।’’

 

ଏଥର ସୁଦାମା ଦେଖିଲା, ସୁମତି ଆଉ ଛାଡ଼ିବନାହିଁ । ଯିବାର ନିଶ୍ଚିତ । ତାର ମନରେ ଭାରି ଦୁଃଖ ହେଲା । ସେ କହିଲା, ‘‘ହଉ, ଯିବି । କୃଷ୍ଣ ଯଦି ନ ଚିହ୍ନନ୍ତି, ସେଠୁ ଫେରି ଆସି ତତେ ଆଉ ଏ ପୋଡ଼ାମୁହଁ ଦେଖାଇବି ନାହିଁ । ଏଥର ନିଶ୍ଚେ ପ୍ରାଣ ହରାଇବି । ଦେଖ, ଏ ଛିଣ୍ଡା, ମଇଳା ଲୁଗା ପିନ୍ଧି ସେଠିକି କେମିତି ଯିବି ?’’

 

ସୁମତି ସ୍ୱାମୀଙ୍କର ମନର କଥା ବୁଝିବ ବା କୁଆଡ଼ୁ ? ସେ ତ ଖାଲି ଧନ ଲୋଭରେ ଅଥୟ—ତାକୁ କ’ଣ କିଛି ଜଣା ପଡ଼ୁଛି ? ଲୋଭର କି କରାମତି ? ସେ ଭଲ ମନ୍ଦ, ହିତ ଅହିତ, ମଙ୍ଗଳ ଅମଙ୍ଗଳ, ମାନ ଅପମାନ, ନିନ୍ଦା ପ୍ରଶଂସା ଦେଖେ ନାହିଁ, କି ଶୁଣେ ନାହିଁ । ଯାହାଙ୍କ ସଙ୍ଗେ ଦିନେ ସମାନ ହୋଇ ଏକାଠି ବସୁଥିଲା, ହସୁଥିଲା, ଖେଳୁଥିଲା, ବୁଲୁଥିଲା, ଖାଉଥିଲା, ପଢ଼ୁଥିଲା, ତାହା ସଙ୍ଗେ କିପରି ଦରିଦ୍ର ବେଶରେ ଦେଖା କରିବ, ହାତ ପତାଇ ମାଗିବ, ଏକଥା ଭାବି ସୁଦାମାର ଆଦୌ ଯିବାକୁ ଇଚ୍ଛା ନ ଥିଲା । ଏକଥା ସୁମତି ଆଉ ବୁଝିଲା ନାହିଁ । ସେ ତୁରନ୍ତ କହିଲା, ‘‘ଶିଳ, ଶିଳପୁଆଲାଗି ବିଭାଘର କେଉଁଠି ବନ୍ଦ ହେବାର ଦେଖିଛ କି ? ମୁଁ ପେଡ଼ିରେ ଖଣ୍ଡେ ଧୋବ ଲୁଗା ରଖିଛି—ଦଉଛି, ପିନ୍ଧି ତାଙ୍କ ପାଖକୁ ଯାଅ ।’’ ଏହା କହି ପେଡ଼ି ଭିତରୁ ଲୁଗାଖଣ୍ଡିକ ଆଣି ସ୍ୱାମୀଙ୍କ ହାତରେ ଦେଇଦେଲା ।

 

ସୁଦାମା ଲୁଗା ଖଣ୍ଡିକ ପିନ୍ଧି ଗୋଟିଏ କାନି ଘୋଡ଼ି ହୋଇ ଯିବାକୁ ବାହାରିଲା । ଆଜି ତା’ର ମନରେ ଭାରି ଆନନ୍ଦ—ବହୁଦିନ ପରେ ସଖାଙ୍କୁ ଦେଖିବ । ସେ କିମିତି ବଡ଼ ମଣିଷ ହେଲେଣି, କିମିତି ରାଜୁତି କରୁଛନ୍ତି, କିପରି ରାଜ—ପୋଷାକ ପିନ୍ଧି ସିଂହାସନରେ ବସି ସୁନ୍ଦର ଦିଶୁଛନ୍ତି, କେତେ ପାତ୍ରମିତ୍ର, ଦାସଦାସୀ ତାଙ୍କ ପଦତଳେ ଖଟୁଛନ୍ତି, କିପରି ଆନନ୍ଦରେ ଦିନ କାଟୁଛନ୍ତି, ପିଲାଦିନର ସେ ଚଞ୍ଚଳ ସ୍ୱଭାବ ଅଛି କି ନାହିଁ, ଏ ସବୁ ଦେଖି ନୟନ ପବିତ୍ର କରିବି । ବହୁ ଦିନ ପରେ ସଖାଙ୍କୁ ଦେଖି କ’ଣ କହିବ, ତାର ବର୍ତ୍ତମାନ ଭାବନା ଲାଗିଛି । ଓଲେଇ କପାଳକୁ ଶିକା ଛିଡ଼ିବା ପରି ତା କପାଳକୁ ସୁମତି ଆଜି ଯିବାକୁ ବାଧ୍ୟ କରିଛି । ଆଜି ତାର ଅପୂର୍ବ ସୁଯୋଗ । ଏସବୁ କଥା ଭାବି ସୁଦାମାର ଆନନ୍ଦର ସୀମା ନାହିଁ । ସେ ବୁଝଛି—ଭଗବାନ ଯାହା କରନ୍ତି ମଙ୍ଗଳ ସକାଶେ—ନ ହେଲେ ଏ ସୁଯୋଗ ମିଳେ କାହାକୁ ?

 

ଅଳ୍ପସମୟ ମଧ୍ୟରେ ମେଘର ଟୋପି କମିଗଲା—ଆକାଶ ପରିଷ୍କାର ଦିଶିଲା, ଏ ସୁଯୋଗ ପାଇ ସୁଦାମା ଦ୍ୱାରିକାକୁ ବାହାରି ପଡ଼ିଲା । ଏତିକି ବେଳେ ତା’ ମନେ ପଡ଼ିଲା, ‘‘ଏତେ ଦିନପରେ ସଖାଙ୍କ ସଙ୍ଗେ ଦେଖା କରିବାକୁ ଯାଉଛି—ସାଙ୍ଗରେ ନେଇ କ’ଣ ଯିବି ? ସଖାଙ୍କୁ କଣ ଦେବି ? ସଖା ଯଦି ଦେଖିବା କ୍ଷଣି ମାଗିବେ ? ସେ ବା କ’ଣ କହିବ ? ତୁଚ୍ଛା ହାତରେ ତ ଯିବା ଭଲ ନୁହେଁ। ଘରେ ତ କିଛି ନାହିଁ, କରେ କ’ଣ ?’’ ଏ ସବୁ କଥା ଭାବି ସୁମତିକୁ କହିଲା, ‘‘ହଇହେ, ସଖାଙ୍କ ପାଇଁ କିଛି ଦେବ ନାହିଁ କି ? ଖାଲି ହାତରେ ଗଲେ ସେ କ’ଣ କହିବେ ?’’

 

‘‘ଘରେ କ’ଣ ଅଛି ଯେ ଦେବି । ବାସିଓଳିକି ତ ଦାନା ନାହିଁ । ଦେଖୁଛି ତ ଚୁଲି ଦିନେ ହେଲା ଜଳି ନାହିଁ । ଏଥିରେ କ’ଣ କହୁଛ, ଦେବି ବୋଲି । ହଉ, ଖୁଦଗଣ୍ଡେ କେତେଦିନର ଅଛି । ତାକୁ ବାଲିରେ ଭାଜିଦିଏଁ, ସଖାଙ୍କ ପାଇଁ ନେବ । ସେ ତ ତାକୁ ଭଲ ପାନ୍ତି । କେତେଥର ମୋତେ ଫରମାସି କରିଛନ୍ତି, ମୁଁ ତାଙ୍କୁ ଦେଇଛି ।’’

 

‘‘ସେତେବେଳ କଥା ଆଜି କଣ ଅଛି ? ସେତେବେଳେ ସେ ଗଉଡ଼—ପିଲାଙ୍କ ସଙ୍ଗେ ବୁଲୁଥିଲେ—ଗାଈ ଚରାଉଥିଲେ । ଆଜି ସେ ରଜା—ସାମାନ୍ୟ ରଜା ବି ନୁହନ୍ତି । ଦ୍ୱାରକା ପରି ବଡ଼ ରାଇଜର ରଜା—କେତେ ବଡ଼ ଲୋକ, ରଜା ମହାରାଜା ତାଙ୍କ ପଦତଳେ ଖଟୁଛନ୍ତି । ସେ ରାଜସଭାରେ ବିଜେ ହେଲା—ବେଳେ ଦୈବାତ୍ ଯଦି ଦେଖାହୁଏ, ସେତିକି ବେଳେ ସେ କ’ଣ ଆଣିଛ ବୋଲି ମାଗିଦିଅନ୍ତି, ସମସ୍ତଙ୍କ ଆଗରେ କିମିତି ଖୁଦଭଜା ଦେବି ? ସମସ୍ତେ କ’ଣ କହିବେ-? ସଖା ବା କ’ଣ ଭାବିବେ ?’’

 

‘‘କଥାରେ ଅଛି, ଯଥା ଦେହେ ତଥା ଦେବେ । ଭଗବାନ ଆମଙ୍କୁ ଯେମିତି ରଖିଛନ୍ତି, ଆମେ ତ ତାଙ୍କୁ ସେମିତି ପୂଜା କରିବା ? ଆମେ କାହୁଁ ରାଜା ମହାରାଜା, ଧନୀ ମହାଜନଙ୍କ ପରି ଦେଇ ପାରିବା ? ତୁମେ ତ ସବୁବେଳେ କହ, କୃଷ୍ଣ ଦୁନିଆର ମାଲିକ—ତେବେ ତାଙ୍କର କ’ଣ ସବୁ ନୁହେଁ ? ତାଙ୍କର ଜିନିଷ ତାଙ୍କୁ ଦେବା—ସେଥିରେ ଭଲା ପୌରୁଷ କ’ଣ ? ଆମଘରେ ଥାଇ ନ ଦେଲେ ସିନା ସେ ଦୁଃଖ କରିବେ, କୃପଣ ଭାବି ରାଗ କରିବେ ? ଯାହା ଅଛି ତାହା ଦେଲେ ସେ କିଆଁ ରାଗ କରିବେ ? ଏ ଖୁଦଭଜାକୁ ନେଇ ଯାଅ, ଦେଖିବ, ସେ କେଡ଼େ ଖୁସି ହେବେ । ବିଳମ୍ୱ ନ କରି ଏ ଖୁଦ ଭଜାତକ ଧରି ଯାଅ ।’’ ଏତିକି କହି ସୁମତି ଖୁଦଭାଜି ବସିଲା । ଦିମୁଠା ଖୁଦ ଭାଜିବାକୁ ବା କେତେ ସମୟ ଲାଗନ୍ତା ? ସେତକ କାମ ସାରି ଦେଇ ତାକୁ ଖଣ୍ଡିଏ ଛିଣ୍ଡା କନାରେ ବାନ୍ଧି ଦେଇ ସେ ବୁଜୁଳିଟିକୁ ସ୍ୱାମୀଙ୍କ ହାତକୁ ବଢ଼ାଇ ଦେଲା । ସୁଦାମା ଦେଖିଲା, ଆଉ ଉପାୟ ନାହିଁ—ଯିବାକୁ ନିଶ୍ଚୟ ହେବ—ନ ହେଲେ ସୁମତିଠାରୁ ରକ୍ଷା ନାହିଁ । ଏପରି ଭାବି ବାଧ୍ୟ ହୋଇ ସେ ଖୁଦପୁଡ଼ାଟି ଧରି ସୁମତିଠାରୁ ବିଦାୟ ନେଇ ଦ୍ୱାରକା ଅଭିମୁଖରେ ବାହାରି ପଡ଼ିଲା । ବାଟରେ ଗଲା-ବେଳେ ତାହାର ମନରେ କେତେ କଥା ପଡ଼ିଲା—କିମିତି ସଖାଙ୍କ ସଙ୍ଗେ ଦେଖା କରିବ ? ସେ ବର୍ତ୍ତମାନ ରଜା, ତେଣୁ ତାଙ୍କ ସଙ୍ଗେ କିମିତି କଥାବାର୍ତ୍ତା କରିବ ? ଆଗେ କ’ଣ ପଚାରିବ ? କିମିତି ବା ତାଙ୍କୁ ମାଗିବ ? ଆଜି ଯାଏ ତ କେବେ କିଛି ମାଗି ନାହିଁ । ଏ କଥାଟି ତାକୁ ଭାରି ଅଡ଼ୁଆ ଲାଗିଲା । କିମିତି ବା ମାଗିଲା ବେଳେ ଖୁଦପୁଡ଼ାଟି ବଢ଼ାଇ ଦେବ—ଏକଥା ଭାବି ଭାବି ବଡ଼ ଦୁଃଖରେ ସୁଦାମା ଚାଲିବାକୁ ଲାଗିଲା । ଯେ ଏତେ ଦିନ କୃଷ୍ଣଙ୍କୁ ସଖା ବୋଲି ଭାବି ଜୀବନର ଏକମାତ୍ର ସମ୍ୱଳ ବୋଲି ଧରିଛି, ସଂସାର ଯାତ୍ରାର ଏକମାତ୍ର ନାଉରି ବୋଲି ଭାବିଛି, ତାଙ୍କର ନାମ ଜୀବନର ପ୍ରଧାନ ମନ୍ତ୍ର ବୋଲି ଜପୁଛି, ତାଙ୍କ ପାଖେ କିପରି ସାମାନ୍ୟ ଧନ ନିମନ୍ତେ ପ୍ରାର୍ଥୀ ହେବ, ସାମାନ୍ୟ ପାର୍ଥିବ ପଦାର୍ଥରେ ତୃପ୍ତ ହେବ, ସେ ମହାଲକ୍ଷ୍ୟ—ଜୀବନର ଶେଷ ସଙ୍କଳ୍ପ ଭୁଲିଯିବ—ଏ ତ ଏକ ବଡ଼ ବିଷମ କଥା । କୃଷ୍ଣନାମରେ ପାଗଳ—କୃଷ୍ଣନାମରେ ମୁଗ୍‌ଧ ସୁଦାମା ଏ କଥା କିମିତି କରିବ ? ଏହି ଜଞ୍ଜାଳ—ଜୀବନର ଏହି ମହାସଙ୍କଟରେ ପଡ଼ି ସୁଦାମା ବେଳେ ବେଳେ ବାଟରେ ଥକ୍କା ହୋଇ ଛିଡ଼ା ହୋଇ ଯାଉଛି—ଥରେ ଥରେ ନିଜର ଦୁଃଖକଥା ସୁମତିର କଟୁକଥା ମନେ ପକାଇ କାନ୍ଦି ପକାଉଛି । ଏଣେ ଫେରି ଯିବାର ତ ଉପାୟ ନାହିଁ—ଗଲେ ତ ବିପଦ । ସାପ ଚୁଚୁନ୍ଦରାକୁ ଧରିବା ପରି ସେ ବର୍ତ୍ତମାନ ‘‘ନ ଯଯୌ, ନ ତସ୍ଥୌ’’ ହୋଇ ଚାଲିଛି । ସେ ବର୍ତ୍ତମାନ ଜଡ଼, ପୁତ୍ତଳିକା ପରି କାମ କରୁଛି । ଯଥାର୍ଥରେ ଭକ୍ତ ପକ୍ଷରେ କିଛି ଯାଚ୍‌ଞା କରିବା ବଡ଼ ଜଟିଳ ବିଷୟ ସିନା !

 

ବାଟରେ ଏପରି ଭାବି ଭାବି ଯାଉ ଯାଉ ବଡ଼ ନଈଟିଏ ପଡ଼ିଲା । ତିନିଦିନ ଲଗାଣ ବର୍ଷା ଫଳରେ ନଈ ଦୁଇକୂଳ ବୁଡ଼ି ପାଣି ଚାଲିଛି । ଏତିକି ବେଳେ ପାଣି ପବନ କୁଆଡ଼ୁ ଭୀଷଣ ବେଗରେ ମାଡ଼ି ଆସିଲା । ନିକଟରେ ଗାଁ ଗଣ୍ଡା ନାହିଁ । ନଈ ପାରି ନ ହେଲେ ଆଉ ରକ୍ଷା ନାହିଁ । ତେବେ ନଈ ବା କିମିତି ପାରିହୁଏ ? କାହିଁ ତ ନାହା କି ନାଉରୀ ଦେଖା ନାହିଁ । କେହି ଜଣେ ହେଲେ ସାହା ନାହିଁ । ଏ ବିପଦରେ ପଡ଼ି କରେ କ’ଣ ? ସୁଦାମା ବର୍ତ୍ତମାନ ହତଜ୍ଞାନ ।

 

‘‘ଏତେ ବାଟ ଆସି ଆଉ ତ ଫେରି ଯିବାର ଉପାୟ ନାହିଁ । ନଈଟା ପାରି ହେଲେ ଦ୍ୱାରକା ବେଶୀ ଦୂର ପଡ଼ିବ ନାହିଁ । କରେ କ’ଣ ? ଫେରି ଗଲେ ସ୍ତ୍ରୀକୁ କ’ଣ କହିବି ? ସେ ବା କ’ଣ କହିବ ? ଏତେ ନିନ୍ଦା, ଏତେ ଅପମାନରୁ ବରଂ ମରିବା ଭଲ’’ ଭାବି ସୁଦାମା ସେଠି ବସି ପଡ଼ିଲା । ଏତିକି ବେଳେ ତାହାର ମୃଗୁଣୀ କଥା ମନେ ପଡ଼ିଲା । ସେ ନିରାଶ୍ରୟ ଓ ନିରୂପାୟ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କୁ କାତର ସ୍ୱରରେ ମନେ ମନେ ଡାକିବାକୁ ଲାଗିଲା ।

☆☆☆

 

ଦ୍ୱିତୀୟ ପରିଚ୍ଛେଦ

ଭକ୍ତର ଭଗବାନ

 

ରାଜସଭା ଲାଗିଛି । ଶ୍ରୀକୃଷ୍ଣ ସିଂହାସନରେ ବସି ରାଜକାର୍ଯ୍ୟ ବୁଝୁଛନ୍ତି । ପାଖରେ ପାତ୍ରମିତ୍ର, ଦାସଦାସୀ ପ୍ରଭୃତି କେତେ ପରିଷଦ ବସିଛନ୍ତି । ମଣିମୁକ୍ତାର ଅଳଙ୍କାରରେ ସଭାସ୍ଥଳ ଚକଚକ କରୁଛି । କେତେ ରଙ୍ଗର କେତେ ଆଲୋକ ଖଞ୍ଜା ଯାଇଛି, କେତେ ଚିତ୍ର, କେତେ କାରୁକାର୍ଯ୍ୟ ରହିଛି, ତାର ସୀମାନାହିଁ । ଦେଖିଲେ ମନେ ହେଉଛି, ସ୍ୱର୍ଗପୁରୀ ଏଡ଼େ ସୁନ୍ଦର ହେବ ନାହିଁ । ଜଗତର ମାଲିକ୍ ଯେଉଁଠି ରହିଛନ୍ତି, ସେଠି ବା କେଉଁ ଜିନିଷର ଅଭାବ ଥାଇପାରେ ?

 

ଦେବର୍ଷି ନାରଦ ହାତରେ ବୀଣା ଧରି ସିଂହାସନ ପାଖେ ଠିଆ ହୋଇଛନ୍ତି—ପାଖରେ ଋକ୍ମିଣୀ ବସିଛନ୍ତି । ସଭାରେ ନାନା ଓଜର ଆପତ୍ତିର ବିଚାର ଓ ମୀମାଂସା ଚାଲିଛି—ନାନା ବିଷୟର ଆଲୋଚନା ହେଉଛି । ସମସ୍ତେ ଏକମନ—ଏକପ୍ରାଣରେ ଚାହିଁ ରହିଛନ୍ତି, ଶ୍ରୀକୃଷ୍ଣ କ’ଣ କହିବେ । କିନ୍ତୁ ତାଙ୍କର ମନ ସେ ସବୁରେ ନାହିଁ—ସେ କ’ଣ ଭାବୁଛନ୍ତି, କ’ଣ ବିଚାରୁଛନ୍ତି । ସେ କଥା ବା କିଏ ଜାଣିବ ? ଜଗତ ଯାହାର ଇଙ୍ଗିତରେ ଚାଲିଛି, ତାଙ୍କ ମନକଥା ବା ଅନ୍ୟ କାହୁଁ ଜାଣିବ ? ତେବେ ସମସ୍ତେ ଦେଖୁଛନ୍ତି, ସେ ବିଚଳିତ—ଅନ୍ୟମନସ୍କ ।

 

ଭଗବାନଙ୍କ ପକ୍ଷରେ ଭକ୍ତର ଦୁଃଖ ସହିବା ଅସମ୍ଭବ । ବର୍ତ୍ତମାନ ଶ୍ରୀକୃଷ୍ଣରୂପୀ ଅନ୍ତର୍ଯ୍ୟାମୀ ଭଗବାନ ଜାଣିଲେ, ତାଙ୍କର ପିଲାଦିନର ସଖା ସୁଦାମା ଦୁଃଖରେ, ଦାରିଦ୍ର୍ୟରେ ବଡ଼ କଷ୍ଟ ପାଇ ସୁମତିଠାରୁ ବହୁ ଲାଞ୍ଛନା ଭୋଗି ତାଙ୍କ ପାଖକୁ ଆସିବାଲାଗି ଭାରି ବ୍ୟାକୁଳ—ବାଟରେ ଆସୁ ଆସୁ ନଈକୂଳରେ ବସିଛି—ବଢ଼ିରେ ଭରା ନଈ—ଆଉ ପାରି ହେବାର ଉପାୟ ନ ଦେଖି ବଡ଼ କଷ୍ଟ ଭୋଗୁଛି । ସଖାର—ବିଶେଷତଃ ଭକ୍ତର—ଏ ଦୁଃଖ କଥା ଜାଣିପାରି, କାତର ଆହ୍ୱାନ ଶୁଣିପାରି, ତାଙ୍କ ପ୍ରାଣ ଆକୁଳ ହୋଇ ଉଠିଲା । କିପରି ଭକ୍ତକୁ ରକ୍ଷା କରିବାକୁ ହେବ, ସଖାର ଉପକାର କରିବାକୁ ହେବ, ଏହି କଥା ଭାବି ଭାବି ଶେଷରେ ସମସ୍ତଙ୍କୁ କହିଲେ, ‘‘ଆପଣମାନେ ଟିକିଏ ଅପେକ୍ଷା କରନ୍ତୁ । ମୁଁ ଆସୁଛି ।’’ ଏତିକି କହି ସେ ରାଜସଭାରୁ ଉଠିଗଲେ । ଭିତର ଘରେ ନିଜର ରାଜପୋଷାକ ବଦଳାଇ କେଉଟ ବେଶରେ ନଈକୂଳକୁ ବେଗରେ ଦୌଡ଼ିବାକୁ ଲାଗିଲେ । ପାରିଷଦବର୍ଗ ଏ ସବୁ କଥା କିଛି ଜାଣି ପାରିଲେ ନାହିଁ । ଇଚ୍ଛାମୟଙ୍କର ବିଚିତ୍ରଲୀଳାର କଥା ସାମାନ୍ୟ ଲୋକ ପକ୍ଷରେ ବୁଝିବା କି ସହଜ ?

ସେତେବେଳେ କୁଆଡ଼ୁ ମେଘ ଘୋଟି ଆସିଲା । ଟପ ଟପ ହୋଇ ବର୍ଷା ହେଲା, ଯେପରି କି କିଏ ଭାଣ୍ଡରୁ ପାଣି ଅଜାଡ଼ି ଦେଉଛି । ଘନ ଘନ ବିଜୁଳି ଓ ଘଡ଼ଘଡ଼ି ସମସ୍ତଙ୍କୁ ଭୀତ ଓ ତ୍ରସ୍ତ କରି ଦେଇଛି । ତଥାପି ଶ୍ରୀକୃଷ୍ଣ ନଦୀଆଡ଼କୁ ଧାଇଁଛନ୍ତି । ଯାହାଙ୍କ ଇଙ୍ଗିତରେ ଜଗତ ଚାଳିତ, ଯାହାଙ୍କ ଇଚ୍ଛାରେ କେତେ ସୃଷ୍ଟି, କେତେ ମହାପ୍ରଳୟ ହୋଇପାରେ ତାଙ୍କ ପକ୍ଷରେ ଏ ସବୁ କି ସାମାନ୍ୟ, କି ହୀନ ! ସେଥିରେ ସେ ଅବା କାହିଁକି ଭୀତ ହେବେ ? ଯୁଗେ ଯୁଗେ ଭଗବାନ ନିତାନ୍ତ ଦୁଃସ୍ଥ ସମୟରେ—ଘୋର ଅସମୟରେ—ଭକ୍ତକୁ ଦେଖା ଦେଇଥାନ୍ତି ସିନା !

ନଈକୂଳରେ ପହଞ୍ଚି ଦେଖିଲେ ନଈ ଭୟଙ୍କର ଗର୍ଜ୍ଜନ କରୁଛି—ଆଉ କେହି ନାହିଁ, କେବଳ ଆରକୂଳେ ବର୍ଷାମାଡ଼ ସହି ଶୀତରେ ଥରି ଥରି ତାଙ୍କର ପିଲାଦିନର ସଖା ସୁଦାମା ବସି ରହିଛି । ଆଉ କିଛି ଉପାୟ ନ ଦେଖି ଏକ ମନରେ ଏକ ପ୍ରାଣରେ ଭଗବାନଙ୍କୁ ଡାକୁଛି । ଏସବୁ ଘଟଣା ଦେଖି ଶ୍ରୀକୃଷ୍ଣଙ୍କ ପ୍ରାଣରେ ବଡ଼ ଆଘାତ ଲାଗିଲା । ସେ ଆଉ ଭକ୍ତର ଦୁଃଖ ସହି ପାରିଲେ ନାହିଁ । ସେହି ବର୍ଷାରେ ନଈକୂଳେ ଥିବା ଛୋଟ କାଠ ପଟୁଆଟିକୁ ଆରପାଖକୁ ବାହିବାକୁ ଲାଗିଲେ-। ପବନରେ ନଈପାଣି ପଟୁଆଭିତରେ ପଶି ଯାଉଛି—ପ୍ରତି ମୁହୂର୍ତ୍ତରେ ପଟୁଆଟି ବୁଡ଼ିଯିବାର ଆଶଙ୍କା—ତଥାପି ନିର୍ଭୟରେ ନାଉରିପିଲା ବେଶରେ ଶ୍ରୀକୃଷ୍ଣ ଆହୁଲା ଖଣ୍ଡିଏ ଧରି ପଟୁଆଟି ବୋହି ନେଉଛନ୍ତି । ଯେ ଜଗତର କର୍ତ୍ତା, ଅନନ୍ତ ସମୁଦ୍ର ଯାହାଙ୍କର ନିତ୍ୟ ରହିବାର ସ୍ଥାନ, ତାଙ୍କ ପକ୍ଷରେ ଏ ବର୍ଷା—ଏ ତୋଫାନ୍—ଏ ପବନ—ଏ ନଈ କି ଭୟ ଦେଖାଇପାରେ-? ଯେ ଇଚ୍ଛାକଲେ ନିମିଷକେ ମହାସାଗର ଶୁଖାଇ ପାରନ୍ତି, ତାଙ୍କ ପକ୍ଷରେ ନଈବଢ଼ି ବା କି ବଡ଼କଥା-? ସେହି ସାହସରେ—ସେହି କୌତୁକରେ ସିନା ସେ ସେହି ଭୟଙ୍କର ଝଡ଼ ଓ ତୋଫାନ ମଧ୍ୟରେ ନାହା ବୋହିଥିଲେ ! କିନ୍ତୁ ଛାର ମନୁଷ୍ୟ ସୁଦାମା ସେ ଗୂଢ଼ ରହସ୍ୟ—ଇଚ୍ଛାମୟଙ୍କ ଲୀଳାର କଥା ଅବା କ’ଣ ବୁଝିବ ? ତାହା ପକ୍ଷରେ ନାଉରି ଓ ନାହା ସେ ମୁହୂର୍ତ୍ତରେ ଯେ କେତେ ଆଶାର ଓ ସାହସର ସଞ୍ଚାର କରିଥିବ, ତାହା ସେହି ଏକା ଜାଣେ ।

ଘନ ଘନ ବର୍ଷା—ଛତା ଖଣ୍ଡିଏ ନାହିଁ । ଦେହରେ ଥିବା ଲୁଗା ଖଣ୍ଡିକ ତିନ୍ତି ସୁଡ଼ୁବୁଡ଼ୁ ହୋଇଛି—ତାହା ବଦଳାଇବାକୁ ଆଉ ଖଣ୍ଡିଏ ଲୁଗା ନାହିଁ । ମୁଣ୍ଡରେ ପକାଇଛି ଖଣ୍ଡିଏ ଚିରା ଶତସିଆଁ ମଇଳା ଗାମୁଛା । ସେଥିରେ କି ଏଡ଼େ ବର୍ଷା ସମ୍ଭାଳେ ? ଫଳରେ ଚାଳରୁ ପାଣି ଗଡ଼ ପଡ଼ିବା ପରି ଦେହରୁ ପାଣି ବୋହି ଯାଉଛି । ଶୀତରେ ଦେହ ଥରୁଛି । ଏ ଅବସ୍ଥାରେ ସେ ସେଠାରେ ବସି କାହାକୁ ନ ଦେଖି କାହିଁ ମୁଣ୍ଡ ଗୁଞ୍ଜି ବର୍ଷାରୁ ରକ୍ଷା ପାଇବାର ଉପାୟ ନ ପାଇ କେତେ ବ୍ୟସ୍ତ, କେତେ ହତାଶ ହୋଇ ନିଜକୁ କେତେ ଧିକ୍କାର କରୁଛି—ମନେ ମନେ ସୁମତି ଉପରେ କେତେ ବିରକ୍ତ ହୋଇ ଗାଳି ଦେଉଛି, ବେଳେ ବେଳେ କହୁଛି, ‘‘ସୁମତି, ତୋ କଥାରେ କେତେ ବାଟ ଆସିଲି, କେତେ କଷ୍ଟ ସହିଲି, ତଥାପି ତୋର ଆଶା ମେଣ୍ଟାଇବାର ଭରସା ଦେଖୁନାହିଁ । ସତେ ଏଡ଼େ ବର୍ଷା—ଏତେ ଘଡ଼ଘଡ଼ି—ଏତେ ବିଜୁଳିରୁ ଜୀବନ ରହିବ ? ଏ ଆଶା ତ ନାହିଁ । କେତେ ନାହିଁ କଲି, କେତେ ବୁଝାଇଲି, ତୁ ଶୁଣିଲୁ ନାହିଁ । କେବଳ ଧନର ଲାଳସାରେ ମୋତେ ବାଧ୍ୟ କରି ଏଣେ ପଠାଇଲୁ, ବୁଝିଲୁ ନାହିଁ, ଧନ ଚିର ନୁହେଁ—ଧନ ସବୁ ଅନିଷ୍ଟ—ସବୁ ବିପଦ—ସବୁ ଦୁଃଖର ମୂଳ କାରଣ । ସଂସାରର ଯାବତୀୟ ଅନର୍ଥ ଧନରୁ ଜାତ । ବର୍ତ୍ତମାନ ଦେଖ୍, ତୋରି ବୁଦ୍ଧିରେ ପଡ଼ି କି ଦହଗଞ୍ଜ, କି ହଇରାଣ ହେଉଛି, ଆଉ ରକ୍ଷା ନାହିଁ । ଆଉ ତୋତେ ଦେଖିବି, ଏ ଆଶା ବି ନାହିଁ । ହେଇଟି ନଈର ପାଣି ବେଳକୁ ବେଳ ବଢ଼ୁଛି । ଚାରିଆଡ଼ ମାଡ଼ି ଗଲାଣି, ଏଣେ ବର୍ଷାର ପ୍ରକୋପ କ୍ରମାଗତ ବଢ଼ୁଛି । ଏଇଠି ଜୀବନ ଶେଷ ପାଇବ । ଜୀବନର ଶେଷ ମୁହୂର୍ତ୍ତରେ ଥରେ ସେହି ପିଲାଦିନର ସଖା ଶ୍ରୀକୃଷ୍ଣଙ୍କୁ ଦେଖିଥାନ୍ତି । କେତେ ଦିନରୁ ଦେଖି ନାହିଁ ବୋଲି ମନରେ କେତେ ଆଶା ପୋଷିଥିଲି । ସେ ଆଶା ବିଫଳ ହେଲା । ଏ ଜୀବନରେ ସେ ମହାପୁରୁଷଙ୍କର ସାକ୍ଷାତ ସମ୍ଭବପର ନୁହେଁ । ଭଗବାନ୍ ! ତୁମେ ଏକା ବିପଦ—ସାଗରରେ ଆଶା ଭରସାର ସ୍ଥଳ—ଏକମାତ୍ର କର୍ଣ୍ଣଧାର । ତୁମ୍ଭେ ପରା ସବୁ ଦେଖିପାର—ସବୁ ଜାଣିପାର ! ତୁମ୍ଭର ସେହି ପିଲାଦିନର ସଖା—ଏକାନ୍ତ ଭକ୍ତକୁ ଏ ବିପଦରେ ଥରେ ଦେଖା ଦିଅ । ତୁମ୍ଭରି ଲାଗି—ତୁମ୍ଭର ଦର୍ଶନ ପାଇଁ ଆଜି ତାହାର ଜୀବନ ଯିବା ଉପରେ । ସେ ଏକାକୀ, ଅନାଥ । ତାକୁ ରକ୍ଷାକର-। ତାହାର ଜୀବନ ନୌକାଟି ଏଇଠି ବୁଡ଼ିଲା । ସେ ଏତିକି ମନକୁ ମନ କହି ନଈ କୂଳରେ ନୀରବ, ନିଶ୍ଚଳ ହୋଇ ବସିଛି, ଠିକ୍ ଏହି ସମୟରେ କିଏ ଦୂରରୁ—

‘‘ଆସ କିଏ ଅଛ ଭାଇ ରେ

ନାବେ ହୋଇବ ପାରି,

ହେଳା କଲେ ଭେଳା ବୁଡ଼ିବ

ବନ୍ୟା ହେଉଛି ଭାରି ।

ନ ରହିବ କୂଳ ପଦର,

ସବୁ ଯାଉଛି ବୁଡ଼ି,

ଦେଖି ଏ ଭୀଷଣ ବଢ଼ିକି

ପ୍ରାଣ ଯାଉଛି ଉଡ଼ି ।

ଲାଗିଅଛି ଝଡ଼ି ବରଷା,

ବେଗେ ମାରେ ବିଜୁଳି,

ଘଡ଼ି ଘଡ଼ି ଘଡ଼ଘଡ଼ି ତ

ଶୁଣି ହୁଏ ବାତୁଳି,

ହେଲେ ନେବି ଭଙ୍ଗା ନାହାଟି

ଅଛି ମୋର ସାହସ,

ବେଗେ ବେଗେ ଭାଇ ଆସିଣ

ମୋର ନାବରେ ବସ ।’’

ସୁଲଳିତ ସ୍ୱରରେ ଗାଇ ଗାଇ ପଟୁଆଟି ବାହି କୂଳ ଆଡ଼କୁ ଆସୁଛି । ବେଶ ଭୂଷାରୁ ନାଉରି ପିଲା ପରି ଜଣା ପଡ଼ୁଛି । ତାଙ୍କୁ ଦେଖି ସୁଦାମାର ପ୍ରାଣରେ ଟିକିଏ ଆଶାର ସଞ୍ଚାର ହେଲା ମନରେ ଦମ୍ଭ, ସାହସ ଆସିଲା । ପୁଣି ମୃଗୁଣୀର କଥା ମନେ ପଡ଼ିଲା । ସେ କୃତଜ୍ଞତାରେ ଭଗବାନଙ୍କୁ ମନ ମଧ୍ୟରେ କେତେ ନମସ୍କାର କଲା । ଏତେ ଚିହ୍ନା—ଏତେ ବିଶ୍ୱାସ ଥାଇ ମଧ୍ୟ ବୁଝିଲା ନାହିଁ, ନାବିକ ବେଶରେ ସେହି ଭଗବାନ ଶ୍ରୀକୃଷ୍ଣ ତାହାର ଆଗରେ ଦଣ୍ଡାୟମାନ । ସେ ବଡ଼ ଆନନ୍ଦରେ—ଉତ୍ସାହରେ ସେହି ନାହା ଆଡ଼କୁ ଯିବାକୁ ଲାଗିଲା । କିନ୍ତୁ ସେ ଆନନ୍ଦ, ସେ ଉତ୍ସାହ ବହୁ ସମୟ ସ୍ଥାୟୀ ହେଲା ନାହିଁ ।

ସୁଦାମା ତତ୍‌କ୍ଷଣାତ୍ ନାହା ଭିତରେ ବସି ପଡ଼ିଲା, କହିଲା, ‘‘ନାଉରି ଭାଇ ! ଆଉ କେହି ନାହାନ୍ତି । ପାଣି ପବନ ମାଡ଼ି ଆସୁଛି । ଶୀଘ୍ର ନାହା ଛଡ଼ା ।’’

‘‘ଭଡ଼ାଦିଅ—ମୋ ଡଙ୍ଗାରେ ବସ । ନ ହେଲେ ଉଠ ।’’

 

ଏହା ଶୁଣି ସୁଦାମା ଆବାକ୍ । ହାତରେ ଧନ ନାହିଁ—ଭଡ଼ା କାହୁଁ ଦେବ ! ଭାବି କହିଲା, ‘‘ନାଉରି ଭାଇ, ମୁଁ ଜଣେ ଗରିବ ବ୍ରାହ୍ମଣ—ଭିକ ମାଗିବାକୁ ଯାଉଛି । ପଇସା କାହୁଁ ପାଇବି ଯେ ଭଡ଼ା ଦେବି । କଲ୍ୟାଣ କରୁଛି, ତୋର ବହୁତରୁ ବହୁତ ହେଉ । ମୋତେ ଟିକିଏ ଚଞ୍ଚଳ ପାର କରି ଦେ ।’’

 

‘‘ନାହିଁ, ନାହିଁ, ଗୋସେଇଁ, ସେକଥା ପଟିବ ନାହିଁ । କଲ୍ୟାଣ ଫଲ୍ୟାଣରେ ମୋର ଦରକାର ନାହିଁ । ହକ୍ ମୂଲ ଦିଅ, ପାରି କରିଦେବି । ନ ହେଲେ ମୋ ନାହାରୁ ଉଠ ।’’

 

‘‘କହିଲି ପରା ମୋଠି କିଛି ନାହିଁ । ଏତେ ଜୋର କଲେ କୁଆଡ଼ୁ ଦେବି ? ଯାଉଛି ଦ୍ୱାରକା–ମୋର ପିଲାଦିନର ସାଙ୍ଗ କୃଷ୍ଣଙ୍କ ସଙ୍ଗେ ଦେଖା କରିବି । ଫେରିଲା ବେଳେ ତୋତେ ଯାହା ହେବ, ଦେଇଯିବି । ଆଉ ଡେରି କର ନା, ପାରି କରି ଦେ ।’’

 

‘‘ନାହିଁ ହୋ, ସେ ପତିଆରା ଚଳିବ ନାହିଁ । ମୋତେ ପିଲା ଦେଖି ଯେ ଠକି ଦେବାକୁ ବସିଛ, ସେକଥା ପଟିବ ନାହିଁ । ହକ୍ ପଇସା ଦିଅ, ଡଙ୍ଗାରେ ବସ । ନ ହେଲେ ଉଠ । ମୋ ସଙ୍ଗେ ଝିକ୍‌ଝାକ୍ ହୁଅ ନାହିଁ । ଡେରି ହେଉଛି । ମୋ ବାପ ମୋତେ ଗାଳିଦେବ ।’’

 

‘‘ହେଇ, ଦେଖ ମୋ ଅଣ୍ଟା, ମୋ ଗଣ୍ଠିଲି । ମୋଠି କୁଆଡ଼େ ପଇସା ଅଛି ଯେ ଦେବି । ଏତେ ଅବିଶ୍ୱାସ ?’’

 

‘‘ହଉ, ତେବେ ଗୋସାଇଁ ବସ, ବସ । ଆଶା କରି ସିନା ଆସିଥିଲି । ଠକରେ ପଡ଼ିଲି । ବୁଝିଲି ଅତି ଲୋଭରେ ତନ୍ତୀ ମରେ କଥାଟି ଖାଣ୍ଟି ସତ । ଏତକ ତ ବେଠି ଖଟିଲି । ହଉ, ନାହା ଛାଡ଼ିଲା ।’’ ଏହା କହି ନାହାଟି କୂଳରୁ ଛଡ଼ାଇ ଦେଲା ।

 

ଏକେ ତ ନାହାଟି ଛୋଟ, ସେଥିରେ ପୁଣି ପାଣି ଅଧ ନାହାଏ ଅଛି । ଦି ଜଣ ବସିଲାରୁ ତାହା ଭିତରେ ପାଣି ପଶିଲା । ନାହା ମଧ୍ୟ ଏପାଖ ସେପାଖ ହୋଇ ହଲିବାକୁ ଲାଗିଲା । ଏସବୁ ଦେଖି ତ ସୁଦାମା ଭୟରେ ଛାନିଆ । କରେ କ’ଣ ? ଆଉ ବା ତାର ଚାରା କ’ଣ ଅଛି ? ଏକଥା ଭାବି ଭୟରେ କହିଲା, ‘‘ବନ୍ଦ କର, ବନ୍ଦ କର । ତୁ ପିଲାଲୋକ—ନାହା ଆଦୌ ବାହି ଜାଣୁ ନାହିଁ । ମଝି ନଈରେ ବୁଡ଼ାଇ ମାରିବୁ । ମୁଁ ଜାଣିଲିଣି ରେ । ନାହିଁ, ନାହିଁ, ମୁଁ ଆଉ ଯିବିନାହିଁ । ମୋତେ ପହଁରା ପହଁରି ଆସେନାହିଁ । ତୁ ଟିକିଏ କୂଳକୁ ନାହା ଆଉଜାଇ ଦେ, ମୁଁ ଓହ୍ଲାଇ ଯାଏଁ ।’’ କିନ୍ତୁ ସୁଦାମାର ଏକଥା ନ ଶୁଣି ନାଉରି ଶ୍ରୀକୃଷ୍ଣ ନାହା ବାହିବାକୁ ଲାଗିଲେ । ନଈ ଭିତର ଆଡ଼କୁ ନାହା ଯେତିକି ଯିବାକୁ ଲାଗିଲା, ସେଥିରେ ସେତିକି ପାଣି ପଶିଲା, ଫଳରେ ସୁଦାମାର ଭୟ ବଢ଼ିଲା । ଠିକ ମଝି ନଈରେ ନାହାଟି ଉବେଇ ଟୁବେଇ ହେବାକୁ ଲାଗିଲା । ସେତେବେଳେ ସୁଦାମାର ଭୟ କହିଲେ ନ ସରେ । ନାଉରି ନାହା ନେବାକୁ ଯେତିକି ଆହୁଲା ମାରୁଛି, ନାହାଟି ସେତିକି ହଲୁଛି, ସେଥିରେ ସେତିକି ପାଣି ପଶୁଛି । ଶେଷରେ ସେ ସବୁ ଛାଡ଼ିଦେଇ ତୁନି ହୋଇ ରହିଲା—ତାକୁ ଆଉ ଉପାୟ ଦେଖାଗଲା ନାହିଁ ।

 

ସୁଦାମା ଆଉ ଏତେବେଳେ କରେ କ’ଣ ? ମନେ ମନେ ନିଜକୁ କେତେ ଧିକ୍କାରିଲା, ‘‘କାହିଁକି ଆସିଲି ? ନାହିଁ କରୁଥିଲା ଓହ୍ଲାଇ ଯାଇଥିଲେ ଭଲ ହୋଇଥାନ୍ତା । କାହିଁକି ପିଲା ଡଙ୍ଗାଟାରେ ଏ ଝଡ଼ି—ଏ ବଢ଼ି—ଏ ତୋଫାନରେ ଆସିଥାନ୍ତି ? କି ଦୁର୍ବୁଦ୍ଧି ଘୋଟିଲା ? କ’ଣ କରିବି? ସୁମତି ! ତୋଠାରୁ ଏଠି ଶେଷ ବିଦାୟ ନେଲି । ଏଇଠି ମୋର ସଂସାର ପାରିହେବା ସରିଲା ।’’ ଏତିକି କହି ମନେ ମନେ ଶ୍ରୀକୃଷ୍ଣଙ୍କୁ ସୁମରିଲା ।

 

ଠିକ୍‍ ଏତିକି ବେଳେ ନାଉରି କହିଲା, ‘‘ଗୋସାଇଁ, କଥା ସରିଲା, ମୋର ଆଉ କିଛି ଉପାୟ ନାହିଁ । ତୁମେ ତୁମ ଇଷ୍ଟଦେବତାଙ୍କୁ ସ୍ମରଣ କର, ଆଉ ରକ୍ଷାନାହିଁ ।’’

 

ତାହାଠାରୁ ଏତକ କଥା ଶୁଣି ସୁଦାମାର ଦେହ କାଠ ହୋଇଗଲା, ପାଟିରୁ କଥା ବାହାରିଲା ନାହିଁ, ବଡ଼ କଷ୍ଟରେ କହିଲା, ‘‘ଭଗବାନ ଶ୍ରୀକୃଷ୍ଣ, ତୁମେ ବିପଦଭଞ୍ଜନ—କେତେ ବିପଦରୁ ଯେ ଉଦ୍ଧାର କରିଛ ତାହାର କଳନା ନାହିଁ । ବର୍ତ୍ତମାନ ଏ ବିପଦରେ ତୁମେ ଏକମାତ୍ର ସାହା ଓ ଭରସା, ରକ୍ଷାକର ପ୍ରଭୋ !’’

 

ଠିକ୍ ଏହି ସମୟରେ ବର୍ଷା କମି ଆସିଲା—ପବନର ଗତି କମିବାକୁ ଲାଗିଲା । ନଈସୁଅରେ ନାଆଟି କୂଳଆଡ଼କୁ ଆପେ ଆପେ ଭାସି ଯିବାକୁ ଲାଗିଲା । ଏସବୁ ଦେଖି ସୁଦାମାର ଟିକିଏ ସାହସ ହେଲା । ସେ କହିଲା, ‘‘ନାଉରି, ଏଥର ଆହୁଲା ମାର ।’’ ନାଉରି ମଧ୍ୟ ଆହୁଲା ମାରି କୂଳରେ ନାହାଟି ଲଗାଇ ଦେଲା ।

 

କୂଳରେ ପହଞ୍ଚି ସୁଦାମା ଶ୍ରୀକୃଷ୍ଣଙ୍କୁ କେତେ ସ୍ତୁତିକଲା, କେତେ କୃତଜ୍ଞତା ଜଣାଇଲା । ନାଉରି ପିଲାକୁ ବି ବହୁତ ଆଶୀର୍ବାଦ କଲା । ତାପରେ ଯିବାକୁ ବସିଲା । ଏଣେ ନାଉରି ଶ୍ରୀକୃଷ୍ଣ ତରତର ହୋଇ ତାହା ଆଗରେ ଚାଲିଗଲେ ।

 

ସୁଦାମା ଖଣ୍ଡେ ଦୂର ଯାଇଛି, ଗୋଟାଏ ଭାରି ଜଙ୍ଗଲ ପଡ଼ିଲା । କରେ କ’ଣ ? ଯୁଆଡ଼ୁକୁ ଚାହିଁଲା, ସେଆଡ଼ ଖାଇ ଗୋଡ଼ାଇଲା ପରି ଲାଗିଲା । ବେଳେ ବେଳେ ବାଘର ଶବ୍ଦ ବି ଶୁଣିବାକୁ ମିଳିଲା । ସେତେବେଳେ ସୁଦାମା ଭୟରେ ତ୍ରସ୍ତ ହୋଇ ନିଜକୁ କେତେ ଧିକ୍କାର କଲା—ସୁମତିକୁ ମନେ ମନେ କେତେ ଗାଳିଦେଲା, କିନ୍ତୁ ଉପାୟହୀନ ହୋଇ ସେହି ଭଗବାନଙ୍କୁ ଡାକି ଡାକି କେତେବେଳେ ବେଗରେ, କେତେବେଳେ ଅବା ଧୀରେ ଧୀରେ ଚାଲି ଜଙ୍ଗଲଟି ପାରି ହେବାକୁ ଉଦ୍ୟମ କଲା । ଖଣ୍ଡେ ଦୂର ବଣ ଭିତରେ ଗଲାଣି ଭାରି, ଦେଖିଲା ରାସ୍ତା ଆଢ଼ୁଆଳରେ କଳା କଳା ଡେଙ୍ଗା ଦିଇଟା ଲୋକ ଚିତାଏ ଚିତାଏ ଲମ୍ୱା ଗଣ୍ଠିଆ ବାଉଁଶ ଠେଙ୍ଗା ଦିଇଟା ଧରି ଛିଡ଼ା ହୋଇଛନ୍ତି । ସେ ମାରଣା ଲୋକ ଦିଟାଙ୍କୁ ଦେଖି ସୁଦାମାର ହୋସ ବୁଡ଼ିଗଲା । ସେ ଥକ୍କାହୋଇ ସେଠି ଛିଡ଼ା ହୋଇ ରହିଲା । କରିବ ବା କ’ଣ ? ପଳାଇ ଯିବାର ଉପାୟ ତ ନାହିଁ । ଯେଉଁ ଆଡ଼କୁ ଅନାଉଛି, ସେଆଡ଼େ ବଣ କେହି ଲୋକ ଯିବା ଆସିବା କରିବାର ତ ଦିଶୁନାହିଁ । କାହାକୁ ବା ଡାକିବ ? କିଏ ବା ଉଦ୍ଧାର କରିବ ? କେବଳ ‘‘ନିରାଶ୍ରୟଂ ମାଂ ଜଗଦୀଶ ରକ୍ଷ’’ ନ୍ୟାୟର ଭଗବାନଙ୍କୁ ଆତୁର ପ୍ରାଣରେ ଡାକିବାକୁ ଲାଗିଲା ।

 

ଚାହୁଁ ଚାହୁଁ ସେ ଲୋକ ଦିଇଟା ତା ଆଡ଼କୁ ମାଡ଼ି ଆସିଲେ । ସେମାନଙ୍କ ମଧ୍ୟରୁ ଜଣେ ବୁଢ଼ା, ଆର ଜଣକ ଭେଣ୍ଡା । ଦୁହିଁକି ଦୁହେଁ ବେଶ ମୋଟାସୋଟା, ବଳୁଆ ଓ ଭାରି ସିଆଣିଆ । ଦେଖିଲେ ଜୀଅନ୍ତା ଯମ ପରି ଦିଶୁଛନ୍ତି । ସେହିକ୍ଷଣି ସେ ବିଚାରାର ଚାରିପାଖେ ଘେରିଗଲେ । ଯୁବକ ଲୋକଟି ତାକୁ ତଳେ ପକାଇ ଦେଇ ମାଡ଼ିବସିଲା, ଆର ଜଣକ କୌଶଳରେ ତାହାର କାଖତଳୁ ତାର ଗଣ୍ଠିରାଟି ଛଡ଼ାଇ ନେଲା । ଏସବୁ ବ୍ୟାପାରରେ ସୁଦାମାର ପାଟିରୁ କଥା ବାହାରିଲା ନାହିଁ । କେତେ ସମୟ ପରେ ସେ ଦିଇଟାଙ୍କ ଗୋଡ଼ଧରି କହିଲା, ‘‘ଭାଇ ହେ, ବୃଥାରେ କାହିଁକି ମତେ ହଇରାଣ କରୁଛ ? ମୋ ପାଖରେ କିଛି ନାହିଁ । ମୁଁ ନିତାନ୍ତ ଗରିବ ବ୍ରାହ୍ମଣ-। କେତେ ଶ୍ରଦ୍ଧାରେ ସୁମତି ଦି’ ମୁଠା ଖୁଦଭଜା ଶ୍ରୀକୃଷ୍ଣ ପାଇଁ ଦେଇଛି । ତାକୁ ନେଇ କ’ଣ କରିବ ? ମୋତେ ମାର ବା ଯାହାକର, ଶ୍ରୀକୃଷ୍ଣଙ୍କ ଜିନିଷରେ ହାତ ଦିଅ ନାହିଁ ।’’ ସେ ଦିଇଟା ବା କାହିଁକି ଏକଥା ଶୁଣନ୍ତେ ? ସେମାନେ ତ ଲୋଭର ପାଗଳ—ଧନପାଇଁ ଅତ୍ୟାଚାର କରିବା, ଠକିବାକୁ ମୂଳ କାମକରି ଧରିଛନ୍ତି । ସେମାନେ ତ ଅର୍ଥଗ୍ରାହୀ ସନ୍ୟାସୀ, ଦଣ୍ଡ ପ୍ରମାଣରେ ଭୁଲିବେ ବା କିମିତି ? ତେଣୁ ସୁଦମାର କାକୁତି, ମିନତିରେ ଭ୍ରୂକ୍ଷେପ ନ କରି ତାର ବୁଜୁଳାଟି ଫିଟାଇ ପକାଇଲେ, ଦେଖିଲେ, ଖାଲି ପୋଡ଼ା ଖୁଦଭଜା ଆଉ କିଛି ନାହିଁ । ସେଥିରେ ତାହା ପ୍ରତି ଅନୁକମ୍ପା କରିବେ କ’ଣ ଭାରି ରାଗିଯାଇ ତାକୁ ଗୋଟାକେତେ ମାଡ଼ ଦେଲେ ଓ ତାହାର ପିନ୍ଧିଲା ମଇଳା ଲୁଗା ଖଣ୍ଡିକ କିତିକିତା କରି ଚିରିଦେଇ ଚାଲିଗଲେ । ସୁଦାମା ବିଚାରା ରକ୍ଷା ପାଇଲା ସତ, କିନ୍ତୁ ତାହା ମନରୁ ଭୟ ଗଲା ନାହିଁ । କାଳେ ସେ ଦୁଇଟା ଫେରି ପୁଣି ବାଡ଼େଇବେ, ଏହି ଭୟରେ ସୁଦାମା ବିଚାରା ଝାଡ଼ି ଝୁଡ଼ି ହୋଇ ଉଠି ଗଣ୍ଠିଲାଟି ବାନ୍ଧି ସେହି ବଣେ ବଣେ ଦ୍ୱାରକା ଆଡ଼କୁ ତର ତର ହୋଇ ଯିବାକୁ ଲାଗିଲା ।

 

ଖଣ୍ଡେ ଦୂର ଯାଇଛି ତାକୁ ବଡ଼ ଭୟ ଲାଗିଲା । ସେ ସେହି ଦୁଇଟା ଡକାଏତଙ୍କ କଥା ଭାବୁଛି—ହଠାତ୍ ତାର ଦୃଷ୍ଟି ଦଳେ ବଣ ହାତୀଙ୍କ ଉପରେ ପଡ଼ିଲା । ଦନ୍ତା ହାତୀର ଲମ୍ୱା ଲମ୍ୱା ଗୋଜିଆ ଦାନ୍ତ ଓ ଭୟଙ୍କର ଆକାର ଦେଖି ସୁଦାମା ଭୟରେ ତହର ହେଲା । କ’ଣ କରିବ, କୁଆଡ଼େ ଯିବ, ଏହି ଚିନ୍ତା ତା ମନରେ ପଡ଼ିଲା । ସେ ଭାବିଲା, ‘‘ମୋଠୁଁ ବଳି ଛୋଟ କପାଳିଆ କେହି ନାହିଁ । ଗୋଟିଏ ବିପଦ ପାର ହୋଇଛି କି ନା, ଆହୁରି ବିପଦ । ଏଥର ଆଉ ରକ୍ଷା ପାଇବାର ଉପାୟ ନାହିଁ । ସୁମତି, ତୋତେ ଆଉ ଦେଖିବି ନାହିଁ । ଆଜି ତୋଠାରୁ ଶେଷ ବିଦାୟ ଆଉ ତୁ ମୋ କଥା ଭାବି ଦୁଃଖ କରିବୁ ନାହିଁ ।’’ ଏହିପରି କେତେ କଥା ଭାବି ସେଠି ଟିକିଏ ଠିଆ ହୋଇଛି କି ନା, ଚାହିଁଲା ସେ ବଣ ହାତୀଗୁଡାକ ତା ଆଡ଼କୁ ମାଡ଼ି ଆସୁଛନ୍ତି । ସେ ଆଉ କିଛି ଭାବି ପାରିଲା ନାହିଁ—ମନେ କଲା, ‘‘ସଖା, ତୁମକୁ ଥରେ ଦେଖିବାର ଭାଗ୍ୟ ବି ମୋର ନାହିଁ—ହଉ ସଖା, ବିଦାୟ ।’’ ଏହି ସମୟରେ ସେ କୃଷ୍ଣଙ୍କୁ ମନ ମଧ୍ୟରେ ଆର୍ତ୍ତରେ ଡାକି ଡାକି ବାଟ ପାଖରେ ଥିବା ଗୋଟିଏ ବଡ଼ ଲମ୍ୱା ଶାଳଗଛର ଆଢ଼ୁଆଳକୁ ଚାଲିଯାଇ ସେଠାରେ ଥକା ହୋଇ ଠିଆ ହୋଇ ପଡ଼ିଲା । ଏଣେ ବଣ ହାତୀପଲଟା କୁଆଡ଼େ ଭୟ ପାଇଲା ପରି ବଣ ଭିତରକୁ ପଳାଇଗଲେ । ସୁଦାମା ବିଚାରା ଅଳ୍ପକେ ରକ୍ଷା ପାଇଗଲା । ଏହି ଆକସ୍ମିକ ଘଟଣାରେ ତାହାର ମନରେ ଟିକିଏ ଦମ୍ଭ ଆସିଲା ସତ, କିନ୍ତୁ ମନରୁ ଭୟ ଦୂର ହେଲା ନାହିଁ । ସେ ନିଜକୁ ଧିକ୍କାରି ଧିକ୍କାରି ସେହି ବଣଭିତରେ ଭୟରେ ଯିବାକୁ ଲାଗିଲା । ଆଉ ବା ତାର ଉପାୟ କ’ଣ ଅଛି ? ଫେରି ଗଲେ ଯେଉଁ ବଣ, ଚାଲିଲେ ବି ସେହି ବଣ, ଯୁଆଡ଼େ ଚାହିଁଲେ ସେ ଆଡ଼େ ବଣ । ତେଣୁ ବାଧ୍ୟ ହୋଇ ଆଗକୁ ଚାଲିଲା ।

 

ଝଡ଼ ସଙ୍ଗେ ତୋଫାନ ଆସିଲା ପରି, ବିଜୁଳୀ ସଙ୍ଗେ ଘଡ଼ଘଡ଼ି ହେବାପରି, ବିପଦ ପରେ ବିପଦ ମାଡ଼ି ଆସିଲା । ଏଇଟା ହେଲା ପ୍ରକୃତିର ଗତି । ଭଗବାନ ପରୀକ୍ଷା ସକାଶେ ଏପରି ଭିଆନ୍ତି କି ଦୁର୍ଭାଗ୍ୟରୁ ଏପରି ଘଟେ, ଯେ ଯେ ଭାବରେ ଗ୍ରହଣ କରୁ ପଛେ, ଏପରି ଭୋଗିବା ସୁନିଶ୍ଚିତ । ଧନୀ—ଗରିବ, ରାଜା—ପ୍ରଜା, ପିଲା—ବୁଢ଼ା—କେହି ଏଥିରୁ ବାଦ ଯିବେ ନାହିଁ । ସୁଦାମା ବିଚରା ବା କିପରି ଛାଡ଼ ପାଇବ ? ସତକୁ ସତ, ସେ ଖଣ୍ଡେ ଦୂର ଯାଇଛି କି ନାହିଁ, ଦୂରରୁ ଦେଖିଲା ଦୁଇଟା ଭାଲୁ କାମୁଡ଼ା କାମୁଡ଼ି ହୋଇ ତାହା ଆଡ଼କୁ ଧାଇଁଛନ୍ତି । ସେ ଦେଖିଲା, ଏଥର ଆଉ ଏମାନଙ୍କଠାରୁ ରକ୍ଷା ନାହିଁ । ପ୍ରାଣର ବ୍ୟାକୁଳତାରେ ମନେ ମନେ କୃଷ୍ଣଙ୍କୁ ଡାକିବାକୁ ଲାଗିଲା-। ଆଉ ବା ତାର କି ଉପାୟ ଅଛି ? ସେ ହଠାତ୍ ଥକା ହୋଇ ସେଠି ବସି ପଡ଼ିଲା । ତାହାର ବିଶ୍ୱାସ ଥିଲା, ଏପରି ତୁନି ହୋଇ ରହିଗଲେ, ସେ ଜନ୍ତୁ ଦୁଇଟା ଚାଲିଯିବେ । ସେ ତ ଏତକ ବଣୁଆଙ୍କଠାରୁ ଆଗରୁ ଶୁଣିଥିଲା—ତୁନି ହୋଇ ରହିଗଲେ, ଭାଲୁ କାମୁଡ଼େ ନାହିଁ । ତେବେ ତ ତାହାର ପୂର୍ବରୁ ଅନୁଭୂତି ନ ଥିଲା—ଖାଲି କଥାରେ ଯାହା ଶୁଣିଥିଲା । ହିଂସ୍ରଜନ୍ତୁ ଦିଟାଙ୍କ ସାମନାରେ ସେ ବା କିପରି ନିର୍ବୁଦ୍ଧିଆପଣରେ ବସି ରହିବ, ପାଟିତୁଣ୍ଡ ଫିଟାଇବ ନାହିଁ, ହାତ ଗୋଡ଼ ହଲାଇବ ନାହିଁ, ପାଖରେ ଜନ୍ତୁ ପହଞ୍ଚିଗଲେ ବି ମୁଣ୍ଡିଆ ଉପରେ ପଥର ଠିଆ ହେଲାପରି ଠିଆ ହୋଇ ରହିବ, ଏହା କି ନୂଆ ଭାଲୁ ସାମନାରେ ପଡ଼ିବା ଲୋକ ପକ୍ଷରେ ସହଜ—ସେ ତ ଆଦୌ ବୁଝି ପାରିଲା ନାହିଁ । ତେବେ ଉପାୟ ନ ଦେଖି ତୁନି ହୋଇ ବସି ଭଗବାନଙ୍କୁ ଡାକିବାକୁ ଲାଗିଲା । ସତକୁ ସତ, ଭଗବାନ ତା ଡାକ ଶୁଣିଲା ପରି ଟିକିଏ ଯାଇଛି, ଦୂରରୁ ମଣିଷର ପାଟି ଶୁଭିଲା । ଚାହିଁ ଦେଖେ ତ, ଗୋଟାଏ ବାଣୁଆ ସେ ଜନ୍ତୁ ଦିଟାଙ୍କୁ ଗୋଡ଼ାଇବାରୁ ସେମାନେ ଜୀବନ ବିକଳରେ ପଳାଇଛନ୍ତି । ସେତେବେଳେ ଜୀବନ ରକ୍ଷା ତ ବଡ଼ କଥା, ଶିକାର ଦେଖି ବା କିଏ ଲୋଭ କରୁଛି—ବିଶେଷରେ ଭାଲୁ ତ ମଣିଷ ମାଂସ ଖାଏ ନାହିଁ, କେବଳ କାମୁଡ଼ି ଖଣ୍ଡିଆ କରିଦିଏ। ସେତେବେଳେ ଏହା କରିବାକୁ ବା ତର କୁଆଡ଼େ ଅଛି ? ସୁଦାମା ତ ତୁନି ହୋଇ ଅଛି, ତାଠାରୁ ତ ଭୟ କରିବାର ଆଶଙ୍କା ନାହିଁ । ତେଣୁ ତାକୁ ନ ଦେଖିଲା ପରି ଜନ୍ତୁ ଦୁଇଟା ପଳାଇଛନ୍ତି, କିନ୍ତୁ ସେଥିରେ ମଧ୍ୟ ରକ୍ଷା ମିଳିଲା ନାହିଁ । ଠିକ୍ ଏତିକିବେଳେ ବାଣୁଆ ଦୁଇଟା ଶର ମାରି ଜନ୍ତୁ ଦୁଇଟାଙ୍କୁ ତଳେ ପକାଇ ଦେଲା । ସେ ଶରରେ କି ବିଷ ଥିଲା କେ ଜାଣି, ଆଖି ପିଛାଳିବା ମାତ୍ରକେ ଦିଟା ଯାକ ଜନ୍ତୁ ଟିକିଏ ଗୋଡ଼ ବାଡ଼େଇ ହୋଇ ମରିଗଲେ । ଏ ଘଟଣା ଦେଖି ସୁଦାମା କାଠ ହୋଇଗଲା । ଏହି ସମୟରେ ସେ ବାଣୁଆଟି ମଧ୍ୟ ସେଠି ପହଞ୍ଚିଗଲା । ତା’ର ତ ଦୃଷ୍ଟି ଜନ୍ତୁଙ୍କ ଉପରେ – ସେ ସୁଦାମାକୁ ଲକ୍ଷ କରିବ କାହିଁକି ? ତେବେ ସୁଦାମା ତାକୁ ଦେଖି ପ୍ରଥମେ ଟିକିଏ ଭୟ କଲା—କିଛି କହି ପାରିଲା ନାହିଁ । ପରେ ତାର ରୂପ ଲାବଣ୍ୟ ଦେଖି ତାର ସାହାସ ହେଲା, ମନରେ ଭକ୍ତି ଉଇଁଲା ଯେପରି ସେ ବାଣୁଆଟି ତାହାର ଜୀବନଦାତା ପୂର୍ବ ପରିଚିତ । କିନ୍ତୁ ଚିହ୍ନି ପାରିଲା ନାହିଁ । ତେବେ ସେ ତାହା ପାଖକୁ ଯାଇ ତାକୁ କେତେ ଆଶୀର୍ବାଦ କଲା, କେତେ ପ୍ରଶଂସା କଲା । ପ୍ରାଣଦାତାଠାରେ କାହାର ବା ହୃଦୟ ଭକ୍ତିରେ, କୃତଜ୍ଞତାରେ ପ୍ରଣତ ନ ହୁଏ ? ସୁଦାମା ତାକୁ କେତେ ମିନତି କଲା—କହିଲା, ‘‘ଭାଇ, ତୁମ୍ଭ ସକାଶେ ଆଜି ରକ୍ଷା ପାଇଲି । କେଉଁ ଜନ୍ମରେ ତୁମ୍ଭର ଋଣ ପରିଶୋଧ କରିବି ? ମୋର ବା କ’ଣ ଅଛି ? କ’ଣ ଦେବି-? ଭିକ ମାଗି ତ ବଞ୍ଚୁଛି । ଏତିକି ପ୍ରାର୍ଥନା କରୁଛି, ଭଗବାନ ତୁମ୍ଭର ମଙ୍ଗଳ କରନ୍ତୁ ।’’ ଏତିକି କହି ସେଠାରୁ ବିଦାୟ ନେଇ ଚାଲିଗଲା ।

 

ଖଣ୍ଡେ ଦୂର ଜଙ୍ଗଲ ଭିତରେ ଗଲା ପରେ ତା’ ମନରୁ ଟିକିଏ ଭୟ କମିଗଲା । ତାକୁ ତ ଭାରି ବାଧା ହେଉଥିଲା । ସେଥିରେ ପୁଣି ସେ ଦୁଇଟା ଲୋକଠୁ ମାଡ଼ ଖାଇଛି । ବଡ଼ ହାଲିଆ ହୋଇ ସେଠି ବସି ପଡ଼ିଲା । ‘‘ଏଣେ ଭାରି ଶୋଷ ହେଉଛି । କରିବି ବା କ’ଣ ? ପାଣି ବା କୁଆଡ଼ୁ ପାଇବି ?’’ ଏ କଥା ଭାବୁଛି, ଠିକ୍ କଲା, ‘‘ଆଉ ଦ୍ୱାରକା ଯାଇ ପାରିବି ନାହିଁ । ମଇଳା ପୁରୁଣା ହୋଇ ଖଣ୍ଡିଏ ଲୁଗା ପିନ୍ଧିଥିଲି ଯେ ସେ ଖଣ୍ଡି ତ ଗଲା । ଆଉ କଣ ପିନ୍ଧି କିମିତି ବା ଯିବି ? ନାହିଁ ଏଇ ଥରକ ଘରକୁ ଫେରିଯିବି । ସୁମତି ରାଗ କଲେ ଆଉ ପ୍ରାଣ ରଖିବି ନାହିଁ ।’’ ଏହିପରି ମନେ ମନେ ଭାବୁଛି, ନିକଟରେ କେହି କଥାବାର୍ତ୍ତା ହେଉଥିବାର ଶୁଣି ପାରିଲା । ଏଥିରେ ତା ମନରେ ପୁଣି ଭୟ ହେଲା—କାଳେ ଏ ଗୁଡ଼ାକ ମାରଣା ହୋଇ ଥିବେ ? ଏଠାରୁ ପଳାଇଲେ ରକ୍ଷା ଭାବି ସେ ଯିବାକୁ ଲାଗିଲା । ଅଳ୍ପ ଦୂର ଯାଇଛି, ଦେଖିଲା, ଜଣେ ସନ୍ନ୍ୟାସୀ ଧ୍ୟାନମଗ୍ନ—ଆଉ କେତେ ଜଣ ତାଙ୍କ ପାଖେ ବସି ବେଦପାଠ କରୁଛନ୍ତି । ଆଶ୍ରମର କୁଡ଼ିଆଗୁଡ଼ିକ ସୁନ୍ଦର ଦିଶୁଛି । ଏ ସବୁ ଦେଖି ତାହାର ଟିକିଏ ସାହାସ ହେଲା—ଭୟ କମିଗଲା । ବାବାଜିଙ୍କର ପ୍ରଶାନ୍ତ ମୂର୍ତ୍ତୀ, ଅଙ୍ଗ—ସୌଷ୍ଠବ, ଆଜାନୁଲମ୍ୱିତ ବାହୁଯୁଗଳ, ଦୀର୍ଘ ଲଲାଟ ଓ ପୃଷ୍ଠ ଦେଶରେ ଲମ୍ବମାନ ଜଟା ଦେଖି ତାର ମନରେ ଭକ୍ତି ଜାତ ହେଲା । ସେ ବାବାଜିଙ୍କ ପାଦତଳେ ପ୍ରଣାମ କରି ସେମାନଙ୍କ ଅଦୂରରେ ବସି ରହିଲା । ଅଳ୍ପ ସମୟ ଯାଇଛି, ସନ୍ନ୍ୟାସୀଙ୍କର ଧ୍ୟାନ ଭଙ୍ଗ ହେଲା । ସୁଦାମା ବିଳମ୍ୱ ନ କରି ତାଙ୍କ ପଦତଳେ ପୁଣି ପଡ଼ି ପଦଧୂଳି ମୁଣ୍ଡରେ ଲଗାଇ ନିଜକୁ ପୁଣ୍ୟବାନ ମନେ କଲା । ସନ୍ନ୍ୟାସୀ ତାହାର ଏ ଦୂରବସ୍ଥା ଦେଖି ଅନୁକମ୍ପାରେ ତାର ଦୁଃଖ କଥା ବୁଝିବାକୁ ଲାଗିଲେ । ସୁଦାମା ଏ ଆଶ୍ୱାସନା ଅଭୟ ପାଇ ନିଜର ଦୁଃଖ କଥା ଓ ବାଟରେ ଯେ ସବୁ ବିପଦ ଭୋଗିଥିଲା, ସବୁ ଜଣାଇଲା । ସନ୍ନ୍ୟାସୀ ବୁଝିଲେ ତାର ଭାରି ଦୁଃଖ—ଭାରି କଷ୍ଟ । ସେ ସେହି କଥା ଭାବି ବଡ଼ ବ୍ୟସ୍ତ ହେଉଛି ତା ମନରେ ଶାନ୍ତି ଆଣିବା ଲାଗି ଉପଦେଶ ଛଳରେ କହିଲେ, ‘‘ବାବା, ଏ ସଂସାରଟା ନାନା ଛଳନାମୟ, ପ୍ରତାରଣାରେ ପୂର୍ଣ୍ଣ । ତୁମ୍ଭେ ଯାହାକୁ ବିଶ୍ୱାସ କର, ନିଜର ବୋଲି ଭାବ, ସେ ଯେ ସ୍ୱାର୍ଥ ଲାଗି ତୁମ୍ଭର ଅନିଷ୍ଟ କରେ, ଏ କଥା ତୁମ୍ଭେ ବିଶ୍ୱାସ କର ନାହିଁ । ସେ ସମ୍ୱନ୍ଧରେ ତୁମ୍ଭଙ୍କୁ ଯେ ବା କହେ, ତୁମ୍ଭେ ତାହା ଉପରେ ବିରକ୍ତ ହୁଅ । ତୁମ୍ଭେ ତାହାର ଭୁଲାଣିଆ କଥାରେ, ବାହ୍ୟ ଆପାତ ମଧୁର ଭକ୍ତିରେ ନିଜକୁ ଭୁଲିଯାଅ, ତାହାକୁ ନିଜର ବୋଲି କୋଳ କର । ସେତେବେଳେ ସେ ନିଜର ଅଭୀଷ୍ଟ ସାଧନାର ସୁବିଧା ଦେଖି ତୁମ୍ଭର ଘୋର ଅନିଷ୍ଟ କରେ । ତେଣୁ ସବୁବେଳେ ଏପରି ମହାକାଳ ଫଳ ସମାନ ବିଶ୍ୱାସୀ ଲୋକଙ୍କଠାରୁ ଦୂରରେ ରହିବ । ଯେତେ ବିପଦ ଘଟିଲେ ମଧ୍ୟ ସେହି ଭଗବାନଙ୍କଠାରେ ନିର୍ଭୟ ରଖି ତାହାଙ୍କୁ ସ୍ମରଣ କରି କାମ କରିବା । ସେହି ଏକା ନିରାଶ୍ରୟର ଆଶ୍ରୟ—ପତିତର ତ୍ରାଣକର୍ତ୍ତା—ନିର୍ଦ୍ଧନର ଧନ—ଅନ୍ଧର ନୟନ—ବଧିରର କର୍ଣ୍ଣ ।’’ ଏ ସବୁକଥା ଶୁଣିବା ବେଳେ ସୁଦାମାର ଦୁଇ ଆଖରୁ ଦୁଇ ଧାର ଲୁହ ବୋହିଗଲା । ସେ କି ଧନ ଲାଲସାରେ—କି ତୁଚ୍ଛ ପଦାର୍ଥ ଆଶାରେ—ଏତେ ବିପଦ ଯେ କାହିଁକି ବରଣ କରୁଛି, ଭାବି ଭାବି ନିଜକୁ ମନେ ମନେ କେତେ ଧିକ୍କାର କଲା । ପରେ ସନ୍ନ୍ୟାସୀଙ୍କ ପ୍ରବୋଧ କଥାରେ ସବୁ ଭୁଲି ଯାଇ ସେଠାରେ ଜଳ ପାନ କରି ଓ ଫଳମୂଳ ଭକ୍ଷଣ କରି ବିଶ୍ରାମ କଲା । ସନ୍ନ୍ୟାସୀ ସୁଦାମାର ନିର୍ମଳ ହୃଦୟର ପରିଚୟ ପାଇ ଲୁଗା ଓ ଚଦର ଦୁଇଖଣ୍ଡି ଦେଇ କହିଲେ, ‘‘ବାବା ଲୁଗା ନ ଥିବାରୁ ତୁମ ମନରେ ଭାରି ଦୁଃଖ ହେଉଛି—ଯେଉଁ କାମରେ ଏତେ କଷ୍ଟ ସହିଲଣି, ତାକୁ ଛାଡ଼ି ଦେଇ ଘରକୁ ଫେରି ଯିବାକୁ ମନେ କରୁଛି । ନିଅ, ଏହାକୁ ପିନ୍ଧି ରାଜ–ଦରବାରକୁ ଯାଅ । ମନେ ରଖ, ସେ ମଧ୍ୟ ବଡ଼ ବିପଦର ସ୍ଥାନ । ସେଠାରେ ନାନା ଠକ, ପ୍ରତାରକ, ଶଠ ଥାଆନ୍ତି । ସେମାନେ ତୁମ୍ଭର ନିରୀହ ବ୍ୟବହାର, ନିରାଡ଼ମ୍ୱର ବେଶ, ସରଳ ସ୍ୱଭାବ ଓ ନିଷ୍କପଟ କଥାରେ ତୁମ୍ଭର ନାନା ଅନିଷ୍ଟ କରିବେ । ତେଣୁ ସବୁବେଳେ ସାବଧାନ ଥିବ । କେବଳ ରାଜା ଭଲ ବୋଲି ସମସ୍ତେ ଭଲ, ତାହା ଭାବିବ ନାହିଁ ।’’ ଏ କଥା ଶୁଣି ସୁଦାମା କହିଲା, ‘‘ଯାହା ହେବାର ହେଲାଣି—ଏଠାରୁ ଫେରିଯିବି । ମୋର ଆଉ କିଛି ଲୋଡ଼ା ନାହିଁ ।’’

 

‘‘ନାହିଁ, ବାବା, ଫେରି ଯାଇ କିଛି ଲାଭ ନାହିଁ । ଯେଉଁ ଉଦ୍ଦେଶ୍ୟରେ ଏତେ କଷ୍ଟ ସହିଲିଣି, ଯାଅ,ତାହା କର, ନ ହେଲେ ମନରେ ଅବଶୋଷ ରହିବ, ତାହା ମରଣ ଠାରୁ ବେଶୀ ଦୁଃଖଦାୟକ ଓ କଷ୍ଟପ୍ରଦ ହେବ ।’’

 

ସନ୍ନ୍ୟାସୀଙ୍କ କଥାର ତାତ୍ପର୍ଯ୍ୟ ସୁଦାମା ବୁଝି ପାରିଲା ନାହିଁ । କ୍ଲାନ୍ତି ହେତୁ ସେଠାରେ ଶୋଇ ପଡ଼ିଲା । କିଛି ସମୟ ପରେ ନିଦରୁ ଉଠି ଦେଖେ ତ ସେ ଆଶ୍ରମ ନାହିଁ, ସେ ସନ୍ନ୍ୟାସୀ ନାହାନ୍ତି ବା ତାଙ୍କର ଶିଷ୍ୟମାନେ ନାହାନ୍ତି ! ତାକୁ ଏ ସବୁ ଘଟଣା ପ୍ରହେଳିକା ପରି ବୋଧହେଲା । ସେ ନାନା ଦୋଦପାଞ୍ଚ ହୋଇ କିଛି ବୁଝି ପାରିଲା ନାହିଁ । ଯେତେବେଳେ ଦେଖିଲା ସନ୍ନ୍ୟାସୀ ଦେଇଥିବା ଲୁଗା ଓ ଚଦର ଖଣ୍ଡି ରହିଅଛି, ଉଭେଇ ଯାଇ ନାହିଁ, ସେତେବେଳେ ତାହାର ମନରେ ଧାରଣା ଆସିଲା, ଏ ସବୁ ଶ୍ରୀକୃଷ୍ଣଙ୍କ ମାୟା—ସେ ନାନା ଭାବରେ ମୋତେ ପରୀକ୍ଷା କରିବା ସକାଶେ ଏ ସବୁ ଅନୁଗ୍ରହ ଦେଖାଉଛନ୍ତି । ହଉ, ତାଙ୍କରି ପଦାରବିନ୍ଦ ଦର୍ଶନ କରି ଏ ପାପନୟନ ପବିତ୍ର କରିବି । ଏହି ଭାବରେ ସେ ପୁନର୍ବାର ଦ୍ୱାରକା ଆଡ଼କୁ ଯିବାକୁ ଲାଗିଲା । ଶ୍ରୀକୃଷ୍ଣ ଯେ ସନ୍ନ୍ୟାସୀ ବେଶରେ ତାକୁ ଦେଖା ଦେଇଛନ୍ତି ଏକଥା ସେ ବର୍ତ୍ତମାନ ବୁଝି ପାରିଲା ।

☆☆☆

 

ତୃତୀୟ ପରିଚ୍ଛେଦ

ସାକ୍ଷାତ

 

ବେଳ ରତ ରତ ହେଉଛି । ସୂର୍ଯ୍ୟ ପଶ୍ଚିମ ଦିଗରେ ନାଲି ମେଘ ତଳେ ଲୁଚି ଯିବାକୁ ବସିଛନ୍ତି । ସେ ବେଳର ସୁନାରଙ୍ଗର କିରଣ କୋଠା ବାଡ଼ି ଗଛ ପତ୍ର ଉପରେ ପଡ଼ି ସବୁଆଡ଼ ଚକ ଚକ କରୁଛି । ବେଳ ବୁଡ଼ି ଯିବା ଦେଖି ଶୂନ୍ୟ ଦାଣ୍ଡରେ ରାବ କରି ପକ୍ଷୀମାନେ ଉଡ଼ିଯାଉଛନ୍ତି । ବାଟୋଇ ମଧ୍ୟ କୌଣସି ଚଟି ଧରିବାକୁ ବେଗରେ ଚାଲିଛି । ଠିକ୍ ଏହି ସମୟରେ ସୁଦାମା ଆସି ଦ୍ୱାରକା ନଗରୀରେ ପହଞ୍ଚିଲା । କେଡ଼େ ସହର, କେତେ କୋଠା—ବାଡ଼ି, କେତେ ଦୋକାନ, କେତେ ଗାଡ଼ି ଘୋଡ଼ା, ଲୋକବାକ ଯା ଆସ କରୁଛନ୍ତି,—ଏ ସବୁ ଦେଖି ସେ ଅବାକ୍ । ତା ଜୀବନରେ ସେ ଆଜି ପର୍ଯ୍ୟନ୍ତ ଏଡ଼େ ସହର ଦେଖି ନାହିଁ । ନୂଆ କରି ଏଡ଼େ ସହରଟା ଦେଖି ତା ମନରେ ଭାରି କୌତୂହଳ ଜନ୍ମିଲା । ଫଳରେ ସେ ଚାରି ଆଡ଼କୁ ଚାହିଁ ଚାହିଁ ଯିବାକୁ ଲାଗିଲା ।

 

ବାଟରେ ଠାଏ ଠାଏ ଫୁଲ ବଗିଚା ଦେଖି ତା ମନରେ ଭାରି ଆନନ୍ଦ ହୁଏ । କି ସୁନ୍ଦର ସବୁଜ ବର୍ଣ୍ଣର ଗଛଗୁଡ଼ିଏ—ବର୍ଷା ପାଣି କିପରି ଟପ ଟପ କରି ପତ୍ରରୁ ଗଡ଼ି ପଡ଼ୁଛି—କେଡ଼େ ସୁନ୍ଦର ଫୁଲ ଫୁଟିଛି—ନାଲି, ଧଳା, ହଳଦିଆ, ନେଳି ରଙ୍ଗରେ ବଗିଚାଟି କି ସୁନ୍ଦର ଦିଶୁଛି । ଏ ସବୁ ଦୃଶ୍ୟ ସେ ବହୁତ ସମୟ ରାସ୍ତା ଉପରେ ଠିଆ ହୋଇ ଦେଖେ ଓ ମନେ ମନେ ଭାବେ—ଶ୍ରୀକୃଷ୍ଣଙ୍କ ଲାଗି ସହରଟି ହୋଇଛି । ରାସ୍ତାର ପାଖରେ ଠାଏ ଠାଏ ସୁନ୍ଦର ଶାଗୁଆ ଘାସପଡ଼ିଆ ଦେଖି ସୁଦାମା ଭାରି ଖୁସି ହୁଏ । ମନ ଦେଇ ସେ ସବୁ ଦେଖେ ଓ ମନେ ମନେ ଭାବେ, ଆହା ! କି ସୁନ୍ଦର ପଡ଼ିଆ—ପିଲାଦିନେ ଇମିତି କେତେ ପଡ଼ିଆରେ ଶ୍ରୀକୃଷ୍ଣଙ୍କ ସଙ୍ଗେ ଖେଳିଛି, ବୁଲିଛି ! ଆହା କି ସୁଖର ଦିନ ! କୁଆଡ଼େ ଗଲା ! ସେତେବେଳେ ଖାଇବା ଚିନ୍ତା, ଘରଚିନ୍ତା, ସ୍ତ୍ରୀଚିନ୍ତା ତ ଆଦୌ ମନରେ ନଥିଲା । କେଡ଼େ ଆନନ୍ଦରେ—ସୁଖରେ ଦିନ କଟି ଯାଉଥିଲା । ସତେ ଶ୍ରୀକୃଷ୍ଣଙ୍କର ସେ ସବୁ କଥା କ’ଣ ମନେଥିବ ?

 

ରାସ୍ତାରେ ଯିବାବେଳେ ପାଖ କୋଠାଭିତରୁ ବେଳେ ବେଳେ ମୁରଲୀଧ୍ୱନି ଶୁଣି ଭାବେ, ଆହା ! କେଡ଼େ ସୁନ୍ଦର ସ୍ୱର ! କହ୍ନେଇ ତ ଠିକ ଇମିତି ବଂଶୀ ବଜାନ୍ତି, ତେବେ ଏ କ’ଣ ତାଙ୍କ ନଅର ? ଇମିତି ଭାବି ସୁଦାମା ବିଚାରା ସେ କୋଠାପାଖେ କେତେ ସମୟ ଠିଆ ହୁଏ । ପରେ ଜାଣିପାରେ, ନା, ଏ ସ୍ୱର ତ ସେତେ ମଧୁର ନୁହେ—ସେତେ ଚିତ୍ତହରା ନୁହେ । ଏ କୋଠା କହ୍ନେଇଙ୍କ ନଅର ନୁହେ । ତେବେ ତାଙ୍କ ରାଜବାଟି ଆଗରେ ନିଶ୍ଚୟ ଅଛି । ଏହା ଭାବି ଆଗକୁ ଚାଲେ ।

 

ଏହିପରି ରାସ୍ତାପାଖେ ଦୃଶ୍ୟ ଦେଖି ଦେଖି ଯିବାବେଳେ ଏକାଣିଆ ହୋଇ ଗୋଟାଏ ବଡ଼ କୋଠାଘର ତାହା ଆଖି ଆଗରେ ପଡ଼ିଲା । କେଡ଼େ ବଡ଼ କୋଠା—କି ସୁନ୍ଦର ଦିଶୁଛି ! ସେମିତି କୋଠା ତ ସହର ଭିତରେ କାହିଁ ଦେଖି ନାହିଁ । ତେବେ ଏଇଟା ନିଶ୍ଚୟ ଶ୍ରୀକୃଷ୍ଣଙ୍କ ଉଆସ ହେବ—ଏହି କଥା ମନରେ ଠିକ କରି ସେ ସେଆଡ଼କୁ ଚାଲିଲା ।

 

ଖଣ୍ଡେଦୂର ଗଲା ପରେ ଦେଖିଲା, ଗୋଟାଏ ବଡ଼ ପରିଖା ସେ କୋଠା ଚାରିପାଖେ ଘେରି ରହିଛି । କେତେ ପାଣି ନୀଳଭ୍ରମର ପରି ଦିଶୁଛି । ପାଣି ଭିତରେ କେତେ ମାଛ ଖେଳୁଛନ୍ତି–କେତେ ରଙ୍ଗର କେତେ ନାହା, କେତେ ଚାପ ରହିଛି । ଆଗରେ ସିଂହଦ୍ୱାର–ତାହାର ଦୁଇପାଖରେ ଦୁଇଟା ସିଂହମୂର୍ତ୍ତି ରହିଛି । ଦେଖିଲେ ମନେ ହେଉଛି ଯେପରି ଜୀବନ୍ତ ମୂର୍ତ୍ତି ଆଖି ମେଲାଇ ଚାହିଁଛନ୍ତି । ନିକଟରେ ଧନୁ ଶର ଧରି ପାଇକ ଠିଆ ହୋଇଛି । ଏସବୁ ଦେଖି ଏଇଟା ନଅର ବୋଲି ଆଉ ସୁଦାମାର ସନ୍ଦେହ ରହିଲା ନାହିଁ । ସେ ବଡ଼ ଆନନ୍ଦରେ ସେହି ସିଂହଦ୍ୱାର ଆଡ଼କୁ ଯିବାକୁ ଲାଗିଲା ।

 

ସେତେବେଳକୁ ସୂର୍ଯ୍ୟ ବୁଡ଼ି ଯାଇଥିଲେ । ମେଘ ତ ଆଗରୁ ଛାଡ଼ି ଯାଇଥିଲା । ତେଣୁ ଆକାଶ ନିର୍ମ୍ମଳ ଥିଲା । ହସି ହସି ଚନ୍ଦ୍ର ପୂର୍ବଦିଗରେ ଉଇଁ ରଜତ କିରଣରେ ଚାରି ଆଡ଼ ଧବଳ କରି ଦେଲେ । ରାଜବାଟି ମଧ୍ୟରେ ନାନା ରଙ୍ଗର ଝାଡ଼ ଲାଗି ଚାରିଆଡ଼ ଆଲୁଅ କରି ଦେଲା, ଯେପରି ଚନ୍ଦ୍ର ସଙ୍ଗେ ପ୍ରତିଦ୍ୱନ୍ଦୀ ହୋଇ ତାଙ୍କୁ ପରାସ୍ତ କରି ଦେଉଛି । ଏସବୁ ଦେଖି ସୁଦାମାର ଆନନ୍ଦର ସୀମା ନାହିଁ । ଏତେ କଷ୍ଟ ଭୋଗି, ଏତେ ବାଟ ଚାଲି ଶେଷରେ ସେ ଆସି ସଖାଙ୍କ ଦ୍ୱାରେ ପହଞ୍ଚିଛି–ନିକଟରେ ସଖାଙ୍କୁ ଦେଖିବ, କେତେ ସମ୍ୱର୍ଦ୍ଧନା କରିବ—ଏସବୁ କଥା ଭାବି ସେ କେତେ ସୁଖ, କେତେ ଆନନ୍ଦ ଅନୁଭବ କରୁଛି, ତାହା ସେହି ଏକା ଜାଣେ । ଅନ୍ୟମାନେ ଜଣେ ବାଟୋଇ ବୋଲି ଭାବି ତାକୁ କିଛି ନ କହି ଯେଝା କାମରେ ଚାଲିଛନ୍ତି ।

 

ସିଂହଦ୍ୱାର ପାଖେ ଠିଆ ହୋଇ ସୁଦାମା ଦେଖିଲା କେତେ ଲୋକ ଯା ଆସ କରୁଛନ୍ତି, କାହାକୁ ମନା ନାହିଁ । ସମସ୍ତେ କେଡ଼େ ସୁଖରେ ଆନନ୍ଦରେ ଫେରୁଛନ୍ତି ଦେଖି ତାହା ମନରେ ଦମ୍ଭ ଆସିଲା, ନିଶ୍ଚୟ ଶ୍ରୀକୃଷ୍ଣ ତାହାର କଥା ଶୁଣିବେ । ସେ ସିଂହଦ୍ୱାର ଦେଇ ଭିତରକୁ ଯିବାକୁ ଲାଗିଲା

 

ସିଂହଦ୍ୱାର ପରେ କେତେ ଦ୍ୱାର ପଡ଼ିଲା । ସେ ଦୁଇ ତିନିଟା ଦ୍ୱାର ପାର ହୋଇ ଗଲା ପରେ ମନେ ମନେ ଭାବିଲା, ‘‘ମୁଁ ତ ଶ୍ରୀକୃଷ୍ଣଙ୍କ ପାଖକୁ ଯାଉଛି—ଆଉ ତ କାହାକୁ ଏଠି ଚିହ୍ନେ ନାହିଁ—କାହା ସାହାଯ୍ୟରେ ତାଙ୍କ ସଙ୍ଗେ ସାକ୍ଷାତ୍ କରିବାର ତ ସୁବିଧା ନାହିଁ । ସେ ଯଦି ନ ଚିହ୍ନନ୍ତି, କରେ କ’ଣ ? ତାହା ତ ଅସମ୍ଭବ ନୁହେଁ । ପିଲାଦିନ କଥା, ସେତେବେଳର ମନ ବର୍ତ୍ତମାନ ନାହିଁ । ଏ କ୍ଷଣି ଧନ ସମ୍ପତ୍ତି, କ୍ଷମତାରେ ସେ କାଳ କଥା ଭୁଲିଯିବା ସ୍ୱାଭାବିକ । ବର୍ତ୍ତମାନ ସେ କାହିଁ ଅତୁଳ ସମ୍ପତ୍ତିର ଅଧୀଶ୍ୱର, କାହିଁ ମୁଁ ଗରିବ ପଥର ଭିକାରି । ତାଙ୍କ ସଙ୍ଗେ ଅନ୍ୟ କୌଣସି ବନ୍ଧୁତା ତ ନାହିଁ । କେବଳ ସାଙ୍ଗ ସୁଖ କଥା—ସେ ତ ବହୁଦିନର କଥା । ଅନେକ ଦିନ ହେଲା ତ ଦେଖା ସାକ୍ଷାତ୍ ନାହିଁ । ତେଣୁ ନ ଚିହ୍ନିବାର ତ କାରଣ ଯଥେଷ୍ଟ ଅଛି । ଯଦି ସେ ନ ଚିହ୍ନିଲେ କରିବ ବା କ’ଣ ? କି ଅପମାନ, କି କଷ୍ଟ ହେବ ସେତେବେଳେ ! ତାହା ଅପେକ୍ଷା ଏଠାରୁ ଫେରିଯିବା ବରଂ ଭଲ ।’’ ଏହା ପରେ ସୁଦାମା ସିଂହଦ୍ୱାର ପାଖକୁ ଫେରି ଆସିଲା । ସେଠି ପହଞ୍ଚି ମନରେ କଣ ଭାବି ପୁଣି ଠିଆ ହେଲା, ତା’ମନରେ ହେଲା, ‘‘ଯଦି ଖାଲି ହାତରେ ଘରକୁ ଫେରିଯାଏ, ସୁମତି ତ କେତେ ଗାଳି ଦେବ, କେତେ ଲାଞ୍ଛନା ଦେବ । ତାହା ବା ସହିବି କିମିତି ? ତେବେ ଥରେ ଯାଏ, ଦେଖା କରେ । ଚିହ୍ନିଲେ ତ ଉତ୍ତମ, ନ ଚିହ୍ନିଲେ ବି ଉତ୍ତମ । ଚେଷ୍ଟା ନ କରି ଫେରି ଯିବାଟା ଭଲ ହେବ ନାହିଁ । ଯାହା ତ ଅପମାନ ହେବାର ହେଲାଣି, ଆଉ କ’ଣ କପାଳେ ଅଛି, କିଏ କହିପାରେ-? ତେବେ ୟା’ ଠୁଁ ବେଶୀ ଅପମାନର ତ ଆଶଙ୍କା ନାହିଁ । ଥରେ ଯାଏ, ଯାହା ଭାଗ୍ୟରେ ଥିବ-।’’ ଏପରି କେତେ ସମୟ ଭାବି ଇତସ୍ତତଃ ହୋଇ ଶେଷରେ ସୁଦାମା ପୁଣି ଭିତରକୁ ଗଲା । ଅନ୍ୟ କୌଣସି ରାଜବାଟି ହୋଇଥିଲେ ସିଂହଦ୍ୱାର ଠାରୁ ଧକ୍କା ପାଇଥାନ୍ତା—କିନ୍ତୁ ସେ ତ ଅନ୍ତର୍ଯ୍ୟାମୀ—ବ୍ରହ୍ମାଣ୍ଡର ଠାକୁର—ଶ୍ରୀକୃଷ୍ଣଙ୍କର ସିଂହଦ୍ୱାର—ଅନନ୍ତ ନାରାୟଣଙ୍କ ଆବାସସ୍ଥଳ—ସେଠି ବା କାହାର ଚକ୍ରାନ୍ତ ଖାଟିବ କୁଆଡ଼ୁ ? ସେଠି କେହି ମାୟାଜାଲ ମେଲି ଛକି ବସିନାହିଁ—କାହାର କୁଟନୀତିର ସ୍ଥାନ ନାହିଁ—ଅନ୍ୟର ପରୋକ୍ଷରେ ମିଥ୍ୟା କଥା ସୃଷ୍ଟି କରି ତାହାର ଅନିଷ୍ଟ କରିବାର ଶକ୍ତି କାହାର ନାହିଁ ବରଂ ସେପରି ଲୋକ ସେଠି ଲାଞ୍ଛିତ, ଅପମାନିତ, ବହିଷ୍କୃତ । ସେହି କଥା ଭାବି ସୁଦାମାର ସାହାସ ହେଲା ସିନା ।

 

ଆଠ ନଟା ଦ୍ୱାର ଡେଇଁ ଗଲାପରେ ରାଜସଭା ପଡ଼ିଲା । କେତେ ସାଜସଜ୍ଜା—କିପରି ମଖମଲ କନା ଚାରିଆଡ଼େ ବିଛା ଯାଇଛି—କେତେ ଫୁଲ, ତୋରଣ ଖଞ୍ଜା ଯାଇଛି, କିପରି ଝାଡ଼ ଓ ଆଲୋକରେ ସେ ସଭା ଶୋଭା ପାଉଛି, କିପରି ରତ୍ନସିଂହାସନରେ ଶ୍ରୀକୃଷ୍ଣ ସଭାର ମଝିରେ ବସିଛନ୍ତି, ଚାରିପାଖେ କେତେ ପାରିଷଦ ରୁଣ୍ଡ ହୋଇଛନ୍ତି, ଯେ ଯାହାର ଗୁହାରି କହି ଆନନ୍ଦରେ ଫେରୁଛନ୍ତି, ଏସବୁ ଦେଖି ସୁଦାମା ଚୁପ ହୋଇ ରାଜସଭା ଦ୍ୱାର ପାଖରେ ଛିଡ଼ା ହୋଇଛି, ମନେ ମନେ ଭାବୁଛି, ‘‘ଆହା କେଡ଼େ ସୁନ୍ଦର ସଭା ! ଏ ଧୂଳି ଗୋଡ଼ରେ, ମଇଳା ଲୁଗାରେ କିମିତି ଯିବି ! ନାହିଁ, ସଖାଙ୍କୁ ତ ଦେଖିଲିଣି । ସେ ଦେଖନ୍ତୁ ବା ନ ଦେଖନ୍ତୁ, ଏଇଠୁ ଫେରିଯିବି ।’’

☆☆☆

 

ଚତୁର୍ଥ ପରିଚ୍ଛେଦ

ସମ୍ୱର୍ଦ୍ଧନା

 

ଶ୍ରୀକୃଷ୍ଣ ଛଦ୍ମବେଶରେ ସୁଦାମାକୁ ଦେଖାଦେଇ ବିପଦରୁ ଉଦ୍ଧାର କରି ସଭାକୁ ଫେରି ଆସିଲେ ସତ, କିନ୍ତୁ ସେଠାରେ ତାଙ୍କ ମନ ରହିଲା ନାହିଁ । ସେ ପ୍ରତି ମୁହୂର୍ତ୍ତରେ ‘‘ହେଇ ସଖା ଆସିଲେ’’ ‘‘ହେଇ ସଖା ଆସିଲେ’’ ବୋଲି ଭାବିବାକୁ ଲାଗିଲେ । ଭକ୍ତର କଥାକୁ କ’ଣ ଭଗବାନ ଏଡ଼ି ପାରନ୍ତି ? ଭୁଲି ପାରନ୍ତି ?

 

ଶ୍ରୀକୃଷ୍ଣଙ୍କୁ ଅନ୍ୟମନସ୍କ ଦେଖି ନାରଦ ଟିକିଏ ବିରକ୍ତ ଓ ବିଚଳିତ ହୋଇ କହିଲେ, ‘‘ଆପଣଙ୍କ ମନ କାହିଁକି ଅସ୍ଥିର ଏକ୍ଷଣି ପ୍ରଭୋ ! କେଉଁ କଥା ଭାବୁଛନ୍ତି ?’’

 

‘‘ସେ କଥା ଏକ୍ଷଣି ବୁଝି ପାରିବ । ମୋର କହିବାର ପ୍ରୟୋଜନ ନାହିଁ ।’’ ଏତିକି ମାତ୍ର ହସି ହସି ନାରଦଙ୍କୁ କହି ଦେଇ ଶ୍ରୀକୃଷ୍ଣ ନୀରବ ହେଲେ । ସଖା କେତେବେଳେ ଆସିବେ, କେବଳ ଏଇ କଥା ଅପେକ୍ଷା କରିବାକୁ ଲାଗିଲେ ।

 

ସୁଦାମା ରାଜସଭାର କବାଟ ପାଖେ ତୁନି ହୋଇ ଠିଆ ହୋଇ କେତେ ସମୟ ସଭାର କାମ ଦେଖିବାକୁ ଲାଗିଲା । ଶ୍ରୀକୃଷ୍ଣ କିପରି ବହୁମୂଲ୍ୟ ପୋଷାକ ପିନ୍ଧି ରତ୍ନସିଂହାସନରେ ବସିଛନ୍ତି-! ଏ ଦୃଶ୍ୟ ଦେଖି ସେ ଫେରି ଯିବାକୁ ଇଚ୍ଛା କଲେ ମଧ୍ୟ ଦୋଦୋପାଞ୍ଚ ହୋଇ ସେଠି ଠିଆ ହେଲା, କିନ୍ତୁ ସଭାର ସେ ଆଡ଼ମ୍ୱର ଓ ସାଜସଜ୍ଜା ଦେଖି ତାହାର ସଭା ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ନିଜର ପରିଚୟ ଦେବାକୁ ସାହାସ ହେଲା ନାହିଁ, ଭରସା ପାଇଲା ନାହିଁ । ଏଡ଼େ ବଡ଼ ରାଜା ହୋଇ ଶ୍ରୀକୃଷ୍ଣଙ୍କର ପିଲାଦିନର ଖେଳକଥା ମନେ ଥିବ ନା ସେ ଆଉ ଚିହ୍ନି ପାରିବେ ? ଏଥିରେ ତାଙ୍କ ପାଖକୁ ଯାଇ ପରିଚୟ ଦେବାଟା ଗୋଟେ ଉପହାସର କଥା ହେବ । ଏଠୁ ପଳାଇଯିବା ଭଲ । ସୁମତି ପଚାରିଲେ କହିଦେବି, ‘ସଖାଙ୍କ ସଙ୍ଗେ ଦେଖା ହେଲା ନାହିଁ ।’ ଏହିପରି କିଛି ସମୟ ଭାବି ସୁଦାମା ସେଠୁ ଫେରି ଆସିବାକୁ ବସିଲା ।

 

ଏଣେ ଶ୍ରୀକୃଷ୍ଣ ନୀରବରେ ସଖାଙ୍କର ସବୁକଥା ଦେଖୁଥାନ୍ତି, କିନ୍ତୁ କୌତୁକଟା ଦେଖିବା ଉଦ୍ଦେଶ୍ୟରେ ଆଉ ଚିହ୍ନା ଦିଅନ୍ତି ନାହିଁ କି କିଛି କହନ୍ତି ନାହିଁ । ଯେତେବେଳେ ଦେଖିଲେ ଏଥର ସୁଦାମା—ତାଙ୍କ ପିଲାଦିନର ସଖା—ନିରାଶ ହୋଇ ଫେରିଗଲା, ଆଉ ଫେରିବ ନାହିଁ, ସେତେବେଳେ ସେ ଆଉ ସମ୍ଭାଳି ହୋଇ ପାରିଲେ ନାହିଁ, ତାଙ୍କ ପ୍ରାଣରେ ଆଘାତ ଲାଗିଲା । ସେ ବିଳମ୍ୱ ନ କରି ସିଂହାସନରୁ ଉଠିଯାଇ ‘‘ସଖା’’ ‘‘ସଖା’’ କହି ସୁଦାମାକୁ କୁଣ୍ଢେଇ ପକାଇଲେ । ସୁଦାମାର ମଇଳା ଲୁଗା, ଧୂଳିଗୋଡ଼, ନିତାନ୍ତ ଦୀନ ହୀନ ବେଶ, ଅଥଚ ଶ୍ରୀକୃଷ୍ଣଙ୍କର ଏତେ ଆଦର ଦେଖି ସମସ୍ତେ ତଟସ୍ଥ ଓ ଅବାକ୍ ହୋଇଗଲେ—ନୀରବରେ ସବୁ ଦେଖିବାକୁ ଲାଗିଲେ ।

 

ଅଜଣା ଅଶୁଣା ଭାବରେ ଶ୍ରୀକୃଷ୍ଣ ତାକୁ କୋଳକରି ପକାଇବାର ଦେଖି ସୁଦାମା ଚମକି ପଡ଼ିଲା । ପ୍ରଥମେ କିଛି କହି ପାରିଲା ନାହିଁ—ପରେ କହିଲା, ‘‘ସଖା, ସଖା, ଆପଣ ମୋତେ ଚିହ୍ନିପାରିଲେ ତ ?’’

 

ବହୁ ଦିନ ପରେ ବାଲ୍ୟ ସଖା ସୁଦାମାକୁ ପାଇ ଶ୍ରୀକୃଷ୍ଣ ଦୁଇହାତରେ ଆନନ୍ଦରେ ତାକୁ ଟେକି ନେଇ ସିଂହାସନରେ ବସାଇ ଦେଲେ । ଏ ବ୍ୟାପାର ଦେଖି ସୁଦାମା ବିଚାରା ଛାନିଆ । ଏ କି କଥା—ମଇଳା ଗୋଡ଼, ମଇଳା ଲୁଗା ପିନ୍ଧିଛି, କିମିତି ପ୍ରଭୁଙ୍କ ସିଂହାସନରେ ବସିବି—ଭାବି ସୁଦାମା ସିଂହାସନରୁ ଉଠି ଆସି ତଳେ ବସିବାକୁ ବ୍ୟଗ୍ର । ଏହା ଦେଖି ଶ୍ରୀକୃଷ୍ଣ ଟିକିଏ ବିରକ୍ତ ହେଲେ—ତିରସ୍କାର କରି କହିଲେ, ‘‘ଏ କ’ଣ ସଖା ? ତୁମେ କଣ ନୂଆ ହେଲ କି ? ଆପଣ ବୋଲି କହୁଛ, ବସାଇ ଦେଲେ ଉଠି ଯାଉଛ ? ଏଠାକୁ ଆସି ଫେରି ଯାଉଛ ? କିଛି କହୁ ନାହଁ ? ତୁମ୍ଭଙ୍କୁ ମୁଁ ପରା ପିତା ଲାଗୁଛି ?’’

 

ଏ କଥା ଶୁଣି ସୁଦାମା ଟିକିଏ ଅପ୍ରସ୍ତୁତ ହେଲାପରି ହୋଇ କହିଲା, ‘‘ନାହିଁ, ସଖା, ସବୁ ମନେ ଅଛି । ତେବେ ଗୋଟିଏ କଥା—ବର୍ତ୍ତମାନ ଛାମୁ..... ନାହିଁ ନାହିଁ ତୁମ୍ଭେ—ହେଲ ଦ୍ୱାରକାର ରାଜା, ମୁଁ.... ।’’

 

ସୁଦାମାର ମନୋଭାବ ବୁଝିପାରି ଶ୍ରୀକୃଷ୍ଣ କହିଲେ, ‘‘ସତେ କ’ଣ ତୁମ ମନେ ମୁଁ ପଡ଼େ ? ଅନେକ ଦିନ ହେଲା ତ ଦେଖା ନାହିଁ । ତେଣୁ ମନେ କରୁଛି, ଆଜି କିମିତି ବାଟବଣା ହୋଇ ଏଣେ ଚାଲି ଆସିଲ ? ସଖୀ ମୋର କିମିତି ଅଛନ୍ତି ?’’

 

‘‘ସଖା, ଭୁଲି ନାହିଁ, ଭୁଲି ପାରିବି ନାହିଁ । ତେବେ....... ।’’

 

‘‘ତେବେ କ’ଣ, ସଖା ? ସଖୀ ମୋ କଥା କ’ଣ କହୁଥିଲେ ?’’

 

‘‘ସେହି ସଖୀଙ୍କ ସକାଶେ ତ ମୁଁ ଆଜି ଏତେ ସରି ହେଲି ।

 

ନ ହେଲେ– ?’’

 

ରୁକ୍ମିଣୀ ତ ପାଖରେ ବସିଥିଲେ । ତାଙ୍କୁ କହିଲେ, ‘‘ସଖା ମୋର କେତେ ବାଟ ଚାଲି ଚାଲି ଆସିଛନ୍ତି—ବଡ଼ କ୍ଲାନ୍ତ ହୋଇଛନ୍ତି । ତାଙ୍କ ଗୋଡ଼ ଧୋଇଦିଅ । ସଖା ଟିକିଏ ସୁସ୍ଥ ହୋଇ ବସନ୍ତୁ—କେତେ ଦିନ ପରେ ଦେଖା । ଟିକିଏ ଦୁଃଖ ସୁଖ ହେବା ।’’

 

‘‘ହେଉ’’ କହି ରୁକ୍ମିଣୀ ଉଆସ ଭିତରକୁ ବାହାରି ଗଲେ । ଅଳ୍ପ ସମୟ ମଧ୍ୟରେ ସୁନାଝରିରେ ପାଣି ଓ ସୁନାଥାଳି ଆଣି ସଭାରେ ଉପସ୍ଥିତ ହେଲେ ଏବଂ ସୁନାଥାଳି ଉପରେ ସଖାଙ୍କ ଗୋଡ଼ ରଖି ଝରିରେ ପାଣିରେ ଧୋଇବାକୁ ଲାଗିଲେ । ଏ ଘଟଣା ଦେଖି ସୁଦାମାର ଭାରି କଷ୍ଟ ହେଲା । ଶ୍ରୀକୃଷ୍ଣଙ୍କର ପାଟରାଣୀ, ବ୍ରହ୍ମାଣ୍ଡର ଲକ୍ଷ୍ମୀ ତା’ପରି ସାମାନ୍ୟ ଦୀନ ଦୁଃଖୀର ପାଦ ଧୋଇ ଦେବେ, ସେ କିପରି ଏସବୁ ସହିବ, ଏକଥା ଭାବି ସେ ତାହାଙ୍କୁ ବହୁତ ଅନୁନୟ ବିନୟ କରି ବାରଣ କଲା, ପାଦ ଦୁଇଟି ଲୁଗାଭିତରେ ଲୁଚାଇ ରଖିଲା—ଝରାଟି ଛଡ଼ାଇ ଆଣି ନିଜର ଧୂଳିକାଦୁଅ ଗୋଡ଼ ନିଜେ ଧୋଇବ ବୋଲି ଜିଦ କରି ବସିଲା, କିନ୍ତୁ ରୁକ୍ମିଣୀ ଏ ସବୁ କଥା ମାନିଲେ ନାହିଁ—ସଖାଙ୍କର ପାଦ ଛଡ଼ାଇ ନେଇ ନିଜେ ଚିକ୍କଣ କରି ଧୋଇ ଦେଲେ—ନିଜର ପିନ୍ଧିବା ପାଟଶାଢ଼ୀର ପଣତରେ ପୋଛି ଦେଲେ ।

 

ନାରଦ ଓ ଉପସ୍ଥିତ ପାରିଷଦବର୍ଗ ଏ ଘଟଣା ଦେଖି ବିସ୍ମିତ ଓ ଅବାକ୍ ହେଲେ । ଜଣେ ସାଧାରଣ ଦୀନ, ପଥର ଭିକାରି ବ୍ରାହ୍ମଣ ପ୍ରତି ଏତେ ଆଦର, ଅଭ୍ୟର୍ଥନା । କେବଳ ସେତିକି ନୁହେ, ବ୍ରହ୍ମାଣ୍ଡର ଈଶ୍ୱର ନିଜ ସିଂହାସନରେ ବସାଇଛନ୍ତି, ବ୍ରହ୍ମାଣ୍ଡର ଠାକୁରାଣୀ ପାଦ ଧୋଇ ଦେଉଛନ୍ତି ! ଏସବୁତ ଯେ କି ଗୂଢ଼ ରହସ୍ୟ ଅଛି, ତାହା କିଏ ବୁଝିବ ?

 

ଏହି ସମୟରେ ଶ୍ରୀକୃଷ୍ଣ ନାରଦଙ୍କୁ କହିଲେ, ‘‘ଦେବର୍ଷେ, ଏହି ସଖାଙ୍କ ଆସିବା ଅପେକ୍ଷା କରି ମୁଁ ଏତେ ଚଞ୍ଚଳ ବ୍ୟାକୁଳ ଥିଲି । ଆହା ସେ ମୋପାଇଁ କେତେ କଷ୍ଟ କେତେ ଦୁଃଖ ସହିଛନ୍ତି ! ତାଙ୍କର ମୋଠାରେ କେଡ଼େ ସ୍ନେହ ଓ ଭକ୍ତି ! ସେ କଥା କ’ଣ ଭୁଲି ପାରିବି ?’’ ଭଗବାନଙ୍କର ଏ ପ୍ରୀତି ଦେଖି ନାରଦ ମନେ ମନେ ସୁଦାମାକୁ ଭକ୍ତିଭରେ ନମସ୍କାର କରି ଭାବିବାକୁ ଲାଗିଲେ, ‘‘କେତେବେଳେ ପ୍ରଭୁ ଯେ କି ଖେଳା ଲଗାନ୍ତି, ତାହାର ମହତ୍ତ୍ୱ କିଏ ବୁଝିବ ?’’

 

ତାପରେ ଦୁଇ ସଖା କେତେ କଥାବାର୍ତ୍ତା ହେଲେ—ପିଲା ଦିନର କଥା ଗୋଟି ଗୋଟି କରି ଆବୃତ୍ତି କରି କେଡ଼େ ଖୁସି ହେଲେ । ସେ ଦିନର ଶ୍ରୀକୃଷ୍ଣଙ୍କର ଆନନ୍ଦ କହିଲେ ନ ସରେ । ସଭାର ଲୋକେ ଏ ଘଟଣା ଦେଖି ବିସ୍ମିତ ଓ ବିମୁଗ୍ଧ ହେଲେ ଏବଂ ଏକମନ ଓ ଏକପ୍ରାଣରେ ସବୁ ଶୁଣିବାକୁ ଲାଗିଲେ ।

 

ଏହି ସମୟରେ ଶ୍ରୀକୃଷ୍ଣ ହସି ହସି କହିଲେ, ‘‘ସଖା, ସଖୀ ତ ମୋତେ ଏତେ ଭଲ ପାଆନ୍ତି—ପିଲାଦିନେ କେତେ ଜିନିଷ ଖାଇବାକୁ ଦିଅନ୍ତି । ତାଙ୍କ ହାତ ଖୁଦଭଜା ମୁଢ଼ି କି ସ୍ୱାଦୁ, କି ମଧୁର । ଆଜି କ’ଣ ମୋପାଇଁ ତୁମ ହାତେ କିଛି ଦେଇ ନାହାନ୍ତି କି ? ମୋତେ କ’ଣ ଭୁଲିଗଲେ ନା ? ନା, ନା, ତା ତ ହୋଇ ନ ଥିବ; ସଖୀ ନିଶ୍ଚୟ କିଛି ଅପୂର୍ବ ସପୂର୍ବ ଦେଇଥିବେ—ତୁମେ ଲୁଚାଇ ରଖି ମୋତେ ଦେଉ ନାହଁ ।’’

 

ଏକଥା ଶୁଣି ସୁଦାମା ବଡ଼ ହଇରାଣରେ ପଡ଼ିଲା । କରିବ ବା କ’ଣ ? ମନ ମଧ୍ୟରେ କେତେ ଭାବିଲା, କିମିତି ଏତେ ଲୋକଙ୍କ ଆଗେ ଖୁଦଭଜା ଦିଟା ଦେବି—ସମସ୍ତେ କ’ଣ କହିବେ-? ଏ ପ୍ରାଣ ଗଲେ ତ ଦେବି ନାହିଁ । ଏଣେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ସବୁ ଜାଣି ପାରିଲେ । ବିଳମ୍ୱ ନ କରି କହିଲେ, ‘‘ସଖା, କାହିଁକି ଦେଉ ନାହଁ ? ସଖୀ କ’ଣ ଭୁଲିଗଲେ କି ? ନା, ନା, ତୁମେ ସେତକ ଲୁଚାଇ ରଖି ଦେଉ ନାହଁ ।’’ ଏଥର ସୁଦାମା ତୁନି ହୋଇ ରହି ପାରିଲା ନାହିଁ, କହିଲା, ‘ସଖା, ମୁଁ ଗରିବ, କାଙ୍ଗାଳ, କ’ଣ ତୁମ ଭଳି ପାଇବି ଯେ ଆଣିବି ?’’

 

‘‘ସଖା, ତା ସତ, କିନ୍ତୁ ସଖୀ ତ କେବେ ଖାଲି ହାତରେ ପଠାଇ ନ ଥିବେ । ନିଶ୍ଚୟ କିଛି ଦେଇଥିବେ । ତୁମେ ଲୁଚାଇ ରଖିଛ—ଦେଖି ହାତ କାଢ଼ିଲ ।’’ ଏତିକି କହି ଶ୍ରୀକୃଷ୍ଣ ଜୋର ପୂର୍ବକ ସୁଦାମାର କାଖ ତଳୁ କନାପୁଡ଼ାଟି କାଢ଼ି ନେଲେ, କିନ୍ତୁ ସୁଦାମା ତାହା ନ ଦେବା ପାଇଁ ଜକଟ ମକଟ କରି ଧଇଲା । ଶ୍ରୀକୃଷ୍ଣ ତ ଛାଡ଼ିବାର ଲୋକ ନୁହନ୍ତି—ସେ ସୁଦାମାର ହାତରୁ ତାହା ଛଡ଼ାଇ ନେଇ ଖୋଲିଲେ—ସେଥିରେ ଦି’ଟା ଖୁଦଭଜା ବନ୍ଧା ହୋଇଥିବାର ଦେଖି ସେଥିରୁ ମୁଠାଏ ଖାଇ ଦେଲେ । କହିଲେ, ‘‘ସଖା, ତୁମେ କ’ଣ ଲାଜ କରୁଛ ଖୁଦଭଜା ବୋଲି ? ନା,ନା, ଏ ତ ଖୁଦଭଜା ନୁହେ—ଏ ତ ଭକ୍ତି, ପ୍ରୀତି, ସ୍ନେହ ଓ ଅନୁରାଗରେ ତିଆରି । ଆହା, ଏହା କେଡ଼େ ସ୍ୱାଦୁ ! ଅମୃତ ତ ଏହା ସଙ୍ଗେ ସମାନ ହେବ ନାହିଁ ।’’ ଏତିକି କହି ଆଗ୍ରହରେ ବାକୀ ତକ ହାତରେ ମୁଠାଇ ଖାଇବାକୁ ବସିଲେ । ଏହି ସମୟରେ ରୁକ୍ମିଣୀ ହାତ ଧରି ପକାଇ କହିଲେ, ‘‘ଏ କି, ତୁମେ ତ ସବୁ ଖାଇବ, ମୋ ପାଇଁ କିଛି ଦେବ ନାହିଁ କି ? ମୁଁ କ’ଣ ସଖୀଙ୍କ ଜିନିଷ ଖାଇବି ନାହିଁ କି ? ତୁମେ ତ ସବୁ ଖାଇଦେବ, ଅନ୍ୟମାନଙ୍କୁ ଦେବି କ’ଣ ?’’ ସଙ୍ଗେ ସଙ୍ଗେ ଶ୍ରୀକୃଷ୍ଣଙ୍କ ହାତରୁ ସେତକ ଛଡ଼ାଇ ନେଲେ । ଏହାପରେ ସେ ଦିନର ସଭା ଭାଜିଲା । ଯେ ଯାହା ଘରକୁ ଗଲେ । ଶ୍ରୀକୃଷ୍ଣ ସଖାଙ୍କୁ ସଙ୍ଗରେ ନେଇ ରୁକ୍ମିଣୀଙ୍କ ସଙ୍ଗେ ଭିତର ଚଉରୀକୁ ଚାଲିଗଲେ । ନାରଦ ମଧ୍ୟ ପ୍ରମାଣ କରି ବାହାରି ଗଲେ । ଯିବାବେଳେ ସମସ୍ତଙ୍କ ମନରେ ଏକ କଥା—ଏ ମହାପୁରୁଷ ଦୀନ ଭିକାରି ହେଲେ ମଧ୍ୟ କେଡ଼େ ଭାଗ୍ୟବାନ୍ !

☆☆☆

 

ପଞ୍ଚମ ପରିଚ୍ଛେଦ

ପ୍ରତ୍ୟାବର୍ତ୍ତନ

 

ବହୁ ଦିନ ପରେ ସଖାଙ୍କୁ ପାଇ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କର ଆନନ୍ଦର ସୀମା ନାହିଁ । କେତେ ଆଦର—କେତେ ଅଭ୍ୟର୍ଥନା ଲାଗିଛି । ସଖା କେତେ ବାଟ ଚାଲି ଆସିଛନ୍ତି, କ୍ଷୁଧା ଲାଗିବଣି ଭାବି ରୁକ୍ମିଣୀ ପଚାଶ ପ୍ରକାର ବ୍ୟଞ୍ଜନ ତିଆରି କରି ସ୍ୱର୍ଣ୍ଣପାତ୍ରରେ ବାଢ଼ି ଦେଲେ । ଶ୍ରୀକୃଷ୍ଣ ସଖାଙ୍କ ସଙ୍ଗରେ ଠାଆକୁ ବିଜେ କଲେ ଖାଇବାବେଳେ ସଖାଙ୍କ ସଙ୍ଗେ କେତେ ଖୁସି ଗଳ୍ପ କଲେ, କିନ୍ତୁ ସୁଦାମାର ମନ ଭିତରେ ଗୋଟିଏ ଦୁଃଖ ପ୍ରଚ୍ଛନ୍ନ ଭାବରେ ଲାଖି ରହିଛି । ସେ ଏତେ ପ୍ରକାର ତରକାରି ଭଜାଭଜି ଘେନି ଖାଇ ବସିଲାବେଳେ ଭାବୁଛି, ଆହା, ସୁମତି କ’ଣ କରୁଥିବ ? ଘରେ ତ ଖୁଦ କଣିକାଏ ନ ଥିଲା । ବାଟରେ ତ ତିନିଦିନ ବିତିଗଲାଣି । ଏଇ କେତେ ଦିନ ହେଲା ସେ କ’ଣ କରୁଥିବ ? କ’ଣ ଖାଉଥିବ ? ଆହା ! କେତେ ଦୁଃଖରେ, କେତେ କଷ୍ଟରେ, ଉପବାସରେ, ଘର କୋଣରେ କାହିଁ ଏକୁଟିଆ ଶୋଇ ପଡ଼ିଥିବ, ଯେପରି ପ୍ରାଣ ପକ୍ଷୀଟି ତାର ଦେହ ପିଞ୍ଜରାରୁ ଉଡ଼ି ଯାଉଥିବ । ଏ ସବୁ କଥା ଭାବିଲା ବେଳେ ସୁଦାମାର ଦୁଇ ଆଖିରୁ ଦୁଇଟୋପା ଲୁହ ବୋହିଗଲା । ଶ୍ରୀକୃଷ୍ଣ ଏ ସବୁ ଦେଖି ସଖାଙ୍କ ମନର ଭାବ ବୁଝି ପାରିଲେ, ମନେ ମନେ ଭାବିଲେ ‘‘ଆହା ! ସଖା ଦରିଦ୍ର ହୋଇ କି କଷ୍ଟ, କି ଦୁଃଖ ଭୋଗ କରୁଛନ୍ତି । ଏଣିକି ମୋର ଅନ୍ତରର ବନ୍ଧୁ—ପରମ ଭକ୍ତ ସଖାଙ୍କର ଦୁଃଖ ଦୂର କରିବାକୁ ହେବ—ତାଙ୍କୁ ସୁଖୀ କରିବାକୁ ହେବ ।’’

 

ଅନ୍ତର୍ଯ୍ୟାମୀଙ୍କର ହୃଦ କଥା ସୁଦାମା ବା କାହୁଁ ବୁଝିବ ? ସେ କୌଣସି ମତେ ମନର କଷ୍ଟ ମନରେ ଲୁଚାଇ ଦେଇ ଶ୍ରୀକୃଷ୍ଣଙ୍କ ସଙ୍ଗେ ଖୁସି ଗଳ୍ପରେ—ଆମୋଦରେ ଯୋଗ ଦେଲା, ଯେପରି ସଖା ତାର ମନର କଥା ବୁଝି ନ ପାରିବେ ।

 

ଚାହୁଁ ଚାହୁଁ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କର ଆଦର ଅଭ୍ୟର୍ଥନାରେ ତିନିଦିନ ବିତିଗଲା । ଏତେ ଆମୋଦ—ଏତେ ପ୍ରମୋଦ ସୁଦାମାର ଜୀବନରେ ଏ ପର୍ଯ୍ୟନ୍ତ ଘଟି ନାହିଁ । ସଖାଙ୍କ ପ୍ରତି କି ଯତ୍ନ, କି ସ୍ନେହ ଦେଖି ସୁଦାମା ମନେ ମନେ ଆକୃଷ୍ଟ ଓ କେତେ କୃତଜ୍ଞ ହୋଇ ପଡ଼ିଛି, ତାହା ସେ ଜାଣେ-। କିନ୍ତୁ ଏ ସବୁ ଆନନ୍ଦ ଓ ଉତ୍ସବ ମଧ୍ୟରେ ତାହାର ହୃଦୟରେ ଏକ ଦାରୁଣ କଷ୍ଟ ରହିଥିବାରୁ ତାକୁ ଏ ସବୁ ଭଲ ଲାଗୁ ନାହିଁ । ସବୁବେଳେ ସୁମତି କଥା—ସେ କ’ଣ କରୁଥିବ, କ’ଣ ଖାଉଥିବ-? ଆହା-! ତାକୁ ଏକୁଟିଆ କରି କାହିଁକି ଛାଡ଼ି ଆସିଲି ? କାହିଁକି ତା’ କଥାରେ ପଡ଼ିଲି-? ସେ ବା ମୋ କଥା ଭାବି କ’ଣ ହେଉଥିବ ? ଏ ସବୁ ଭାବି ସୁଦାମାର ମନ ବଡ଼ ଚଞ୍ଚଳ ଓ ଅସ୍ଥିର-। ଶେଷରେ ଘରକୁ ଫେରି ଯିବାର ସ୍ଥିର କଲା । କିନ୍ତୁ ସଖାଙ୍କ ପାଖେ ଆଜି ପର୍ଯ୍ୟନ୍ତ ନିଜର ଦୁଃଖ କଥା କହିନାହିଁ—ସେ ବା ମୋ କଷ୍ଟ ନ ଜାଣିଲେ କଣ କରିବେ ଭାବି ସୁଦାମା ସଖାଙ୍କଠାରୁ ବିଦାୟ ନେଇ ଘରକୁ ଫେରିଯିବ ବୋଲି ଗଲା । ଏ ସବୁ ମଧ୍ୟରେ ତାର ଆଶା ଥାଏ, ଗଲାବେଳେ ସଖା ନିଶ୍ଚୟ ସଖୀଙ୍କ ପାଇଁ କିଛି ଦେବେ ଯେ ।

 

ଶ୍ରୀକୃଷ୍ଣ ଓ ରୁକ୍ମିଣୀ ବସି ଆମୋଦ ପ୍ରମୋଦ କରୁଛନ୍ତି । ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କୁ ପଚାରିଲେ,‘‘ପ୍ରିୟେ ! ଜାଣିଛ କି ସଖା କାହିଁକି ଆସିଛନ୍ତି ?’’

 

‘‘ଦେଖା କରିବାକୁ ଆସିଥିବେ ।’’

 

‘‘ନାହିଁ, ନାହିଁ, ତାହା ନୁହେଁ । ସଖା ତ ନିତାନ୍ତ ଗରିବ ଖାଇବାକୁ ବାସି ଓଳିକି ଦାନା ନାହିଁ-। ସୁମତି ସଖାଙ୍କୁ କିଛି ଧନ ଆଶାରେ ପଠାଇ ଦେଇଛନ୍ତି । କିନ୍ତୁ ସଖାଙ୍କର ମନରେ ଧନ ପ୍ରତି ଆଦୌ ଆଶା ନାହିଁ । ସେ ବି ତାହା ମାଗିବେ ନାହିଁ ।’’

 

‘‘ସମସ୍ତଙ୍କର ଦୁଃଖ ଦୂର କରୁଛନ୍ତି—ସଖାଙ୍କର ଦୁଃଖ ଦୂର କଲେ ଭଲ ହୁଅନ୍ତା ନାହିଁ ?’’

 

‘‘ତୁମ୍ଭେ କିଛିଦିନ ପାଇଁ ସଖାଙ୍କ ଘରେ ରହ ଯେ ତାଙ୍କ ଦୁଃଖ ଘୁଞ୍ଚିଯିବ ।’’

 

ଏ ପ୍ରସ୍ତାବରେ ରୁକ୍ମିଣୀ ଆନନ୍ଦରେ ସମ୍ମତ ହେଲେ । ସେମାନଙ୍କର କଥାବାର୍ତ୍ତା ସରି ନାହିଁ, ସୁଦାମା ଆସି ସେଠାରେ ପହଞ୍ଚିଗଲେ । ସଖାଙ୍କୁ ଚଞ୍ଚଳ ଦେଖି ଶ୍ରୀକୃଷ୍ଣ ପଚାରିଲେ, ‘‘ସଖା ! ଏତେ ଅସ୍ଥିର କାହିଁକି ?’’

 

‘‘ତିନିଦିନ ହେଲା ଆସିଲିଣି ଭାରି । ତେଣେ ସଖୀ ଏକୁଟିଆ ଅଛି । କ’ଣ କରୁଥିବ ଭାବି ମନ ଘାଣ୍ଟି ହେଉଛି । ଯାଉଛି ଆଜି ।’’

 

ଶ୍ରୀକୃଷ୍ଣ ସୁଦାମାର ମନ କଥା ବୁଝି ପାରିଲେ ସତ, କିନ୍ତୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ କହିଲେ, ‘‘ସଖା, ଏଡ଼େ ଚଞ୍ଚଳ ଯିବଭାରି ? ଆଉ ଦିନେ ଓଳିଏ ରହିଲେ ଭଲ ହୁଅନ୍ତା ନାହିଁ ?’’

 

‘‘ତୁମ ସଖୀ ପରା ଏକୁଟିଆ ଅଛନ୍ତି—ଡେରି ହେଲେ ଦୁଃଖ କରିବେ ।’’

 

‘‘ହଉ, ଅନେକ ଦିନ ପରେ ଦେଖା ହୋଇଥିଲା । ଆଉ ଦିନାକେତେ ରହିଥିଲେ ଭଲ ହୋଇଥାନ୍ତା । ବାସ୍ତବିକ୍ ସଖୀ ଏକୁଟିଆ, ମନ ଦୁଃଖ କରୁଥିବେ, ହଉ ଯାଅ । ତେବେ କେବେ ଆସିବ, କହିଲ ।’’

 

‘‘ଯେତେବେଳେ ଭଗବାନଙ୍କ ବରାଦ ହେବ, ସେତେବେଳେ ଆସି ହାଜର ହେବି ।’’

 

‘‘ଯାଉଛ ତ, ସଖୀଙ୍କି ବହୁତ କରି କହିବ । ତାଙ୍କ ଖୁଦଭଜା ଭଲ ହୋଇଥିଲା । ଆରଥରକୁ ଆଉ କିଛି ଦେବେ । ହଉ, ଆସ ।’’

 

‘‘ଶ୍ରୀକୃଷ୍ଣ ତ କାହିଁ କିଛି ଦେଲେ ନାହିଁ । ତାଙ୍କୁ ତ ମାଗିବି ନାହିଁ । ତେବେ ସଖୀଙ୍କୁ ପଚାରି ଦେଖେ, ସେ ଅବା କିଛି ଦେବେ ।’’ ଭାବି ସୁଦାମା ରୁକ୍ମିଣୀଙ୍କୁ କହିଲା, ‘‘ସଖି ! ଆସୁଛି ?’’

 

‘‘ହଉ, ଆସ । ସଖୀଙ୍କୁ କହିବ ଏଥର ମୋପାଇଁ କିଛି ଦେଲେ ନାହିଁ । ଆର ଥରକୁ କିଛି ଦେବେ ।’’

 

ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କଠାରୁ ବିଦାୟ ନେଇ ସୁଦାମା ହତାଶ ହୋଇ ପଡ଼ିଲା । ସେ ଦେଖିଲା, କାହିଁ କେହି ତ କିଛି ଦେଲେ ନାହିଁ । ପୁଣି ଖାଲି ହାତରେ ଘରକୁ ଫେରି ଯିବାକୁ ହେବ । ସୁମତି କ’ଣ କହିବ ? ଘରେ ତ କିଛି ନ ଥିଲା—ପୁଣି ସେହି କଷ୍ଟ, ସେହି ଦୁଃଖ ହେବ । କରିବି ବା କ’ଣ ? ଏପରି ଭାବି କହିଲା, ‘‘ସଖା ଯାଉଛି ।’’ ଶ୍ରୀକୃଷ୍ଣ କହିଲେ, ‘‘ହଉ, ଆସ ସଖା ।’’

 

ପୁଣି ନିରାଶ ହୋଇ ସୁଦାମା ଭାବିବାକୁ ଲାଗିଲା, ‘‘କାହିଁ, ସଖା ତ କିଛି ଦବା କଥା କହିଲେ ନାହିଁ । ଏତେ ତ କହିଲି ସଥିରେ କ’ଣ ମନର ଭାବ ବୁଝିପାରିଲେ ନାହିଁ ? ଚିରା ଲୁଗା, ଛିଣ୍ଡା ଚଦର, ମଇଳା ଦେହ ଦେଖି ଯଦି ସଖା କିଛି ବୁଝି ନ ପାରିଲେ, ଆଉ ଚାରା କ’ଣ ? ତେବେ ରୁକ୍ମିଣୀଙ୍କୁ ଆଉଥରେ କହି ଚାଲିଯିବି ।’’ ଏପରି ଭାବି ସୁଦାମା ତାଙ୍କୁ କହିଲେ, ‘‘ସଖି ! ଯାଉଛି ।’’

 

‘‘ହଁ, ଆସ, ଉଚ୍ଛୁର ହେବ ।’’

 

ଯାହା ବା ଟିକିଏ ଆଶା ଥିଲା, ଏତକ ଶୁଣିଲା ପରେ ସୁଦାମା ନିରାଶ ହେଲା । ତଥାପି ତାର ଗୋଡ଼ ଚଳିଲା ନାହିଁ । ସେ ଟିକିଏ ସେଠାରେ ଠିଆ ହେଲା ।

 

ଏସବୁ ଦେଖି ଶ୍ରୀକୃଷ୍ଣ ସୁଦାମାର ମନକଥା ବୁଝିପାରିଲେ । କେବଳ ପରୀକ୍ଷାପାଇଁ ତ ଏତେ କଥା କରୁଥିଲେ । ବର୍ତ୍ତମାନ ହସି ହସି କହିଲେ, ‘‘ସଖା, ବହୁଦିନ ପରେ ଆସିଛ । ଛାଡ଼ି ଯିବାକୁ ମନ ହେଉ ନ ଥିବ । ତେବେ ଯଦି ନିତାନ୍ତ ଯିବ, ନିଅ, ମୋର ଏ ମାଳାଟି ନିଅ । ଏଠାକୁ ଆସିଥିଲ—କିଛି ସନ୍ତକ ନ ନେଇ ଯିବା ଉଚିତ ହେବନାହିଁ । ସଖୀ କ’ଣ କହିବେ ? ତେବେ ଗୋଟିଏ କଥା ମନେ ରଖିବ—ଏ ମାଳାର ଗୁଣ ଏହି ଯେ ଏହାକୁ ପ୍ରଥମ ଥର ଯାହା ମାଗିବ, ତାହା ପାଇବ । ପରେ ଆଉ ମାଗିଲେ ମିଳିବ ନାହିଁ ।’’ ଏହା କହି ଗୋଟିଏ କୌସ୍ତୁଭମାଳା ନିଜ ବେକରୁ କାଢ଼ି ସଖାଙ୍କ ବେକରେ ଲମ୍ୱାଇ ଦେଲେ ।

 

ମାଳାଟି ପାଇବା ପରେ ପୁଣି ସୁଦାମା ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କଠାରୁ ବିଦାୟ ନେଇ ବାହାରି ପଡ଼ିଲା । ସିଂହଦ୍ୱାର ଟପି ଦ୍ୱାରିକା ଦାଣ୍ଡରେ ଚାଲିବାକୁ ଲାଗିଲା । ମନେ ମନେ ଭାବିଲା, ‘‘ଏ ମାଳାର ତ ଏତେ ଗୁଣ ଅଛି—ଥରେ ଯାହା ମାଗିବ, ଦେବ । ତେବେ ମାଗିବି ବା କ’ଣ ? ନାହିଁ ଯାଉଛି ଘରକୁ—ସୁମତିକୁ ଦେବି । ସେ ଯାହା ମାଗିବ । ପରେ ମୋତେ ଆଉ ଧନପାଇଁ କେବେ କହିବ ନାହିଁ ।’’ ଏପରି ଭାବି ଭାବି ବ୍ରଜଆଡ଼କୁ ଚାଲିବାକୁ ଲାଗିଲା ।

 

ଏଣେ ଦେବର୍ଷି ନାରଦ ଏସବୁ ଦୃଶ୍ୟ ଦେଖି ସମ୍ଭାଳି ପାରିଲେ ନାହିଁ । ‘‘ଶ୍ରୀକୃଷ୍ଣ କ’ଣ ନ କଲେ ? ରୁକ୍ମିଣୀ ହାତରେ ଗୋଡ଼ ଧୁଆଇଲେ—ନିଜର କୌସ୍ତୁଭମାଳାଟି ଦେଲେ—ଯାହାର ଫଳରେ ସେ ଇଚ୍ଛାକଲେ ସ୍ୱର୍ଗରେ ଇନ୍ଦ୍ରପଦ ପାଇପାରେ । ଏ ତ ବଡ଼ ଆଶ୍ଚର୍ଯ୍ୟ କଥା । ଯେ ଶହ ଶହ ବର୍ଷ ନ ଖାଇ ନ ପିଇ ସବୁବେଳେ ତାଙ୍କର ଧ୍ୟାନ କରୁଛି, ତାହା ପ୍ରତି ତ ଏପରି ଅନୁଗ୍ରହ ନାହିଁ–ଏ ଗରିବ ପ୍ରତି ଏଡ଼େ ଆଗ୍ରହ—ଏଡ଼େ ଅନୁଗ୍ରହ । ହେଉ, ଦେଖେ ଏ ମାଳା ନେଇ ସେ କ’ଣ କରୁଛି ।’’ ଏପରି ଭାବି ସୁଦାମାର ପଛେ ପଛେ ଲୁଚି ଲୁଚି ଚାଲିଲେ । ସୁଦାମା କିନ୍ତୁ ଏସବୁ କିଛି ଜାଣିଲା ନାହିଁ । ସେ ତ ସାଦାସିଧା ଲୋକ—କୂଟନୀତି କ’ଣ, ଆଦୌ ଜାଣେ ନାହିଁ । ନିଜର ନିରୀହ ବ୍ୟବହାରରେ ଜଗତକୁ ସାଧୁ ସନ୍ଥ ବୋଲି ଭାବେ । ରାଜଦରବାରରେ ଏପରି ମତ୍ସରୀ ରହି ପାରନ୍ତି, ଈର୍ଷାପରାୟଣ ହୋଇ ବୃଥାରେ ଅନିଷ୍ଟ କରି ପାରନ୍ତି, ଏ ଧାରଣା ବା ତାହାର କାହିଁକି ହେବ ? ସେ ସୁମତି କଥା ଭାବି ଭାବି ଘର ଆଡ଼କୁ ଚଞ୍ଚଳ ଯିବାକୁ ଲାଗିଲା ।

☆☆☆

 

ଷଷ୍ଠ ପରିଚ୍ଛେଦ

ଭକ୍ତର ପରୀକ୍ଷା

 

ସ୍ୱାମୀ ଚାଲିଯିବା ପରେ ସୁମତିର ମନ ଭାରି ଘାଣ୍ଟି ହେଲା । ସେ ସବୁବେଳେ ତାଙ୍କରି କଥା ଭାବିବାକୁ ଲାଗିଲା । ‘‘ସେ ତ ଜମା ମଙ୍ଗୁ ନ ଥିଲେ—କିଆଁ ତାଙ୍କୁ ବାଧ୍ୟ କରି ପଠାଇଲି ? କୁଆଡ଼େ ଗଲେ ? ବାଟରେ କି ଅନିଷ୍ଟ ହେଲା ? ମେଘ ତ ବରାବର ବର୍ଷୁଥିଲା—ପାଖରେ ତ ଛତା ନ ଥିଲା । ଖଣ୍ଡିଏ ବୋଲି ଲୁଗା । ଆହା, ସେ ଖଣ୍ଡିକ ତିନ୍ତି ଯାଇଥିଲେ କି କଷ୍ଟ ପାଇଥିବେ ? କାହିଁକି ବା ଏ ଚଣ୍ଡାଳ ବୁଦ୍ଧି କଲି ? ଯାହା ତ ଭଗବାନଙ୍କର ବରାଦ ଥିଲା, ସେଥିରେ ତ ଦୁଃଖେ କଷ୍ଟେ ଚଳୁଥିଲୁ । ଆର ଜନ୍ମରେ ତ ଯେପରି କରିଛୁ, ଏ ଜନ୍ମରେ ତ ସେପରି ଚଳିବୁ । ବହୁତ ଆଶା କଲେ ବା କୁଆଡ଼ୁ ମିଳିବ ? ବୃଥା ଦୁଃଖ କରି ଦୁଃଖ ଭିଆଇଲି—ଏତେ ହନ୍ତସନ୍ତ ହେଲି । ସତେ ସେ ଫେରି ଆସିବେ, ତାଙ୍କୁ ଦେଖିବି ? ଭଗବାନ ସତେ ତାଙ୍କୁ ସାହା ହେବେ, ନିରାପଦରେ ପହଞ୍ଚାଇ ଦେବେ ? ହେ ଭଗବାନ୍, ଅନାଥିନୀ ଶରଣ ପଶୁଛି, ତାକୁ ଆଉ ଏ ଦୁର୍ବୁଦ୍ଧି ଦିଅ ନାହିଁ—ଆଉ ଦିନେ ଏପରି ଲୋଭରେ ମନ ଦିଅ ନାହିଁ । ପାପର ପ୍ରାୟଶ୍ଚିତ କଲାଣି । ଏଣିକି ଏକା ତୁମେ ସାହା ।’’ ଏହିପରି ଦିନରାତି ନାନାକଥା ସୁମତି ଭାବୁଛି ସବୁବେଳେ ସ୍ୱାମୀଙ୍କର ଫେରିଯିବା ବାଟକୁ ଚାହିଁ ରହିଛି—ସତେ କେତେବେଳେ ଫେରି ଆସିବେ ! ଚାହୁଁ ଚାହୁଁ ତ ଆଠଦିନ ବିତିଲାଣି—ସ୍ୱାମୀ ତ ଫେରିଲେ ନାହିଁ । ଏ ସବୁ କଥା ଭାବି ତାର ଦୁଃଖର ସୀମା ନାହିଁ । ସାରାଦିନ ତା’ ଆଖିରୁ ଲୁହ ବହୁଛି—ଖିଆ ନାହିଁ, ପିଆ ନାହିଁ—ଏକ ଧ୍ୟାନରେ ଏକ ଆସନରେ ସ୍ୱାମୀଙ୍କର ବାଟକୁ ଚାହିଁଛି । ରାତ୍ରି ହେଲା—ତଥାପି ସ୍ୱାମୀ ଫେରିଲେ ନାହିଁ । କେତେବେଳ ଯାଏ ଏକ ମନରେ ଚାହିଁ ରହିଲା । ପରେ କେତେବେଳେ ବାଧାରେ, ଦୁଃଖରେ ନିଦ ଲାଗିଗଲା, ତାକୁ ଜଣା ନାହିଁ । ସେ ଶୋଇ ପଡ଼ିଛି—ସଂସାରର ମାୟା, ମମତା, ଦୁଃଖ, ଶୋକ ସବୁ ଭୁଲି ଯାଇଛି । ଆହା ନିଦ୍ରାର କି ଆରାମଦାୟିନୀ ଶକ୍ତି !

 

ଏଣେ ସୁଦାମା ବିଦାୟ ନେଇ ଫେରିଗଲା ପରେ ରୁକ୍ମିଣୀ ମନେ ମନେ ଭାବିଲେ, ସଖାର ହୃଦୟ ତ ଏଡ଼େ ନିର୍ମ୍ମଳ, ଏଡ଼େ ପବିତ୍ର—ନିତାନ୍ତ ଗରିବ ହେଲେ ମଧ୍ୟ ଧନ ପ୍ରତି ବିତୃଷ୍ଣ ଅଥଚ ଉଦାର । ଏଡ଼େ ନିଷ୍କାମଭକ୍ତି କ୍ୱଚିତ୍ ଅନ୍ୟଠାରେ ଦେଖାଯାଏ । ତେବେ ସଖୀଙ୍କର ହୃଦୟ ତ ଜଣାଗଲା ନାହିଁ । ପରୀକ୍ଷା କଲେ ହୁଅନ୍ତା । ଏପରି ଭାବି କାହାକୁ କିଛି ନ କହି ଭିକାରୁଣୀବେଶରେ ବାହାରି ପଡ଼ିଲେ ।

 

ନିଶାରାତ୍ରି । ଚାରିଆଡ଼ ନୀରବ—କାହାରି ଦେଖାସାକ୍ଷାତ ନାହିଁ । ଆକାଶ ମେଘାଚ୍ଛନ୍ନ—ଝୁପୁଝୁପୁ ବର୍ଷା ହେଉଛି—ମୁହଁକୁ ମୁହଁ ଦିଶୁନାହିଁ । ଯେ ଯେଉଁଠି ଘରଦ୍ୱାର ବନ୍ଦ କରି ଶୋଇ ପଡ଼ିଛନ୍ତି । ସେତେବେଳେ ପ୍ରକୃତି ନୀରବ ହେଲେ ମଧ୍ୟ ଗମ୍ଭୀର । ଠିକ୍ ଏହି ସମୟରେ ଭିକାରୁଣୀ ବେଶରେ ରୁକ୍ମିଣୀ ବ୍ରଜଧାମରେ ପହଞ୍ଚିଲେ—ଚାରିଆଡ଼ ବୁଲି ଦେଖିଲେ ସମସ୍ତଙ୍କ କବାଟ ବନ୍ଦ । ଅନେକ ଧନୀ ଲୋକଙ୍କ ଦ୍ୱାରେ କେତେ ଭିକାରି ରଡ଼ି ଛାଡ଼ିଛନ୍ତି—ଆତୁର ହୋଇ ଖାଇବାକୁ ମାଗୁଛନ୍ତି କିନ୍ତୁ କେହି ଶୁଣୁନାହାନ୍ତି, ଯେପରି ରାତ୍ରିର ନିସ୍ତବ୍ଧତା ସମସ୍ତଙ୍କ କର୍ଣ୍ଣ ବଧିର କରି ଦେଇଛି-। ଏସବୁ ଘଟଣା ରୁକ୍ମିଣୀ ବୁଲି ବୁଲି ଦେଖିଲେ—ଶେଷରେ କେବଳ ସୁଦାମାର ଦାଣ୍ଡଦ୍ୱାର ଖୋଲା ଦେଖି କାହାକୁ କିଛି ନ କହି ଘର ଭିତରକୁ ଚାଲିଗଲେ ।

 

ସେତେବେଳେ ସୁମତିର ନିଘୋଡ଼ ନିଦ—କେବଳ ମଝିରେ ମଝିରେ ଘୁଙ୍ଗୁଡ଼ି ଶବ୍ଦ ଶୁଭୁଛି-। ହଠାତ୍ ପଦଶବ୍ଦ ଶୁଣି ସେ ଚମକି ପଡ଼ିଲା । ତାର ଦୃଢ଼ ଧାରଣା ଥିଲା, ଆଜି ନିଶ୍ଚୟ ସ୍ୱାମୀ ଫେରିବେ । ସେଥିପାଇଁ ସେ ଦ୍ୱାର ଖୋଲା ରଖି ତାଙ୍କ ଅପେକ୍ଷାରେ ଥିଲା । ହଠାତ୍ ଯେ କେତେବେଳେ ନିଦ ହୋଇଯାଇଛି, ତାକୁ ଜଣା ନାହିଁ । ସ୍ୱାମୀ ଆସିଲେ ବୋଲି ସେ ତରତର ହୋଇ ଦ୍ୱାରମୁହଁକୁ ଆସି ଦେଖେ ତ, ଜଣେ ଭିକାରୁଣୀ ସେଠି ଠିଆ ହୋଇଛି—ସ୍ୱାମୀ ଆସି ନାହାନ୍ତି। ତାହାର କେତେ ଆଶା, ଭରସା ବିଜୁଳି ପ୍ରାୟ ଚଞ୍ଚଳ ଉଭେଇ ଗଲା ସତ, ମାତ୍ର ସେ ଭିକାରୁଣୀ ପାଖରେ ଠିଆ ହୋଇ ରହିଲା ।

 

ସୁମତିକୁ ଦେଖି ରୁକ୍ମିଣୀ କହିଲେ, ‘‘ମା, ମୁଁ ବଡ଼ ଗରିବ ବର୍ଷାରେ ମୋ ଲୁଗା ଖଣ୍ଡିକ ତିନ୍ତି ଯାଇଛି—ଆଉ ଏତେ ରାତ୍ରିରେ ରହିବାକୁ ଟିକିଏ ଜାଗା ଦେ । ମୁଁ କାଲି ଭୋରରୁ ଉଠି ଚାଲିଯିବି-।’’

 

ଭିକାରୁଣୀର ଦୁଃଖରେ ସୁମତିର ଦୟା ହେଲା । ଦୁଃଖୀ ଯଥାର୍ଥରେ ଦୁଃଖୀର କଥା ବୁଝିପାରେ—ଅନ୍ୟ ପକ୍ଷରେ ତାହା ସମ୍ଭବପର ନୁହେଁ । ସୁମତି ଦୁଃଖରେ ସମବେଦନା ଜଣାଇ କହିଲା, ‘‘ମା, ତୁମେ କିଏ ? ଏତେ ରାତ୍ରିରେ ଏକୁଟିଆ ଏଣେ କୁଆଡ଼େ ?

 

‘‘ମା, ମୋର ଘର ବହୁଦୂର । ନିତାନ୍ତ ଗରିବ—ଘରେ ଖାଇବାକୁ ଦାନା ନଥିଲା । ଭିକ୍ଷାଲାଗି ଦିନବେଳେ ଘରୁ ଆସିଥିଲି । ଭିକ ମାଗୁ ମାଗୁ ଉଛୁର ହୋଇଗଲା । ବର୍ଷା ହେଲା । ଆଉ ତ କୁଆଡ଼େ ଯାଇ ପାରିଲି ନାହିଁ । ଏବେ ମେଘ ଟିକିଏ କମି ଆସିବାରୁ କେଉଁଠି ବିଶ୍ରାମ କରି ରାତିଟା କଟାଇ ଦେବି, ଏଥିଲାଗି ସମୁଦାୟ ବ୍ରଜ ବୁଲି ଆସିଲିଣି—କାହିଁ ଟିକିଏ ସ୍ଥାନ ପାଇଲି ନାହିଁ-। ସମସ୍ତଙ୍କ ଦ୍ୱାର ବନ୍ଦ । ଦୈବାତ୍ ତୁମ ଦ୍ୱାର ଖୋଲା ଥିଲା । ତେଣୁ ଏଠିକି ଆସିଲେ ଭାରି-। ତୁମେ ଏକା କିଆଁ ?’’

 

‘‘ମୋପରି ଦୁଃଖିନୀ—ଅଭାଗିନୀ ଏ ଦୁନିଆରେ ନାହାନ୍ତି, ମା ! ସେଦିନ ସେ ମଙ୍ଗୁ ନ ଥିଲେ । ଘରେ କିଛି ନ ଥିଲା । ଦ୍ୱାରକାର ରାଜା ଶ୍ରୀକୃଷ୍ଣ ତ ତାଙ୍କର ପିଲାଦିନର ସାଙ୍ଗ ବୋଲି କହନ୍ତି । କି ଦୁର୍ବୁଦ୍ଧି ଘୋଟିଲା ମା, ସେ ମନା କରୁଥିଲେ, ତାଙ୍କୁ ଦ୍ୱାରକା ପଠାଇ ଦେଲି । ଏବେ ଆଠଦିନ ବିତିଲାଣି । କାହିଁ ସେ ଫେରିଲେ ନାହିଁ । ସେଇ ଦୁଃଖରେ—ସେଇ ଚିନ୍ତାରେ ତାଙ୍କ ଆସିବା ବାଟ ଚାହିଁ ବସିଥିଲି । କେତେବେଳେ କାଳ ନିଦ ମାଡ଼ି ଆସିଲା, ଜାଣି ପାରିଲି ନାହିଁ । ଦ୍ୱାରଘର ସବୁ ମେଲା ଥିଲା । ହଉ ମା, ଦୁଃଖିନୀ କି ଦୁଃଖିନୀ ସାହା । ତମେ ଏଠି ଆଜି ରାତିକ ରହ । ଏତେବେଳେ ଆଉ କୁଆଡ଼େ ଯିବ ?’’

 

ଏ କଥା ଶୁଣି ଭିକାରୁଣୀରୂପରେ ଆସିଥିବା ସାରା ଦୁନିଆର ମା’ ରୁକ୍ମିଣୀଙ୍କର ସୁମତି ପ୍ରତି ଦୟା ହେଲା । ଦୁହେଁ ଦୁହିଁଙ୍କର ଦୁଃଖରେ ସମବେଦନା ଜଣାଇଲେ । ପରେ ସୁମତି ଆଦରରେ ଭିକାରୁଣୀର ହାତ ଧରି ଘରଭିତରକୁ ନେଇଗଲା । ଯେଉଁ ଯାଗାଟି ଟିକିଏ ଶୁଖିଲା ଥିଲା, ସେଠି ଖଣ୍ଡେ ମଶିଣା ପକାଇ ଦେଇ ବସାଇ ଦେଲା । ପରେ କହିଲା, ‘‘ଯାର ଆଶ୍ରୟ ଅଛି, ସେ ବା କାହିଁକି ଅନ୍ୟକୁ ଆଶ୍ରୟ ଦିଏ ନାହିଁ ମା ? ମନୁଷ୍ୟ ହୋଇ ଯେ ନିରାଶ୍ରୟକୁ ଆଶ୍ରୟ ନ ଦିଏ, ସେ ବା କି ମନୁଷ୍ୟ ? ତାର ଘର କରି କହିବାରେ କି ଲାଭ ? ମା, ଆଉ ଗୋଟିଏ କଥା—ତୁମେ ଏତେ ରାତିରେ ଆସିଲ—ମୁହଁଟି ଶୁଖିଲା ଦିଶୁଛି । କ’ଣ କରିବି ? ଉପାୟ ବା କ’ଣ ? ଘରେ ତ କିଛି ନାହିଁ । ସେ ତ ଫେରି ନାହାନ୍ତି । ଆଉ ତ ମୋତେ କିଛି ବୁଦ୍ଧି ଦିଶୁନାହିଁ ।’’

 

ଏହିପରି ନିଜର ଦୁଃଖର କଥା କହିଲା ବେଳେ ସୁମତିର ଆଖିରୁ ଲୁହ ବହିଗଲା—ଛାତି ଦୁଃଖରେ ଥରିବାକୁ ଲାଗିଲା । ସେ କୌଣସି ମତେ ନିଜର ଆଖିରୁ ଲୁହତକ ଲୁଗାକାନିରେ ପୋଛି ଦେଇ ଭିକାରୁଣୀ ସଙ୍ଗେ କଥାବାର୍ତ୍ତା କଲା । ରୁକ୍ମିଣୀ ତାହାର ବିକଳଭାବ ଦେଖି ବହୁତ ପ୍ରବୋଧ ଦେଲେ ଏବଂ କହିଲେ, ‘‘ମା, ଦୁଃଖ କର ନାହିଁ । ଦୁଃଖ କରି କିଛି ଲାଭ ନାହିଁ । ଏ ସଂସାରର ନୀତି–ଯାହାର ହୃଦୟ ନାହିଁ, ତାର ପ୍ରଚୁର ସମ୍ପତ୍ତି ରହିଛି, ଅଥଚ ହୃଦୟ ଥିଲା ଲୋକ ଗରିବ । ଭଗବାନଙ୍କ ବିଧାନର ନିଗୂଢ଼ ରହସ୍ୟ କିଏ ବୁଝିବ ମା’ ? ଯାହାହେଉ ତୋର ଏତେ ରାତ୍ରିରେ ବ୍ୟସ୍ତ ହେବାର ଦରକାର ନାହିଁ । କେତେ ଦିନ ତ ଏପରି ନ ଖାଇ ନ ପିଇ କଟି ଯାଇଛି–ଆଜି ରାତିଟା ପାଇଁ ଏତେ ଦୁଃଖ କାହିଁକି ? ରାତି ତ ବହୁତ ହେଲାଣି । ଏତେବେଳେ ନ ଖାଇଲେ ବେଶ ଚଳିଯିବ । ଆସ ଶୋଇ ପଡ଼ିବା ।’’

 

ଏ କଥା ଶୁଣି ସୁମତି ମନରେ ଭାରି ଦୁଃଖ ହେଲା । ସେ ମନେ ମନେ ଭାବିବାକୁ ଲାଗିଲା, ‘‘କ’ଣ ବା କରିବି ? ଘରେ ଅତିଥି ପହଞ୍ଚିଛନ୍ତି—ସେ ଭୋକଶୋଷରେ ଅସ୍ଥିର, ଅଥଚ ଘରେ ମୁଠିଏ ଅନ୍ନ ନାହିଁ । ପୂର୍ବଜନ୍ମରେ କି ପାପ କରିଥିଲି ଯେ ଏ ଜନ୍ମରେ ଏ ଦୁଃଖ, ଏ କଷ୍ଟ ଭୋଗୁଛି । ଶାସ୍ତ୍ରରେ ପରା ଅଛି, ଯାହା ଘରୁ ଅତିଥି ନିରାଶ ହୋଇ ଫେରିଯାଏ, ତାକୁ ସମସ୍ତ ପାପ ଦେଇଯାଏ । ବର୍ତ୍ତମାନ କି ଉପାୟ ଅଛି ? ଏ ଦୁଃଖମୟ ଜୀବନ ଧରି ବା କି ଲାଭ ପ୍ରଭୋ !’’ ଏପରି କିଛି ସମୟ ଭାବି ଗୋଟିଏ ମାଠିଆ କାଖେଇ ସୁମତି ପାଣି ଆଣିବା ବାହାନାରେ ଏଥର ବୁଡ଼ି ମରିବ, ଆଉ କାହାକୁ ଏ ପୋଡ଼ା ମୁହଁ ଦେଖାଇବି ନାହିଁ । ଠିକ୍ ଏତିକି ବେଳେ ଭିକାରୁଣୀ ପଚାରି ଦେଲେ, ‘‘ମା, ଏତେ ରାତିରେ ଏକୁଟିଆ କୁଆଡ଼େ ଯାଉଛ ?’’

 

‘‘ନାହିଁ ମା, ଘରେ ଟୋପାଏ ପାଣି ନାହିଁ । ପାଣିପାଇଁ ପୋଖରୀକୁ ଯାଉଛି । ତୁମେ ଟିକିଏ ବସିଥାଅ ।’’ ଏତିକି କହି ସୁମତି ଉତ୍ତର ଅପେକ୍ଷା ନ କରି ବାହାରିଗଲା ।

 

ରୁକ୍ମିଣୀ ସୁମତିର ମନର ଅଭିଳାଷ ଜାଣି ପାରି ମନେ ମନେ ଭାବିବାକୁ ଲାଗିଲେ, ‘‘ସଖି-! ତୁମ୍ଭର ମନୋବାଞ୍ଛା ସଫଳ ହେବ ନାହିଁ । କାହିଁକି ଏ ଦୁଃସାହାସ କରୁଛ ?’’

 

ସେତେବେଳକୁ ବର୍ଷା ଏକବାରେକେ ଛାଡ଼ି ଯାଇଥିଲା । ଆକାଶ ନିର୍ମ୍ମଳ । ନକ୍ଷତ୍ରଗୁଡ଼ିକ ଦୀପାବଳି ଅମାବାସ୍ୟା ଦିନ କୋଠା ଉପରେ ଦୀପାଳି ପରି ଜକ ଜକ ହୋଇ ଦିଶୁଛି । ଚନ୍ଦ୍ରଜ୍ୟୋତ୍ସ୍ନା ଚାରିଆଡ଼େ ଖେଳିଯାଇଛି—ଯେପରି ଅନ୍ଧାରକୁ ଶୂନ୍ୟରୁ ଜଗି ରହିଛି । ଫଳରେ ଅନ୍ଧାର ଚୋରଙ୍କ ପରି ଅନ୍ଧିସନ୍ଧି କେଉଁ କଣରେ ଲୁଚି ଯାଇଛି । ପ୍ରକୃତି ନୀରବ ଅଥଚ ପ୍ରସନ୍ନ—ଝଡ଼ ତୋଫାନରେ ଶାନ୍ତ ଓ ସ୍ଥିର । ଏତିକିବେଳେ ସୁମତି ଏକ ମୁହାଁ ଏକ ନିଃଶ୍ୱାସରେ ମାଠିଆଟି ଧରି ଗାଁମୁଣ୍ଡ ପୋଖରୀ କୂଳେ ପହଞ୍ଚିଗଲା । ସେ କିନ୍ତୁ ବର୍ତ୍ତମାନ ଅଶାନ୍ତ, ଅସ୍ଥିର । ଫଳରେ ମନରେ ଭୟ ନାହିଁ କୁଆଡ଼କୁ ଦୃଷ୍ଟି ନାହିଁ । ଏକ ଲକ୍ଷ୍ୟ—ଏକ ଚିନ୍ତା—‘‘ଏ ପୋଡ଼ା ପ୍ରାଣ ଆଉ ରଖିବି ନାହିଁ—ଏ ଦୁଃଖ ଆଉ ସହିବି ନାହିଁ ।’’

 

ବର୍ଷାଦିନ ପୋଖରୀ—ଗଲା କେତେ ଦିନ ଲଗାଣ ବର୍ଷାରେ ପୂରି ଯାଇଛି । ବେଙ୍ଗଗୁଡ଼ିକ ଭାରି ରଡ଼ି ଛାଡ଼ୁଛନ୍ତି । ସେ ଧ୍ୱନିରେ ପୋଖରୀଟି ମୁଖରିତ ହେଉଛି, ଯେପରି ସମସ୍ତଙ୍କୁ କୌଣସି ଦୁଃସାହାସିକ କାର୍ଯ୍ୟ କରିବାରୁ ନିବୃତ୍ତ ହେବାକୁ ସାବଧାନ କରି ଦେଉଛି । ଚନ୍ଦ୍ରର କିରଣରେ ପୋଖରୀର ଜଳ ଚକ୍ ଚକ୍ କରୁଛି । କି ସୁନ୍ଦର ସେ ଦୃଶ୍ୟ ! କିନ୍ତୁ ଅନ୍ୟକର୍ମ୍ମା ସୁମତିର ଦୃଷ୍ଟି ସେ ଦୃଶ୍ୟରେ ନାହିଁ—ସେ ସତର୍କବାଣୀ ଗ୍ରହଣ କରିବାରେ ନାହିଁ ତାହାର ଲକ୍ଷ୍ୟ ଭିନ୍ନ !

 

ପୋଖରୀ କୂଳେ ମାଠିଆଟି ଥୋଇ ସୁମତି ନିଜର ଲୁଗାଟି ଅଣ୍ଟା ଚାରିପଟେ ଭଲକରି ଭିଡ଼ି ବାନ୍ଧି ହେଲା । ଥରେ ପୋଖରୀ ଆଡ଼କୁ ଚାହିଁଲା, ପୋଖରୀ ଦଳଭରା—ଆଉ ଲକ୍ଷ୍ୟ ସିଦ୍ଧି କରିବାରେ ଅସୁବିଧା ନାହିଁ । ଯେତେ ହେଲେ ସେ ଆତ୍ମଘାତୀ—ତାହାର ଭୟ କିଏ କାଳେ କେଉଁଠି ଚାହିଁଥିବ—ବା କିଏ କେଉଁଆଡ଼ୁ ଆସୁଥିବ । ସେଥିପାଇଁ ସେ ଥରେ ଚାରିଆଡ଼କୁ ଭଲ କରି ଚାହିଁ ଦେଲା ଦେଖିଲା, କେହି କୁଆଡ଼େ ନାହାନ୍ତି । ତେଣୁ ଅଭୀଷ୍ଟ ସିଦ୍ଧିର ପରମ ସୁଯୋଗ ମନେ କରି ଜୀବନର ଶେଷ ମୁହୂର୍ତ୍ତରେ ପତିଙ୍କର ଚରଣ ତଳେ ପ୍ରଣାମ କରି ବାଳସଖା ଶ୍ରୀକୃଷ୍ଣଙ୍କୁ ମନେ ମନେ ସ୍ମରଣ କରି ପୋଖରୀ ଭିତରକୁ ଡେଇଁ ପଡ଼ିବା ବେଳେ ଦେଖେ ତ ପୋଖରୀ ଶୁଷ୍କ । ଏ ଦୃଶ୍ୟ—ଅଦ୍ଭୁତ ଦୃଶ୍ୟ—ଆଶ୍ଚର୍ଯ୍ୟ ପରିବର୍ତ୍ତନରେ ସୁମତି ଅବାକ୍, ତଟସ୍ଥ । ତାହାର ବୁଦ୍ଧି ହଜିଗଲା ସେ ଉପାୟ ନ ଦେଖି ପୋଖରୀ ବନ୍ଧରେ ଯାଇ ଠିଆ ହେଲା । ମନେ ମନେ ଭାବିଲା, ‘‘କି ଆଶ୍ଚର୍ଯ୍ୟ ! ପୋଖରୀ ଜଳରେ ପୂରିଥିଲା—କାହିଁ ହଠାତ୍ ଶୁଖିଗଲା । ଇମିତି କଥା ତ କେଉଁଠି ଶୁଣାନାହିଁ, ଦେଖିବା ତ ଦୂରର କଥା । ଯାହା କହନ୍ତି, ‘ଅଭାଗା ଛୁଇଁ ଦେଲେ ତ ମହାସାଗର ଶୁଖିଯାଏ’ ଏକଥା ସତ—ଆଜି ତ ଚାକ୍ଷୁଷ ପ୍ରମାଣ ପାଇଲି । ବର୍ତ୍ତମାନ କରେଁ କ’ଣ ? ଘରକୁ ବା କିମିତି ଫେରିବି ? ଅତିଥିଙ୍କୁ କ’ଣ ଖାଇବାକୁ ଦେବି ? ସେ ବା କ’ଣ କହିବେ ? ତାଙ୍କୁ ଆଶ୍ୱାସନା ଦେଇ ଆସିଲି—ପାଣି ଆଣିଲେ ଘରେ ଯେଉଁ ଚାଉଳ ମୁଠିକ ଅଛି, ତାକୁ ଫୁଟାଇ ଦେବି, କିନ୍ତୁ ବର୍ତ୍ତମାନ ତାଙ୍କୁ ନିରାଶ କଲେ ସେ କ’ଣ କହିବେ, କ’ଣ ଭାବିବେ ।’’ ଏହି କଥା ଭାବିଲା ବେଳେ ତାହାର ଦୁଇ ଆଖିରୁ ଦୁଇ ଧାର ଲୁହ ବହିଗଲା । ଘରକୁ ଫେରିବାକୁ ମନ ହେଲା ନାହିଁ ।

 

ଠିକ ଏତିକି ବେଳେ ଗଉଡ଼ ବେଶରେ ଶ୍ରୀକୃଷ୍ଣ ଚାଉଳ, ଡାଲି, ପରିବା ଓଗେର ଗୋଟିଏ ଭାରରେ ଲଦି ସେଠି ପହଞ୍ଚିଲେ । ସୁମତିକୁ ଏକୁଟିଆ ଏତେ ରାତ୍ରିରେ ଦେଖି ତାହାର ମନର ଭାବ ସବୁ ବୁଝି ପାରିଲେ ସତ, କିନ୍ତୁ ସେଇଟା ଲୁଚାଇବା ଉଦ୍ଦେଶ୍ୟରେ ପଚାରିଲେ, ‘‘ମାଉସି ! ତୁମେ କିଏ ? ଏକୁଟିଆ ଏତେ ରାତ୍ରିରେ ଏ ପୋଖରୀ କୂଳେ କ’ଣ କରୁଛ ? ଏ ଗାଁରେ ସୁଦାମା ଗୋସେଇଁଙ୍କର ଘର କେଉଁଠି, କହି ପାରିବ କି ?’’

 

ଏତେ ରାତ୍ରିରେ ଅଜଣା ଅଶୁଣା ଲୋକ ମୁଖରେ ସୁଦାମାର ନାମ ଶୁଣି ସୁମତି ଅତି ଆଗ୍ରହରେ, ଆନନ୍ଦରେ ପଚାରିଲା, ‘‘ତୁମେ କିଏ ବାପା ? ତାଙ୍କୁ କାହିଁକି ଖୋଜୁଛ ? ସେ କାହାନ୍ତି-?’’

 

‘‘ମୁଁ ଗୋଟିଏ ଗଉଡ଼ପିଲା ମାଉସି ! ଦ୍ୱାରକା ବାଟରେ ସୁଦାମା ଗୋସାଇଁଙ୍କ ସଙ୍ଗେ ଦେଖା ହେଲା । ସେ ମୋତେ ଏ ଭାର ଦେଇ ପଠାଇ ଦେଲେ । ମୁଁ ଆଗେ ଆଗେ ଆସୁଛି । ଗୋସେଇଁ ଚାଲି ନ ପାରିବାରୁ ପଛରେ ପଡ଼ିଛନ୍ତି । ଅଜଣା ଅଚିହ୍ନା ଗାଁ—ରାତି ବେଳ । କିଛି ଠିକ୍‍ କରି ପାରୁନାହିଁ । ତୁମ କଥାରୁ ଜାଣିପାରୁଛି ମାଉସି, ତୁମେ ତାଙ୍କ ଘର ମଣିଷ ହେବ ପରା ! ତେବେ ବାଟ ଦେଖେଇ ଦେଖେଇ ଚାଲ—ମୁଁ ପଛେ ପଛେ ଯାଉଛି । ତୁମ ଜିମା ତାଲିକା ମୁତାବକ ଜିନିଷତକ ମଡ଼ାଣ ଦେଇ ଦେଲେ ଖଲାସ ପାଇବି ।’’

 

ଏ କଥା ଶୁଣି ସୁମତିର ଆନନ୍ଦର ସୀମା ରହିଲା ନାହିଁ । ଏତେ ରାତ୍ରିରେ ଏକାକୀ ପିଲାଟି ଏଡ଼େ ଭାରି ଭାର କାନ୍ଧେଇ ଆଣିବାର ଦେଖି ତାର ମନରେ ଦୁଃଖ ହେଲା । ସେ ସ୍ନେହର ସହିତ କହିଲା, ‘‘ଆହା, ପିଲାଟିକୁ କେଡ଼େ କଷ୍ଟ ହେବଣି । କେଡ଼େ ଓଜନ—ସେ କ’ଣ ଟିକିଏ ବୁଝି ପାରିଲେ ନାହିଁ ! ହଉ, ମୋତେ ଗୋଟିଏ ବୋଝ ଦିଅ ଅନ୍ୟଟି ତୁମେ ଧର ।’’

 

ତାପରେ ସୁମତି ଗୋଟିଏ ବୋଝ ମୁଣ୍ଡେଇ ପାଣି ମାଠିଆଟି କାଖେଇ ଆଗେ ଆଗେ ଚାଲିଲା । ଶ୍ରୀକୃଷ୍ଣ ଅନ୍ୟ ବୋଝଟି ଧରି ପଛେ ପଛେ ଚାଲିଲେ ।

 

ବାଟରେ ଯିବା ବେଳେ ସୁମତିର ମନରେ କେତେ ଆନନ୍ଦର ଢେଉ ଖେଳିଗଲା, ତାର ସୀମା ନାହିଁ । ସେ ମନେ ମନେ ଭାବିବାକୁ ଲାଗିଲା, ‘ସେ ଦ୍ୱାରକାରୁ ଫେରିଛନ୍ତି—ଶ୍ରୀକୃଷ୍ଣ ଏସବୁ ଜିନିଷ ଦେଇଛନ୍ତି । ଘରେ ଭିକାରୁଣୀଟି ଚାହିଁ ରହିଥିବ । ଯାହାହେଉ, ବିପଦରୁ ରକ୍ଷା ପାଇଲି । ଆହା, ତାଙ୍କର ଦୟା କି ଅସୀମ !’’

 

ଏହିପରି ଭାବୁଁ ଭାବୁଁ ଦୁହେଁ ଘରେ ପହଞ୍ଚିଲେ । ସୁମତି ଜିନିସତକ ମଣି ନେଇ ସେ ପିଲାଟିକୁ କହିଲା, ‘‘ବାପା, ବସ । ଚାଲି ଚାଲି ହାଲିଆ ହୋଇଥିବ । ମୁଁ ଗଣ୍ଡାଏ ରୋଷେଇ କରିଦିଏଁ, ଖାଇବ । ଏତେ ରାତ୍ରିରେ କୁଆଡ଼େ ଯିବ ? ନ ହେଲେ ଗୋସାଇଁ ଆସିଲେ ମୋ ଉପରେ ବିରକ୍ତ ହେବେ ।’’

 

‘‘ହେଉ ମାଉସି ! ମୋତେ ଭାରି ବାଧା ଲାଗୁଛି । ଆଉ ଏତେବେଳେ କୁଆଡ଼େ ଯିବି ? ଏଠି ଶୋଇଛି—ତୁମେ ରନ୍ଧାରନ୍ଧି କର ।’’

 

ସୁମତି ଦେଖିଲା ଘରେ ଦୁଇଜଣ କୁଣିଆଁ । ଭିକାରୁଣୀଟି କେତେବେଳୁ ଆସି ବସିଛି । ତାକୁ କିଛି ଖାଇବାକୁ ଦେଇନାହିଁ । ଏଣେ ଭାରୁଆ ଟୋକା ବି ବାଧାରେ ଶୋଇ ପଡ଼ିଲାଣି । ତେବେ ରୋଷେଇଟା ଆଗେ ବସାଇ ଦେବି—ପରେ ଫଳମୂଳ କିଛି ଖାଇବାକୁ ଦେବି । ଏହି କଥା ଭାବି ସୁମତି ଦୋପଖା ଚୁଲି ଲଗାଇ ଦେଇ ଭାତ ଡାଲି ବସାଇ ଦେଲା । ପରେ ବୋଝ ଭିତରୁ ଜଳଖିଆ ବାହାର କରି ମିଠେଇ, ଖିରିମୋହନ, ନିମିକି ପ୍ରଭୃତି ଦୁଇଟି ଥାଳିରେ ସଜାଇ ଦେଲା—ଆମ୍ୱ, ପଣସ ପ୍ରଭୃତି କିଛି ଫଳ କାଟି ସେଥିରେ ରଖି ଦୁହିଙ୍କି ଖାଇବାକୁ ଦେଲା । ସେ ଦୁହେଁ ଛଳନାରେ ସେସବୁ ଖାଇବାକୁ ଲାଗିଲେ, କିନ୍ତୁ ସୁମତି ସେସବୁ କଥା କିଛି ବୁଝି ପାରିଲା ନାହିଁ ।

 

ରୋଷେଇ ସରିଲା—ସୁମତି ପୁଣି ଦୁଇଟି ଥାଳିରେ ଭାତ, ଡାଲି, ତରକାରି, ଭଜାଭଜି ଯାହା କରିଥିଲା, ସବୁ ସଜାଇ ସେ ଦୁହିଙ୍କି ଦେଲା । ସେମାନେ ଯେପରି ସନ୍ତୁଷ୍ଟ ହୁଅନ୍ତି, ସେପରି ବଳାଇ ବଳାଇ ଖୁଆଇଲା । ପରେ ସେମାନଙ୍କର ଶୋଇବାର ସୁବିଧା କରି ଦେଇ ନିଜେ କାନି ପକାଇ ଦାଣ୍ଡଘରେ ଶୋଇ ପଡ଼ିଲା ।

 

କିଛି ସମୟପରେ ଚାରିଆଡ଼ ନୀରବ ଦେଖି ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ କହିଲେ, ‘‘ସୁମତିର ହୃଦୟର ତ ପରିଚୟ ପାଇଲେ ଉପଯୁକ୍ତ ପତିର ଉପଯୁକ୍ତ ପତ୍ନୀ । ତାର କି ପତିଭକ୍ତି, କି ଅତିଥି ସେବା, କି ଈଶ୍ୱରବିଶ୍ୱାସ । ଏପରି ପବିତ୍ର ଏ ଉଦାର ହୃଦୟ କ୍ୱଚିତ୍ ଦେଖାଯାଏ ।’’

 

‘‘ଉଭୟେ ଅନେକ ଜନ୍ମହେଲା ନିଷ୍କାମ ବ୍ରତ ଆଚରଣ କରି ଆସିଛନ୍ତି । ସେମାନଙ୍କର ଭକ୍ତି ଅତୁଳନୀୟ । ସେଇଥିପାଇଁ ସେମାନେ ଏ ଜନ୍ମରେ ଗରିବ । ତେବେ ଏ ଅବସ୍ଥା ବେଶୀ ସମୟ ରହିବ ନାହିଁ । ଅପେକ୍ଷା କର, ସଖାଙ୍କ ନିଷ୍କାମ ଭକ୍ତିର ଓ ଉଦାର ହୃଦୟର ଆହୁରି ପରିଚୟ ପାଇବ ।’’

 

ଏତିକି କହି ଶ୍ରୀକୃଷ୍ଣ ନୀରବ ହେଲେ—ରୁକ୍ମିଣୀ ମଧ୍ୟ କିଛି କହିଲେ ନାହିଁ । କିନ୍ତୁ ଏସବୁ କଥା ସୁମତି ଶୁଣି ପାରିଲା ନାହିଁ । ସେ କ୍ଲାନ୍ତ ହୋଇ ଶୋଇ ପଡ଼ିଥିଲା । ସରଳ ହୃଦୟରେ ସେ ଭଗବାନଙ୍କର ଏ ଗୂଢ଼ ରହସ୍ୟ ଓ ପରୀକ୍ଷାର ଉଦ୍ଦେଶ୍ୟ ବୁଝିବ କୁଆଡ଼ୁ ?

 

ଏଣେ ସୁଦାମା ଶ୍ରୀକୃଷ୍ଣଙ୍କଠାରୁ ବିଦାୟ ନେଇ ଘର ଆଡ଼କୁ ଦ୍ରୁତଗତିରେ ଚାଲିଛି—ବାଟଯାକ ମନେ ମନେ ଭାବୁଛି, ‘‘କେତେଦିନ ହେଲା ତ ଆସିଲିଣି ଭାରି—ସଖାଙ୍କ ସ୍ନେହରେ ତ ରହିଗଲି । ସୁମତି ତ ଏକୁଟିଆ ଘରେ ଥିଲା । କିଛି ତ ଖାଇବାକୁ ନ ଥିଲା । ସେ କ’ଣ କରୁଥିବ ? କେତେ କଷ୍ଟ ଭୋଗିବଣି ? ମୋତେ ସିନା ପଠାଇ ଦେଲା—ତାର ମନ ତ ସେପରି ନୁହେ । ସବୁବେଳେ ମୋ ସେବା ଓ ମୋ କଥା ତାର ଭଜନ ଓ ସ୍ମରଣ । ମୋ ଛଡ଼ା ତ ଜଗତରେ ସେ ଆଉ କାହାକୁ ଜାଣେ ନାହିଁ । ମୋ ବିରହରେ ସେ କିପରି ବଞ୍ଚିଥିବ ? ଆହା, ଗରିବ କୁଳେ ଜନ୍ମ ଲଭିଲେ କେତେ କଷ୍ଚ ସହିବାକୁ ପଡ଼େ ! କିଏ ସୁଖରେ ଆମୋଦ ପ୍ରମୋଦରେ—କାଳ କାଟୁଛି, କାର ତିନିଦିନରେ ଓଳିଏ ଖାଇବାକୁ ନାହିଁ । କାର ତିନିମହଲା କୋଠା, କେତେ ସଜାସଜି ହୋଇଛି, ଅଥଚ ତାର ମନ ସେଥିରେ ମାନୁନାହିଁ, କିନ୍ତୁ ଅନ୍ୟର ଖରା ନାହିଁ, ବର୍ଷା ନାହିଁ, ଶୀତ ନାହିଁ, ଗଛମୂଳେ, ଭୂମି ଉପରେ ଆନନ୍ଦରେ ଦିନ କଟି ଯାଉଛି । କିଏ ଧନ ଖୋଜୁଛି, ପାଉନାହିଁ, ଅଥଚ କାର ଧନ ପ୍ରଚୁର ଥିଲେ ମଧ୍ୟ ତାହାର ଦରକାରରେ ଆସୁ ନାହିଁ । ଏସବୁ ଭିତରେ ବିଧାତାଙ୍କର କି ଉଦ୍ଦେଶ୍ୟ, କି ରହସ୍ୟ ରହିଛି, ତାହା କିଏ ବୁଝିବ ? ସେ କେତେବେଳେ କାହାକୁ କି ପ୍ରକାରେ ରଖନ୍ତି, ତାହା ବା କିଏ କଳନା କରିବ ? ଭଗବାନ୍ ! ତୁମ୍ଭେ ଯଥାର୍ଥ ଇଚ୍ଛାମୟ—ଲୀଳାମୟ । ତୁମ୍ଭ ବିନା ଏ ଜଗତରେ ମୋର କିଛି ପ୍ରୟୋଜନ ନାହିଁ ।’’

 

ବାଟରେ ଦି ଦିନ ବିତିଲାଣି, ଆଜି ତୃତୀୟ ଦିନ—ଘରେ ପହଞ୍ଚିବାର କଥା । ଏଥିପାଇଁ ସୁଦାମା ଭାରି ବେଗରେ ଉଦ୍‌ବେଗରେ—ଘରମୁହାଁ ହୋଇ ଚାଲିଛି । ବାଟ ଅନେକ ଅଛି ଅଥଚ ଦିନ ବୁଡ଼ଯିବା ଉପରେ । ଏଥିରେ ତାର ଉତ୍କଣ୍ଠା କହିଲେ ନ ସରେ । ଫଳରେ ତରତର ହୋଇ ଚାଲିଲା—କିନ୍ତୁ ସୂର୍ଯ୍ୟ ଏସବୁକୁ ଅପେକ୍ଷା ନ କରି ପଶ୍ଚିମ ଆକାଶରେ ଅବିର ବୋଳି ଦେଇ ହସ ହସ ବଦନରେ ଆନନ୍ଦରେ ମେଘର ଆଢ଼ୁଆଳରେ ଲୁଚି ଗଲେ—ଦେଖିବେ ତାଙ୍କର ନ ଥିବା ବେଳେ ସଂସାରର ଲୀଳାଟା କ’ଣ ? ଜଗତଟା ଅନ୍ଧକାରମୟ ମଣି ଦୁର୍ବଳ ଉପରେ ସବଳର କେତେ ଅନୀତି, ଦୁର୍ନୀତି, ଅନାଚାର, ଅବିଚାର, ଅତ୍ୟାଚାର ଘଟି ଯାଉଛି । ଜଗତ କିପରି ଅନ୍ଧପୁଟୁଳି ବାନ୍ଧି ହୋଇ ଅଜ୍ଞାନରେ ପଡ଼ିଛି, ପାପ ପୁଣ୍ୟ, ଧର୍ମ୍ମ ଅଧର୍ମ୍ମ, ନ୍ୟାୟ, ଅନ୍ୟାୟ, ହିତ ଅହିତ, ସତ୍ୟ ମିଥ୍ୟା ବୁଝୁନାହିଁ—ସ୍ୱାର୍ଥ ସାଧନ ନିମନ୍ତେ ସବୁ କରି ଯାଉଛି—ଭାବୁଛି ତାର କାର୍ଯ୍ୟ କେହି ଦେଖୁନାହିଁ । ବିରାଡ଼ି ଆଖି ବୁଜି ଦୁଧ ପିଇବାପରି ସେ ଦୁନିଆଟାକୁ ଅନ୍ଧ, ମୂର୍ଖ, ଅଜ୍ଞାନ ମନେ କରୁଛି ଏବଂ ନିଜେ ଯାହା କରି ଯାଉଛି, ତାହା ନିର୍ଦ୍ଦୋଷ । କିନ୍ତୁ ବେଳେ ବେଳେ ଏ ସବୁ ଅନ୍ୟାୟର—ଦୁର୍ବୁଦ୍ଧିର ପରିଣାମ ଭୋଗି ଓ ଚାକ୍ଷୁଷ କୁଫଳ ଲାଭ କରି ମଧ୍ୟ ଚେତନା ଲଭୁନାହିଁ ସବୁବେଳେ ଦୁରଭିସନ୍ଧିରେ କାମ କରୁଛି । ଏସବୁର ପରମାୟୁ ବିଜୁଳି—ଆଲୋକପରି—ପାଣିଫୋଟକାପରି କ୍ଷଣସ୍ଥାୟୀ ସିନା । କିନ୍ତୁ ପ୍ରକୃତିର ଏ ରହସ୍ୟ ସୁଦାମା ବା କାହୁଁ ବୁଝିବ ? ସୂର୍ଯ୍ୟ ବୁଡ଼ି ଯିବାର ଦେଖି ତାର ଏକ ଧ୍ୟାନ, ଏକ ଚିନ୍ତା—ସେ ଆଜି ଘରେ ପହଞ୍ଚି ପାରିବ ନାହିଁ । ଘୋର ଅବଶୋଷରେ ଭାବିବାକୁ ଲାଗିଲା, ‘‘କାହିଁ, ମୁଁ କ’ଣ ଆଜି ଆଉ ଗୋଟେ ବାଟେ ଆସିଲି ଭାରି କି-? କ’ଣ ବାଟ ଭୁଲି ଗଲି କି ? ନାହିଁ ତ, ସେହି ରାସ୍ତାରେ ଆସିଛି ଗୋଟାଏ ଜଙ୍ଗଲ ଓ ଗୋଟାଏ ନଈ ଗଲାବେଳକୁ ପଡ଼ିଥିଲା ଏଥର ତ ତାକୁ ପାରିହୋଇ ଆସିଛି । ତେବେ କ’ଣ ଚାଲି ପାରୁନାହିଁ–ଖୁବ୍ ଜୋରରେ ତ ଚାଲିଛି । ହେଉ ଦେଖେ କଣ ହେଉଛି ? ଏହିପରି ନାନା କଥା ଭାବୁଛି–ଚାଲୁଛି । କାହାକୁ ତ ବାଟରେ ଦେଖୁ ନାହିଁ ଯେ ପଚାରି ସନ୍ଦେହ ଦୂର କରିବ । ତଥାପି ତା’ ମନରେ ଦମ୍ଭ ଅଛି, ସାହାସ ଅଛି, ସେ ଠିକ୍‍ ବେଳେ ଘରେ ପହଞ୍ଚିବ ।

 

କିନ୍ତୁ ତାର ସେ କଳ୍ପନା ବୃଥା ହେଲା । ସେ ଖଣ୍ଡେ ଦୂର ଯାଇଛି, ଏକ ବଡ଼ ଜଙ୍ଗଲ ପଡ଼ିଲା । ଏକାକୀ—ସେଥିରେ ପୁଣି ରାତି—ଅନ୍ଧାର ଘୋଟି ଆସୁଛି । ବର୍ତ୍ତମାନ କରେ କ’ଣ ? ଏହି କଥା ଭାବି ତାହାର ସାହାସ ଉଡ଼ିଗଲା—ମନ ଭୟରେ ଛନ ଛନ ହେଲା । ସେ ଭାବିଲା, ‘‘କି କଲି ? କୁଆଡ଼େ ଆସିଲି ଭାରି ? ଗଲାବେଳକୁ ତ ଯେଉଁ ଜଙ୍ଗଲଟା ପଡ଼ିଥିଲା, ତାକୁ ତ ପାରି ହୋଇ ଆସିଛି । ପୁଣି ଏ ବଣଟା ଅଇଲା କୁଆଡ଼ୁ ? ବାଟ କ’ଣ ଭୁଲି ଗଲି ? କ’ଣ କରିବି ? ଅନ୍ଧାର ରାତିରେ ବା ଯିବି କୁଆଡ଼େ ? ଆଉ ରକ୍ଷା ନାହିଁ । କୃଷ୍ଣ, ଏ ବିପଦରେ–ଅସମୟରେ ତୁମ୍ଭେ ହିଁ ଭରସା—ତୁମ୍ଭ ବିନା ଆଉ କେହି ମୋର ଆଶ୍ରା ନାହିଁ । ତୁମ୍ଭ ଲାଗି ମୋର ଏସବୁ ବିପଦ । ସଖା, ରକ୍ଷା କର ।’’ ଏପରି ଭାବି ପୁଣି ଖଣ୍ଡେ ଦୂର ସେହି ଅନ୍ଧାରରେ ଜଙ୍ଗଲ ମଧ୍ୟରେ ଗଲା—କାଳେ କେଉଁଠି ଟିକିଏ ଆଶ୍ରା ପାଇବ । ଅଳ୍ପ ଦୂରରେ ଗୋଠିଏ କନ୍ଧ—ପଲ୍ଲୀ ଦିଶିଲା—ତା’ ମନରେ ଟିକିଏ ସାହସ ହେଲା, ଆଶା ବି ହେଲା, ଏଇ ଗାଁରେ କୌଣସି ମତେ ରାତିଟା କଟାଇ ଦେବ ଓ ସକାଳୁ ଉଠି ଚାଲିଯିବ । ମନରେ ସେହି କଥା ପାଞ୍ଚି ସେ ଗାଁ ପାଖକୁ ଗଲା ।

 

ଗାଁ ମୁଣ୍ଡରେ ଗୋଟିଏ ଝାମ୍ପୁଲା ବରଗଛ—ତାଳପତ୍ରରେ ପୂରି ରହିଛି । ଓହଳଗୁଡ଼ିକ ଏପରି ଭାବରେ ରହିଛି, ଯେପରି ଠାଏ ଠାଏ ଗୋଟିଏ ଗୋଟିଏ ଘରଭଳିଆ ହୋଇଛି । ଗଛମୂଳଟି ବେଶ ସଫା । କନ୍ଧମାନେ ବଣୁଆଁ ଅନାର୍ଯ୍ୟ ହେଲେ କ’ଣ ହେଲା ସେମାନେ ଘର ଦ୍ୱାର, ଦାଣ୍ଡ ବାହାର ସବୁ ପରିଷ୍କାର କରି ରଖିଥାନ୍ତି—ଏପରି କି ସଭ୍ୟ ବୋଲାଉଥିବା ଗାଁ ଗଣ୍ଡା ସେତେ ସଫାସୁତୁରା ନୁହେ । ଏ କଥା ଯେ କନ୍ଧ ଗାଁ ଦେଖିଛି, ସେ ବେଶ ବୁଝିପାରିବ । କେହି ଜଣେ ବାଟୋଇ କେତେବେଳେ ପହଞ୍ଚିଗଲେ, ସେମାନେ ତାର ଚର୍ଚ୍ଚା ଯେପରି ବୁଝନ୍ତି, ଅନ୍ୟ ସୁଶିକ୍ଷିତ ସଭ୍ୟ ଗାଁମାନଙ୍କରେ ସେପରି ମିଳେ ନାହିଁ । ସେହି ବିଶ୍ୱାସରେ ସୁଦାମା କାହାକୁ କିଛି ନ କହି ଗାଁମୁଣ୍ଡ ବରଗଛ ମୂଳର ବସି ପଡ଼ିଲା । ରାତିଟା ସେଠି କଟାଇବା ଇଚ୍ଛାରେ ଲୁଗାପଟା ତକ ସେଠି ଥୋଇ ଦେଇ ଗଣ୍ଠିଲିରୁ କୋଥଳିଟି କାଢ଼ି କୃଷ୍ଣ ନାମ ଜପିବାକୁ ଲାଗିଲା ।

 

ଶ୍ରୀକୃଷ୍ଣ ସୁଦାମାକୁ କୌସ୍ତୁଭମାଳାଟି ଦେବାର ସଂବାଦ ପାଇବା ବେଳରୁ ନାରଦଙ୍କର ହିଂସା ନିଆଁପରି ଜଳିଉଠିଲା । ସେ ଏହାର ପ୍ରତିକାର କରିବା ଇଛାରେ ସୁଦାମାର ପଛେ ପଛେ ଅଜଣା—ଅଶୁଣା ଭାବରେ ଚାଲିବାକୁ ଲାଗିଲେ । ବାଟରେ ଯିବାବେଳେ ଭାବୁଥାନ୍ତି, ‘‘ଛାର ଭିକାରି ବ୍ରାହ୍ମଣଠାରେ ଶ୍ରୀକୃଷ୍ଣଙ୍କର ଏତେ ପ୍ରୀତି, ଏତେ ଆଦର, ଅଥଚ ଯେଉଁମାନେ ଶହ ଶହ ବର୍ଷ ଧରି ତପସ୍ୟା କରୁଛନ୍ତି, ସେମାନଙ୍କ ପ୍ରତି ତିଳେ ଆଦର ନାହିଁ । ଶ୍ରୀକୃଷ୍ଣଙ୍କର ଏଇଟା ବଡ଼ ପାତ୍ର—ଅନ୍ତର କଥା । କେବଳ ସେତିକି ନୁହେ, ତାକୁ ଯେଉଁ ମାଳାଟା ଦିଆଯାଇଛି, ତାହାର ଯେତେ ଗୁଣ ଅଛି, ସେ ଇଚ୍ଛା କଲେ, ତାହା ସାହାଯ୍ୟରେ ଇନ୍ଦ୍ରପଦ ପାଇପାରେ—ତ୍ରିଭୁବନର ଈଶ୍ୱର ହୋଇପାରେ—ବ୍ରହ୍ମପଦ ଲାଭ କରି ପାରେ । ଶ୍ରୀକୃଷ୍ଣ କିଛି ନ ବୁଝି ବିଲେଇ ହାତରେ ମାଛ ଜଗିବା ଭାର ଦେଇ ଦେଲେ । ହେଉ, ଏହାର ପ୍ରତିକାର କରିବି । ଏହାଠାରୁ ଏ ମାଳାଟା କୌଣସି ମତେ ଛଡ଼ାଇ ନେବି।’’ ସେହି ରାଗରେ ସେ ସୁଦାମାକୁ ଅବାଟରେ ପକାଇଛନ୍ତି—ପରୀକ୍ଷା କରି ବୁଝିବେ, ତାହାର ହୃଦୟ କେଡ଼େ ପବିତ୍ର, କେଡ଼େ ଉଦାର ।

 

ନାରଦଙ୍କର ଏ କୂଟନୀତିର କଥା ସୁଦାମା ବିଚାରା କାହୁଁ ଜାଣିବ ? ସେ ଯେପରି ସରଳ, ଦୁନିଆକୁ ସେପରି ସରଳ ଦେଖେ ସେହି ଅନୁସାରେ କାମ କରେ ।

 

ସୁଦାମା ସେହି ବରଗଛମୂଳେ ବସି ନାମ ନେଉଛି । ରାତି ପହରେ ହେଲାଣି । ଏହି ସୟରେ ସେ ଗାଁ ଭିତରୁ କିଏ ପାଟି କରି କାନ୍ଦି କାନ୍ଦି କହିଲା, ‘‘ମାରେ ନାହିଁ ଲୋ, ମରି ଗଲି । ମୋ ଦେହରେ ବଳ କୁଆଡ଼େ ଅଛି ଯେ ମୁଁ ବାରଦ୍ୱାର ବୁଲି ଭିକ ମାଗି ଆଣିବି ? ଏଠୁ ସେଠିକି ଯିବାର ତ ଶକ୍ତି ନାହିଁ—ଦିନରାତି କି କଷ୍ଟ ପାଉଛି, କି ହୀନ ଅବସ୍ଥା ଭୋଗୁଛି, ତୁ ସେ କଥା ବୁଝି ସେବା କରିବୁ କ’ଣ ଓଲଟି ମାଡ଼ ମାରୁଛୁ, ଗାଳି ଦେଉଛୁ । ଆଉ ତୋର ଦାଉ ସହି ପାରିବି ନାହିଁ । ତୋତେ ବିବାହ କରି ଯେ ଫଳ ଭୋଗିଲିଣି, ଏ ଦଶା ଚୋର ଚଣ୍ଡାଳକୁ ନ ହେଉ । ହାୟ ରେ ଭଗବାନ୍—ଏ ପ୍ରାଣ ଭଲା ଶୀଘ୍ର ନେ—ଏ ଉପଦ୍ରବ—ଏ ଅତ୍ୟାଚାରରୁ ରକ୍ଷା ପାଏଁ ।’’

 

‘‘କେତେ ଭଗବାନ ଫଗବାନ ହେଉଛ ବା । ଯେମିତି ସେ ତୋ ବାଡ଼ିତଳେ ରହିଛନ୍ତି—ତୋ ଡାକ ଶୁଣିଲେ ଦଉଡ଼ି ଆସିବେ । କାମ ନାହିଁ, ଦାମ ନାହିଁ । ଖାଲି ବସି ଖାଇଲେ କୁଆଡ଼ୁ ଆସିବ ? ମୁଁ ତ ମାଇପି ପ୍ରାଣୀ–କୁଆଡ଼ୁ କ’ଣ ରୋଜଗାର କରିବି ଯେ ପିଲା ଦି ଦିଟା, ତାଙ୍କୁ ବଞ୍ଚାଇବି, ତମକୁ ଦେବି, ନିଜେ ଖାଇବି । ଖାଇବାକୁ ତ ହାତ ଚଳୁଛି—କାମ କରିବାକୁ ହାତ ଚଳୁ ନାହିଁ କାହିଁକି ?’’

 

‘‘ଆଉ ତୋ ଉପଦ୍ରବ ସହି ପାରିବି ନାହିଁ । ଯାଉଛି—ବିଷ ଖାଇ ବା ପାଣିରେ ବୁଡ଼ି ମରିବି ପଛେ, ଆଉ ତତେ ମୁହଁ ଦେଖାଇବି ନାହିଁ ।’’

 

ସେତେବେଳେ ଚନ୍ଦ୍ର ଆକାଶରେ ଦେଖା ଯାଇଥିଲେ ତାଙ୍କର ଜ୍ୟୋତ୍ସ୍ନାରେ ଚାରିଆଡ଼ ଆଲୋକିତ ଦିଶୁଥିଲା । ତେଣ ସୁଦାମା ସେହି ଗାଁ ଆଡ଼କୁ ଲକ୍ଷ୍ୟକରି ଦେଖିଲା, ଜଣେ ପୁରୁଷ ଲୋକକୁ ଜଣେ ସ୍ତ୍ରୀଲୋକ ବାଡ଼େଇ ପକାଉଛି । ସେ ଆଉ ସହି ପାରିଲା ନାହିଁ । ନିକଟକୁ ଯାଇ ଦେଖିଲା, ସେ ଲୋକଟି କୁଷ୍ଠରୋଗୀ—ତାର ଚଳିବାର ଶକ୍ତି ନାହିଁ । ରୋଗୀ ପୀଡ଼ାରେ—ଖାଇବା କଷ୍ଟରେ ସେ ଦରମଲା ହୋଇ ପଡ଼ିଛି । ସେଥିରେ ପୁଣି ତା’ ଉପରେ ମାଡ଼ ହେଲେ ସେ ବିଚରା ସମ୍ଭାଳେ କେତେକେ ? ଏ ଘଟଣାରେ—ଏ କରୁଣ ଦୃଶ୍ୟରେ ତାହାର ହୃଦୟ ଫାଟିଗଲା—ଦୁଇ ଆଖିରୁ ଦୁଇ ଧାର ଲୁହ ବହିଗଲା । ସେ ବିଳମ୍ୱ ନ କରି ସେ ସ୍ତ୍ରୀଲୋକଟିକୁ ମାରିବାକୁ ବାରଣ କଲା—କେତେ ଅନୁନୟ ବିନୟ କରି କହିଲା । ତଥାପି ସେ ସ୍ତ୍ରୀଲୋକର ଦୟା ହେଲା ନାହିଁ, ବରଂ ସେ ସୁଦାମାକୁ ଗାଳିଦେବାକୁ ଲାଗିଲା ଏବଂ କହିଲା, ‘‘ତୁମକୁ କିଏ ଭଲ ଲୋକ କରୁଛି ? ଆମ ଘରକଥାରେ ତୁମେ କିଏ ପାଟି ଫିଟେଇବାକୁ—ଯାଅ, ଯାଅ, ତୁମ ଭଲଲୋକି ସେତିକି ଥାଉ-।’’ କିନ୍ତୁ ସୁଦାମା ଏସବୁ କଥାକୁ ଭ୍ରୂକ୍ଷେପ ନ କରି ସେ ଲୋକଟିର ହାତ ଧରି ତାକୁ ତଳୁ ଉଠାଇ ବସାଇ ଦେଲା ଏବଂ ମାଳତୀର ଶତ ମନା, ସହସ୍ର ବାଧା ନ ମାନି ତାହାର ହାତ ଗୋଡ଼, ଦେହ ଆଉଁଷି ଦେଲା—ନିଜର ଲୁଗା କାନିରେ ବିଞ୍ଚିଦେଲା । ସେ ଲୋକଟି ଟିକିଏ ଆରାମ ବୋଧ କରି କହିଲା, ‘‘ମୁଁ ଆଜି ତୁମ ସକାଶେ ରକ୍ଷା ପାଇଲି—ନଇଲେ ମୋ କଥା ସରିଥିଲା । ତୁମେ କିଏ ? ଏଠାରେ କିମିତି ଥିଲ ? ତୁମର ଦୟା ଭୁଲି ପାରିବି ନାହିଁ ।’’ ଏହା କହି ସୁଦାମାର ଗୋଡ଼ତଳେ ପଡ଼ିଗଲା । ସୁଦାମା ତାକୁ ଦୁଇ ହାତରେ ତଳୁ ଉଠାଇ କହିଲା, ‘‘ବାବା, ଭୟ ନାହିଁ । ଭଗବାନ୍ ଅଚିରେ ତୋର ମଙ୍ଗଳ କରିବେ । ସେ ବିପଦଭଞ୍ଜନ ପତିତପାବନଙ୍କୁ ଥରେ ମନଦେଇ ଡାକ । ଦେଖିବ, ସେ ନାମର କେଡ଼େ ମାହାତ୍ମ୍ୟ ।’’ ଠିକ୍ ଏହି ସମୟରେ ସୁଦାମାର ଶ୍ରୀକୃଷ୍ଣ ଦେଇଥିବା ମାଳାକଥା ମନେ ପଡ଼ିଲା—ମନେ ମନେ ଭାବିଲା, ‘‘ସଖା ତ କହିଥିଲେ, ଏ ମାଳାର ଅଦ୍ଭୁତ ଶକ୍ତି ଅଛି । ତେବେ ଦେଖେଁ । ମୋର ତ ଅଭାବ କିଛି ନାହିଁ—ଦେହରେ ତ ବଳ ଅଛି—ବାରଦ୍ୱାର ବୁଲି ଭିକ ମାଗିଆଣି ପାରିବି ଏ ବିଚାରାର ତ ଦୁଃଖ ବହୁତ, ଏ ମାଳାର ଫଳରେ ସେ ଯଦି ତାହାର ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇପାରେ, ତେବେ ତାର କି ମଙ୍ଗଳ ନ ହେବ ? ଭଗବାନଙ୍କ କୃପାରେ ଦେହ ହାତ ଚଳୁଥିଲେ, ଲୋକର ଅଭାବ ବା କ’ଣ ? ପଶୁପକ୍ଷୀ କୀଟ ପତଙ୍ଗର ତ ପେଟଲାଗି ଅଭାବ ନାହିଁ, ବୁଦ୍ଧିମାନ୍ ହୋଇ ମନୁଷ୍ୟର ବା କାହିଁକି ସେ ଅଭାବ ହେବ ? ତେବେ ଏ ଲୋକର ଦୁଃଖ ଦୂର କରିବା ଆଗ କଥା । ମୋର ତ ବଡ଼ ଲୋକ ହେବାର ଆକାକ୍ଷାଂ ନାହିଁ—ତେବେ ମାଳା ରଖି କି ପ୍ରୟୋଜନ ?’’

 

ଏପରି ଭାବି ବ୍ରାହ୍ମଣ—ସୁଲଭ ଦୟା ଓ ତ୍ୟାଗରେ ଚାଳିତ ହୋଇ ସୁଦାମା ନିଜର ବେକରୁ ସେହି ମାଳାଟି କାଢ଼ି ହାତରେ ଧରି କହିବାକୁ ଲାଗିଲା, ‘‘ଯଦି ଶ୍ରୀକୃଷ୍ଣଙ୍କ ଇଚ୍ଛାରେ ଏ ମାଳାଟିର କିଛି କ୍ଷମତା ଥାଏ, ତେବେ ପ୍ରାର୍ଥନା କରୁଛି, ଏ ମାଳାଟି ପିନ୍ଧିବା ଫଳରେ ଏ ଲୋକଟି ନୀରୋଗ ହୋଇ ନଷ୍ଟସ୍ୱାସ୍ଥ୍ୟ ଫେରିପାଉ ।’’ ଏତିକି କହି ସେ ମାଳାଟି ସେ ଲୋକର ବେକରେ ଲମ୍ୱାଇ ଦେଲା । ଚାହୁଁ ଚାହୁଁ ସେହି ଗଳିତକୁଷ୍ଠ ଲୋକଟି ସବଳ ଓ ସୁସ୍ଥ ହୋଇଗଲା—ତାହାର ଅଙ୍ଗପ୍ରତ୍ୟଙ୍ଗ ନୀରୋଗ ଦେଖାଗଲା । ଏହି ଅଦ୍ଭୁତ, ଅଚିନ୍ତନୀୟ, ଆକସ୍ମିକ ପରିବର୍ତ୍ତନରେ ତାହାର ପ୍ରାଣ ଭକ୍ତିରେ ପୁଲକି ଉଠିଲା । ସେ ଭକ୍ତିଭରେ ସୁଦାମାର ଚରଣତଳେ ପ୍ରଣାମ କରି ନିଜର କୃତଜ୍ଞତା ଜଣାଇବାକୁ ଲାଗିଲା ଏବଂ ତାଙ୍କର ପଦରେଣୁ ମସ୍ତକରେ ଧାରଣ କରି କହିଲା, ‘‘ସାଧୁ, ତୁମ୍ଭର ଦୟା ଏ ଜୀବନରେ ଭୁଲି ପାରିବି ନାହିଁ । ଗରିବ—କପାଳକୁ ଗଙ୍ଗା ବିଜେକଲ । ଆଜି ମୋ ଜୀବନରେ ମହା ପରିବର୍ତ୍ତନ ଆଣିଲ । ବୁଝିଲି—ସଂସାର କେବଳ ମାୟାପୂର୍ଣ୍ଣ—ସମସ୍ତେ ସ୍ୱାର୍ଥ ନେଇ ଜଡ଼ିତ । ସ୍ତ୍ରୀ ବୋଲ, ପୁତ୍ର ବୋଲ, ପିତା ବୋଲ, ମା ବୋଲ, ଭାଇ ବୋଲ, ସମସ୍ତେ ସ୍ୱାର୍ଥ ନିମନ୍ତେ ଆକୃଷ୍ଟ । ସ୍ୱାର୍ଥରେ ବାଧା ପଡ଼ିଲେ କେହି ଆଡ଼ ଆଖିରେ ଚାହିଁବେ ନାହିଁ । ତେଣୁ ଦେଖୁଛି, ଏ ମିଥ୍ୟା ମାୟାରେ ଜଡ଼ିତ ହେବାର ପ୍ରୟୋଜନ ନାହିଁ । ଏହା ସମସ୍ତ ଦୁଃଖ, ତାପ, ଆଧି, ବ୍ୟାଧିର କାରଣ । ଆଜି ତୁମ୍ଭେ ଏଥିରୁ ରକ୍ଷା ପାଇବାର ଆଖି ଫିଟାଇ ଦେଲ । ଯାହାଙ୍କର ପବିତ୍ର ନାମରେ ଆଜି ମୁଁ ନଷ୍ଟସ୍ୱାସ୍ଥ୍ୟ ଫେରି ପାଇଛି, ନୀରୋଗ ହୋଇଛି, ମୋତେ ଆଶୀର୍ବାଦ କର, ଯେପରି ତାଙ୍କ ନାମ ଦିନରାତି ଜପି ଏ ନଶ୍ୱର ସଂସାରରୁ ମୁକ୍ତ ହୁଏ ।’’ ଏତିକି କହି ସେ ଲୋକଟି ଆଉଥରେ ସୁଦାମାର ଗୋଡ଼ତଳେ ପଡ଼ି ତାଙ୍କର ଚରଣଧୂଳି ଶିରରେ ଗ୍ରହଣ କରି ଚାଲିଗଲା ।

 

ଠିକ୍ ଏହି ସମୟରେ ତାହାର ସ୍ତ୍ରୀ ମାଳତୀ ନିଜର ଦୋଷ ଜାଣିପାରି ସୁଦାମାର ଚରଣତଳେ ପଡ଼ି କ୍ଷମା ଭିକ୍ଷା କଲା—କହିଲା, ‘‘ମୁଁ ମହାପାପିନୀ—ଭର୍ତ୍ତୃଘାତିନୀ—ମୋର ଇହଲୋକ ଓ ପରଲୋକରେ ସୁଖ ନାହିଁ । ପ୍ରଭୋ ! ଏ ମହାସଙ୍କଟରୁ କିପରି ରକ୍ଷା ପାଇବି, ବୁଝାଇ ଦିଅନ୍ତୁ । ନ ହେଲେ ଏହାର କଥା ଶେଷ ହେଲା ।’’

 

‘‘ତୁମ୍ଭେ ସ୍ୱାମୀଙ୍କର କ୍ଷମା ଭିକ୍ଷାକର—ଭଗବାନ ଶ୍ରୀକୃଷ୍ଣଙ୍କର କ୍ଷମା ଭିକ୍ଷା କର । ସେ ତ୍ରାଣ କରିବେ—ଏ ପାପରୁ ଉଦ୍ଧାର କରିବେ । ସବୁବେଳେ ମନେ ରଖିବ, ପତି ସ୍ତ୍ରୀର ପରମ ଦେବତା ପତିସେବାରେ ହିଁ ସ୍ତ୍ରୀର ମୁକ୍ତି ।’’ ଏତିକି କହି ସୁଦାମା ନୀରବ ହେଲେ ।

 

ଏହି କଥାରେ ମାଳତୀ ସ୍ୱାମୀଙ୍କ ଚରଣତଳେ ପଡ଼ି କାନ୍ଦିବାକୁ ଲାଗିଲା ଓ ନିଜ ଦୋଷର କ୍ଷମା ଭିକ୍ଷା କଲା । ମଧୁର ପ୍ରାଣରେ ବି ଘୋର ପରିବର୍ତ୍ତନ ଆସିଛି—ତାର ସ୍ତ୍ରୀପ୍ରତି ଆଉ ଘୃଣାଭାବ ନାହିଁ—ପ୍ରତିହିଂସା ନେବାକୁ ପ୍ରବୃତ୍ତ ନାହିଁ । ସେ ଆଜି ଉଦାର ଓ ମହତ୍ ଭାବରେ ପ୍ରଭାବିତ । ସ୍ତ୍ରୀର କାତର ଉକ୍ତି—କରୁଣ ରୋଦନରେ ତାହାର ଦୟା ହେଲା ଏବଂ କ୍ଷମା ଦାନ କରି କହିଲା, ‘‘ଏତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ ଅପଥରେ ବାତୁଳ ପ୍ରାୟ ଭ୍ରମୁଥିଲେଇଁ । ବର୍ତ୍ତମାନ ଏ ଅନିତ୍ୟ ଅସାର ସଂସାର ବିଷୟ ବାସନାରୁ ମନକୁ ଫେରାଇ ସେହି ଦୀନବାନ୍ଧବ, ପତିତପାବନ ଭଗବାନଙ୍କର ନାମ ନେବା ଓ ଜୀବନ ସାର୍ଥକ କରିବା । ସେହି ନାମରେ ଭୋକ, ଶୋଷ, ରୋଗ, କଷ୍ଟ—ସଂସାରର ଯାବତୀୟ ଯାତନା ଦୂର ହେବ । ଅନ୍ୟ ଉପାୟ ନାହିଁ ।’’

 

ସ୍ୱାମୀଙ୍କର ଉପଦେଶରେ ମଧ୍ୟ ମାଳତୀର ଭୟଙ୍କର ପରିବର୍ତ୍ତନ ଆସିଲା । ସେ ଘରର ମମତା—ସନ୍ତାନ ମମତା—ତୁଟାଇ—ଦେଇ ସେମାନଙ୍କୁ ଜଣେ ଆତ୍ମୀୟ ନିକଟରେ ରଖି ଦେଇ ସ୍ୱାମୀଙ୍କ ସଙ୍ଗରେ ତପସ୍ୱିନୀ ବେଶରେ ସୁଦାମାର ଚରଣ ଧୂଳି ଓ ଆଶୀର୍ବାଦ ନେଇ ଚାଲିଗଲା । ଏ ଘଟଣା ଦେଖି ସୁଦାମାର ଚିତ୍ତ ପ୍ରସନ୍ନ ହୋଇ ଉଠିଲା—ମନ ପ୍ରଫୁଲ୍ଲ ହୋଇଗଲା । ସେ ଅନ୍ତରରେ ଶାନ୍ତି ଓ ଅନିତ୍ୟ ସୁଖ ବୋଧ କରିବାକୁ ଲାଗିଲା—ମନେ ମନେ ଭଗବାନଙ୍କୁ କେତେ ଧନ୍ୟବାଦ ଦେଲା—ଭାବିଲା, ଆଜି ତାହାର ଜୀବନ ସାର୍ଥକ ହେଲା । ଶ୍ରୀକୃଷ୍ଣଙ୍କ କୃପାରେ ଯଥାର୍ଥରେ ନିଜକୁ ଅନ୍ୟର ସେବାରେ, ଉପକାରରେ ଲଗାଇ ପାରିଛି, ଏଥିପାଇଁ ତାଙ୍କ ଉଦ୍ଦେଶ୍ୟରେ ଶତ ପ୍ରଣାମ କଲା ଏବଂ ସେହି ସ୍ଥାନରେ ବିଶ୍ରାମ କଲା ।

 

ଦେବର୍ଷି ନାରଦ ଅନ୍ତରାଳରେ ରହି ସୁଦାମାର ଗତିବିଧି ଲକ୍ଷ୍ୟ କରୁଥିଲେ । ବର୍ତ୍ତମାନ ସୁଦାମାର ସ୍ୱାର୍ଥତ୍ୟାଗର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖି ଚମତ୍କୃତ ହେଲେ, ତଥାପି ତାଙ୍କର ସନ୍ଦେହ ଦୂର ହେଲା ନାହିଁ । ସେ ତାଙ୍କୁ ପଥଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ମାୟା କାମିନୀମାନଙ୍କୁ ପଠାଇ ଅଲକ୍ଷିତରେ ତାଙ୍କ ଗତିବିଧି ପରୀକ୍ଷା କରିବାକୁ ଲାଗିଲେ ।

 

ସୁଦାମା କ୍ଲାନ୍ତ ହୋଇଥିବାରୁ ଅଳ୍ପ ସମୟ ବିଶ୍ରାମ ପରେ ଶୋଇ ପଡ଼ିଲା । ଏହି ସମୟରେ ମାୟା କାମିନୀମାନେ ତାଙ୍କ ଚାରିପଟେ ଘେରିଯାଇ ଗୀତ ଗାଇ ନୃତ୍ୟ କରିବାକୁ ଲାଗିଲେ । ଏମାନଙ୍କ ପାଟିରେ ସୁଦାମାର ନିଦ ଭାଜିଗଲା—ସେ ଚମକି ପଡ଼ି ଉଠି ଦେଖେ ତ ତାର ଚାରିପାଖେ ସାତ ଜଣ ଷୋଳବର୍ଷୀୟା ଯୁବତୀ ଗୀତ ଗାଉଛନ୍ତି । ସେମାନଙ୍କର ସୁନ୍ଦର ରୂପ, କମନୀୟ କାନ୍ତି, ବିଚିତ୍ର ବେଶଭୂଷା, ସୁଲଳିତ ସ୍ୱର ଓ ମଧୁର ଗୀତରେ ସେ ଚମକି ପଡ଼ିଲା । ଏକେ ତ ନିର୍ଜ୍ଜନ ସ୍ଥାନ—ଅଧରାତ୍ରି—ଲୋକେ ଯା ଆସ କରିବାର ସମୟ ନୁହେ ବା ସମ୍ଭାବନା ନାହିଁ । ଚନ୍ଦ୍ରର ଉଜ୍ଜ୍ୱଳ ଜ୍ୟୋତ୍ସ୍ନାରେ ଚତୁର୍ଦ୍ଦିଗ ହସି ଉଠୁଛି—ମୃଦୁ ମଳୟ ବନ ପ୍ରଦେଶରୁ ପୁଷ୍ପଗନ୍ଧ ଆଣି ଅକାତରେ ବିତରଣ କରି ପ୍ରାଣ ପ୍ରଫୁଲ୍ଲ କରି ଦେଉଛି । ଏ ଅବସ୍ଥାରେ ଯେ କେହି ବିଚଳିତ ହୋଇ ପଡ଼ିଥାନ୍ତେ ଏପରି କି ଶୁକ୍ଳକେଶ—ଶ୍ଳଥଚର୍ମ୍ମା—ବୃଦ୍ଧ ମଧ୍ୟ ନିଜର ବିଦ୍ୟା ବୁଦ୍ଧି ଓ ଗୌରବ ହରାଇ ବିପଥଗାମୀ ହୋଇଥାନ୍ତେ, କିନ୍ତୁ ଯୁବକ ସୁଦାମାର ଅଣୁମାତ୍ର ଚିତ୍ତଭ୍ରମ ଘଟିଲା ନାହିଁ । ସେ ନିଷ୍କମ୍ପ—ନିଶ୍ଚଳ—ଭାବରେ ସେମାନଙ୍କର ଗତିବିଧି ଦେଖିବାକୁ ଲାଗିଲା । ଯେତେବେଳେ ସେମାନେ ଅନୁନୟ ବିନୟ କରି ବାହାର କରିବାପାଇଁ ନିବେଦନ କରି ଆତ୍ମସମର୍ପଣ କଲେ, ସେତେବେଳେ ସୁଦାମା—ଯୁବକ ସୁଦାମା ସେମାନଙ୍କ ପାଦତଳେ ସାଷ୍ଟାଙ୍ଗ ହୋଇ କରୁଣ ସ୍ୱରରେ କହିଲା, ‘‘ମା, ତୁମ୍ଭେମାନେ କିଏ ? ଏ ନିର୍ଜ୍ଜନ ରାତ୍ରିରେ ଏ ଜଙ୍ଗଲ ମଧ୍ୟରେ ଏକୁଟିଆ କାହିଁକି ବୁଲୁଛ ? ମୁଁ ପଥଶ୍ରାନ୍ତ ହୋଇ ଏଠାରେ ବିଶ୍ରାମ କରୁଛି । ଏତେବେଳେ ତୁମ୍ଭମାନଙ୍କର ଗୋଳମାଳ କରି ଅନ୍ୟ ପୁରୁଷର ନିଦ୍ରାଭଙ୍ଗ କରିବାର ଉଚିତ ନୁହେଁ ।’’ କିନ୍ତୁ ସେମାନେ ଏ ପ୍ରଶ୍ନର ଉତ୍ତର ଦେବେ କ’ଣ, ନାନା ଅଙ୍ଗଭଙ୍ଗୀ କରି ଗୀତ ଗାଇ ଗାଇ ତାଙ୍କୁ ଘେରିଗଲେ । ସୁଦାମା ବିଚରା ସେମାନଙ୍କର ଦୁରଭିସନ୍ଧି ବୁଝିପାରି କହିଲା, ‘‘ମା, ଏଇଟା କ’ଣ ନାରୀର ଉଚିତ ? ନାରୀର ମହନୀୟ ଚରିତ୍ର—ପତିବ୍ରତ୍ୟରେ ଦେବତାମାନେ ବଶୀଭୂତ ! ମା, ତୁମ୍ଭେମାନେ ସେ ମହତ୍ ଆଦର୍ଶ ଉଚ୍ଚ ଲକ୍ଷ୍ୟ ତ୍ୟାଗ କରି କିପାଇଁ ନୀଚ ବୁଦ୍ଧି—ହୀନ ଚରିତ୍ର ପ୍ରକାଶ କରୁଛ ? ତୁମ୍ଭେମାନେ ଯୁବତୀ—ଜୀବନର ମହା ସଂଗ୍ରାମର ସମ୍ମୁଖୀନ । ବର୍ତ୍ତମାନ ଏ ନୀଚାଶୟ କଲେ, ସେ ଯୁଦ୍ଧରେ ଜୟଲାଭ କରି ପାରିବ ନାହିଁ। ତୁମ୍ଭମାନଙ୍କର ଏ ରୂପ—ଏ କାନ୍ତି ପାଣିଫୋଟକାପରି ଚାଲିଯିବ–କେବଳ ରକ୍ତମାଂସ ଚର୍ମ୍ମର ଶରୀରଟା କିଛିଦିନ ପଡ଼ିରହିବ । ସେତେବେଳେ ସମସ୍ତେ ତୁମ୍ଭମାନଙ୍କୁ ଦେଖି ଘୃଣା କରିବେ । ଆହା, ସେତେବେଳେ କେତେ ଅପମାନ, କେତେ ତିରସ୍କାର, କେତେ ଲାଞ୍ଛନା, କେତେ ବିଦ୍ରୂପ ସହିବାକୁ ପଡ଼ିବ । ଭାବି ଦେଖ, ସେତେବେଳେ ତୁମ୍ଭେମାନେ ନାରୀର ସ୍ୱଭାବସିଦ୍ଧ ଲଜ୍ଜା ତ୍ୟାଗକରି ଏସବୁ ସହି ପାରିବ କି ? ଅନ୍ୟ ପକ୍ଷରେ ମୁଁ ବିବାହିତ–ମୋର ସ୍ତ୍ରୀ ଜୀବିତ । ତାଙ୍କ ବ୍ୟତୀତ ଏ ଜୀବନରେ ଅନ୍ୟ ସ୍ତ୍ରୀର ଚିନ୍ତାରେ ମନକୁ କଳୁଷିତ କରିନାହିଁ–ଅନ୍ୟର ସତୀତ୍ୱ ନଷ୍ଟକରିବା ତ ଦୂରର କଥା, ଏଥିରେ ମୁଁ କିପରି ସ୍ୱଧର୍ମ ପରିତ୍ୟାଗ କରି ବିପଥଗାମୀ ହେବି ? ଏ ଜୀବନରେ ଏକ ପତ୍ନୀବ୍ରତର ଉପଦେଶ ଦେଇ ଅନ୍ୟଥା କରିବା ଘଟିନାହିଁ କି ଘଟିବ ନାହିଁ ! ଯେଉଁମାନେ ସେପରି କରନ୍ତି, ମା, ସେମାନେ କେବଳ ଭଣ୍ଡ ତପସ୍ୱୀ ନୁହନ୍ତି—ସମାଜର ଗଳଗ୍ରହ, କଳଙ୍କପସରା । ସେମାନେ ସର୍ବତ୍ର ଘୃଣିତ—ଲାଞ୍ଛିତ । ସେ ପାପରେ ଜଡ଼ିତ ହୋଇ ସେମାନେ ସଂସାରର ଯେ କି ଅନିଷ୍ଟ ଘଟାଇ ନ ପାରନ୍ତି, ତାହାର ସୀମା ନାହିଁ-। ସେମାନଙ୍କ ପକ୍ଷରେ ଧର୍ମ୍ମ—ଅଧର୍ମ୍ମ, ନ୍ୟାୟ—ଅନ୍ୟାୟ, ପାପ—ପୁଣ୍ୟ, ସତ୍ୟ—ଅସତ୍ୟର ପ୍ରଭେଦ ରହେ ନାହିଁ, ମା । ସେ ପିଶାଚ ପ୍ରବୃତ୍ତର ସୁଖ କ୍ଷଣିକ, ଅଥଚ ତାହା ନାନା ଅଶାନ୍ତିର କାରଣ । ସେହି ପାପ ଲୋକଚକ୍ଷୁରୁ ଲୁଚାଇବାପାଇଁ ସେମାନେ ଯେ କେତେ ପ୍ରତାରଣା—କେତେ ଲୋକଭୁଲାଣିଆ ନୀତି ଅବଲମ୍ୱନ କରନ୍ତି, ତାହାର ସୀମା ରହେ ନାହିଁ । ଏସବୁ ଜାଣି ଶୁଣି ମୁଁ କାହିଁକି ସେ ପାପପଙ୍କରେ ପଡ଼ିବି—ଘାଣ୍ଟି ହେବି, କହିଲ ମା ? ମୁଁ ନିତାନ୍ତ ଗରିବ—ବାରଦ୍ୱାର ମାଗିଲେ ପେଟ ପୋଷୁଛି—ସେଥିରେ ଏ ଦୁର୍ବୁଦ୍ଧି ଓ କୁକର୍ମ୍ମ କଲେ ମୋର ଅବସ୍ଥା ଯେ କି ଶୋଚନୀୟ ହେବ, ଥରେ ଭାବି ଦେଖ । ମୋତେ ପ୍ରବର୍ତ୍ତାଅ ନାହିଁ, ତୁମ୍ଭମାନଙ୍କ ଗୋଡ଼ ଧରୁଛି, ମୋତେ କ୍ଷମାଦିଅ ।’’

 

ସୁଦାମାର ଏହି କରୁଣ ଉକ୍ତି, ବିନୀତ ନିବେଦନ ଓ କାତର ଆତ୍ମସମର୍ପଣରେ ସେହି ମାୟା କାମିନୀମାନଙ୍କ ମନରେ ଭାବାନ୍ତର ହେଲା । ସେମାନେ ତାହାର ବିଶୁଦ୍ଧ ଚରିତ୍ର, ମହନୀୟ ଆଦର୍ଶ ଏ ଉଚ୍ଚ ଲକ୍ଷ୍ୟରେ ବିସ୍ମିତ ହୋଇ ତାହାକୁ ଧନ୍ୟ ଧନ୍ୟ କହିବାକୁ ଲାଗିଲେ । ସେମାନେ ସେହି ପୁଣ୍ୟାତ୍ମାଙ୍କ ନିକଟରେ ପରାଜିତ ହୋଇ କହିବାକୁ ଲାଗିଲେ, ‘‘ବିପ୍ରଶ୍ରେଷ୍ଠ, ବର୍ତ୍ତମାନ ଆପଣ କୁଶଳରେ ଗମନ କରନ୍ତୁ । ଆପଣଙ୍କ ଚରିତ୍ର ପରୀକ୍ଷା କରିବା ନିମନ୍ତେ ଛଦ୍ମବେଶରେ ଆସିଥିଲୁଁ । ବର୍ତ୍ତମାନ ଆପଣଙ୍କର ଶୁଦ୍ଧ ଓ ନିର୍ମ୍ମଳ ଚରିତ୍ରର ଜ୍ୱଳନ୍ତ ଦୃଷ୍ଟାନ୍ତ ପାଇ ନିଜର ପରାଜୟ ସ୍ୱୀକାର କରୁଛୁ । ଭଗବାନଙ୍କ କୃପାରୁ ଆପଣଙ୍କର ଅଚିରେ ମଙ୍ଗଳ ହେବ ।’’ ଏତିକି କହି ସେମାନେ କାହିଁ ଅନ୍ତର୍ହିତ ହୋଇଗଲେ ।

 

ଏ ଘଟଣା ପରେ ସୁଦାମାର ଆଉ ନିଦ ହେଲା ନାହିଁ । ସେ ଅନେକ ସମୟ ବସି କ’ଣ ଭାବିଲା । ତାର ମନେ ହେଲା, ଭଗବାନ କ’ଣ ଏପର୍ଯ୍ୟନ୍ତ ଏ ହୃଦୟ ଜାଣି ପାରିଲେ ନାହିଁ—ପରୀକ୍ଷା ପରେ ପରୀକ୍ଷା ହେଉଛି । ଲୀଳାମୟଙ୍କର ଲୀଳାର ରହସ୍ୟ କ’ଣ ବୁଝିବା ? ପରେ ରାତ୍ରିପାହି ଆସିବାର ଦେଖି ଘରକୁ ବାହାରିଲା ।

 

ଖଣ୍ଡେ ଦୂର ଯାଇଛି, ବାଟରେ ଗୋଟିଏ ବୁଢ଼ା ରୋଗୀ ଲୋକ ପଡ଼ି ଛଟପଟ ହେଉଥିବାର ଦେଖିଲା । ସେ ରୋଗର ଦାଉରେ ଆତୁର ହୋଇ କାନ୍ଦୁଛି—ଦେହରେ ଲୁଗାପଟା ନ ଥିବାରୁ ଗୋଟାସୁଦ୍ଧା ଥରୁଛି । ଖାଇବାକୁ ନ ପାଇ ଥିବାରୁ ଅସ୍ଥିକଙ୍କାଳ ଦିଶୁଛି । ପାଖରେ କେହି ଜଣେ ଆହା କରିବାକୁ ନାହିଁ । ସେ ତାହା ପାଖକୁ ଯାଇ ତାକୁ ଆଶ୍ୱାସନା ଦେଲା ପାଖରେ ଯେଉଁ ଲୁଗା ଖଣ୍ଡିକ ଥିଲା, ତାହା ମଧ୍ୟ ଦେଇ ଦେଲା । ଖଣ୍ଡେ ବାଟ ତାହା ହାତ ଧରି ଚଳାଇ ଆଣି ତାକୁ ଗୋଟିଏ ଗ୍ରାମରେ ଛାଡ଼ି ଦେଲା ଏବଂ ତାହାର ସମସ୍ତ ସୁବିଧା କରି ଦେଇ ଘର ଆଡ଼କୁ ଚାଲିବାକୁ ଲାଗିଲା । ବର୍ତ୍ତମାନ ତାହାର ଏକମାତ୍ର ସମ୍ୱଳ ଖଣ୍ଡିଏ ମାତ୍ର ଲୁଗା ଓ ମଇଳା ଗାମୁଛା—ଯେପରି ଘରୁ ଶୂନ୍ୟ ହସ୍ତରେ ଆସିଥିଲା, ସେପରି ଫେରୁଛି । ଫଳରେ ପଥଶ୍ରମ ହିଁ ସାର ହୋଇଛି । ତଥାପି ତାର ମନ ପ୍ରସନ୍ନ—ଉଦାର ଓ ଶାନ୍ତ । ତାହା ମନରେ ପରମ ସନ୍ତୋଷ । ସେ ନିଜକୁ ନର ନାରାୟଣ ସେବାରେ ଲଗାଇ ପାରିଛି—ନିଜର ସାମାନ୍ୟ ଭିକ୍ଷାନ୍ନ—ସାମାନ୍ୟ ଧନ ପରର ଉପକାରରେ ଲଗାଇ ପାରିଛି । ଯାହାକୁ ଇଚ୍ଛା, ତାହାକୁ ଦେଇ ନାହିଁ—ଯେ ଉପଯୁକ୍ତ, ଅଭାବଗ୍ରସ୍ତ, ତାହାର ଉପକାରରେ ଲଗାଇ ପାରିଛି । ହୃଦୟର ଏହି ପ୍ରସନ୍ନତାରେ ତାର ମୁଖରେ, ଚକ୍ଷୁରେ ଓ ଅନ୍ତରରେ ଆନନ୍ଦର ଜ୍ୟୋତି ଖେଳି ଯାଉଛି—ଯେପରି ସେ ଜୀବନକୁ ସାର୍ଥକ କରି ପାରିଛି । କିନ୍ତୁ ନିଜେ ଯେ ଦରିଦ୍ରତା ବରଣ କରିଛି, ଭିକ୍ଷାନ୍ନରେ ଜୀବନ କଟାଇବାକୁ ବସିଛି, ସେଥିପାଇଁ ଦୁଃଖ ନାହିଁ । ତାହାର ଯାହା କେବଳ ଦୁଃଖ, ସୁମତି ଠାରୁ ପରାଭବ ପାଇବାଲାଗି । ସେ ଭାବିଲା, ମୋର ଏପରି ଅବସ୍ଥା ଦେଖି ସୁମତି କ’ଣ କହିବ ? ତାକୁ ବା କ’ଣ କହି ବୁଝାଇବି ? ହେଉ, ଭଗବାନଙ୍କର ଯେ ବରାଦ ଥିବ । ଶ୍ରୀକୃଷ୍ଣଙ୍କୁ ତ ଦେଖିଲି ଯଥେଷ୍ଟ ପାଇଛି । ସେଇ କଥା କହି ତାକୁ ବୋଧ କରିଦେବି । ସେଥିରୁ ବଳିଲେ ଦେଖାଯିବ । ଏପରି ଭାବି ଭାବି ଦ୍ରୁତଗତିରେ ଚାଲିବାକୁ ଲାଗିଲା ।

 

ଏଣେ ଅଲିକ୍ଷିତରେ ନାରଦ ଏ ସବୁ ଦୃଶ୍ୟ ଦେଖୁଥିଲେ । ମାୟା କାମିନୀମାନେ ଯେତେବେଳେ ସୁଦାମାକୁ ବଶ କରି ନ ପାରି ଫେରି ଯିବାର ଦେଖିଲେ, ସେତେବେଳେ ତାଙ୍କ ମନର ଭ୍ରାନ୍ତି ଦୂର ହେଲା । ବର୍ତ୍ତମାନ ଏ ଘଟଣା ଦେଖି ସେ ଯଥାର୍ଥ ବୁଝିଲେ, ‘‘ଅନ୍ୟ ଲୋକପରି କାମିନୀ କାଞ୍ଚନରେ ଲୁବ୍ଧ ନୁହେ ସୁଦାମାର ହୃଦୟ—ସେ ଏ ସବୁର ଅତି ଉଚ୍ଚରେ । ସେ କେବଳ ଭଗବାନଙ୍କର ପରମ ଭକ୍ତ ନୁହେ, ତାହାର ଅନୁପମ ଭକ୍ତି, ପ୍ରୀତି, ସ୍ନେହ, ମମତା, ସୌଜନ୍ୟ, ଦୟା ଓ ତ୍ୟାଗରେ ଯେ କେହି ତାହାର ଚରଣତଳେ ନତ ହେବେ । କେବଳ ଏତିକି ନୁହେ—ଏପରି ନିରୁପମ ଆଦର୍ଶ, ମହନୀୟ ଚରିତ୍ର, ଉଦାର ଓ ବିଶୁଦ୍ଧ ହୃଦୟ, ଅକୃତ୍ରିମ ଦୟା, ଅଚଳ ଓ ଅଟଳ ଈଶ୍ୱର ବିଶ୍ୱାସ, ଅକୁଣ୍ଠିତ ହୃଦୟରେ ତ୍ୟାଗ କ୍ୱଚିତ୍ ଦେଖାଯାଇଥାଏ । ବର୍ତ୍ତମାନ ବୁଝିଲି, ସେ ଭଗବାନଙ୍କର ପ୍ରିୟ ହେବାର ଯଥାର୍ଥ ଉପଯୁକ୍ତ । ମୁଁ ବୃଥାରେ ସନ୍ଦେହ କରି ସେ ମହାପୁରୁଷଙ୍କୁ ଏତେ କଷ୍ଟ ଦେଲି । ଆଜି ତାଙ୍କର ଦର୍ଶନରେ ମୋର ସମସ୍ତ ପାପ ନଷ୍ଟ ହେଉ ।’’ ଏପରି ଭାବି ଭାବି ତାଙ୍କ ଚରଣ ଉଦ୍ଦେଶ୍ୟରେ ପ୍ରଣାମ କରି ନାରଦ ଅନ୍ତର୍ହିତ ହୋଇଗଲେ ।

☆☆☆

 

ସପ୍ତମ ପରିଚ୍ଛେଦ

ସମ୍ପଦଲାଭ ଓ ତ୍ୟାଗ

 

ଅନ୍ତର୍ଯ୍ୟାମୀ ଭଗବାନଙ୍କୁ ନାରଦଙ୍କର ଚକ୍ରାନ୍ତ କଥା ଅଜଣା ରହିଲା ନାହିଁ । ସେ ଏସବୁ ଭାବି ପରିହାସ କଲେ—ଭାବିଲେ, ନାରଦ ଦେବର୍ଷି ହେଲେ ମଧ୍ୟ ତାଙ୍କର ହିଂସା କରିବାର ପ୍ରବୃତ୍ତି ଯାଇ ନାହିଁ । ସେ ବୃଥାରେ ସୁଦାମାର ଏତେ ଅନିଷ୍ଟ କଲେ । ଆଉ ତ ପରୀକ୍ଷା କରିବାର ପ୍ରୟୋଜନ ନ ଥିଲା, ବୃଥାରେ ସେ ମହାପୁରୁଷକୁ ଏତେ କଷ୍ଟ ଓ ଯନ୍ତ୍ରଣା ଦେଲେ । ବୁଝି ପାରୁନାହାନ୍ତି, ଏହାହିଁ ଦୁଃଖର କଥା । ବର୍ତ୍ତମାନ ସେ ନିଜର ଭ୍ରମ ବୁଝି ଲଜ୍ଜିତ, ଏହାହିଁ ଯଥେଷ୍ଟ । ଏ ମଧ୍ୟରେ ସୁଦାମା ବହୁତ କଷ୍ଟ ସହିଲାଣି । ତାହାର ସାଧନ ଅସାଧାରଣ । ଅନେକ ଜନ୍ମ ହେଲା ସେ ନିଷ୍କାମ ଭାବରେ ଆରାଧନା କରି ଆସୁଛି । ଏପରି ଅବସ୍ଥାରେ ତାହାର ପୁରସ୍କାର ବିଳମ୍ୱ କରିବା ଉଚିତ ନୁହେ । ଏ ବିଷୟ ମଧ୍ୟ ସେ ରୁକ୍ମିଣୀକୁ ଜଣାଇ ଦେଲେ ।

 

ରୁକ୍ମିଣୀ ନିଦ୍ରିତ—ସୁମତି ନିଦ୍ରିତ—ସମସ୍ତ ଜଗତ ସୁପ୍ତ ଅଜ୍ଞାନ । ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କର ସୃଷ୍ଟିର ଲୀଳା ଆରମ୍ଭ କଲେ । ତାଙ୍କର ଇଚ୍ଛାମାତ୍ରକେ ସୁଦାମାର ସେହି ଭଙ୍ଗା କୁଡ଼ିଆଟି ଚାରି ମହଲା କୋଠାରେ ପରିଣତ ହୋଇଗଲା । ନାନା ଉପକରଣରେ କୋଠାଟି ଶୋଭା ପାଇବାକୁ ଲାଗିଲା—ଦାସ ଦାସୀ, ଯାନ ବାହାନ, ଘୋଡ଼ା ହାତୀ, ମଣି ମୁକ୍ତା ଓ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟରେ ତାହା ପୂରିଗଲା ଏବଂ ବହୁଲୋକଙ୍କ ସମାଗମରେ ଜନାକୀର୍ଣ୍ଣ ହୋଇ ପଡ଼ିଲା-। ଦେଖିଲେ ମନେ ହେଲା ଯେପରି ଜଣେ କୋଟିପତିଙ୍କର କାରଖାନା ।

 

ସକାଳ ହେଲା । ପୂର୍ବଦିଗ ଫରଚା ହୋଇଗଲା । ସମସ୍ତ ଜଗତ ଆଲୋକମୟ ହୋଇ ଉଠିଲା । ସୁପ୍ତ ନିଶ୍ଚଳ ପ୍ରାଣରେ ଉଦ୍ଦୀପନା ଉଦବେଗ—ଜାଗରଣ ଖେଳି ଗଲା, ମନେ ହେଲା, ଯେପରି ସେ ନବଭାବରେ ପ୍ରଭାବିତ—ନବ ଉଦ୍ୟମରେ ତତ୍ପର—ନବ ସାଧନାରେ ଅଗ୍ରସର । ପକ୍ଷୀମାନେ ବୃକ୍ଷରେ—ମାର୍ଗରେ—ଘାଟରେ ସର୍ବତ୍ର ରାବ କରିବାକୁ ଲାଗିଲେ, ଜଣାଇ ଦେଲେ ଯେପରି ନବବିଭବ ଘେନି ନୂତନ ସଂସାରରେ ଅବତୀର୍ଣ୍ଣ । ପ୍ରଭାତ ଡଗର କାକ ରାବ କରି ସୁପ୍ତ ଜଗତରେ ନବ ଜାଗରଣ ଆଣିଦେଲା । ଜଗତର ଏହି ତାନମାନରେ ସମସ୍ତେ ଉଠି ପଡ଼ିଲେ କିନ୍ତୁ ବହୁ ବିଳମ୍ୱରେ ଶୋଇ ଥିବାରୁ ସୁମତିର ନିଦ ଭାଜିବାକୁ ଟିକିଏ ଡେରି ହେଲା । ସେ ହଠାତ୍ ନିଦ ଭାଙ୍ଗି ଉଠି ଦେଖେ ତ ଦିନ ହୋଇ ଗଲାଣି—ଚାରିଆଡ଼େ ଖରା ପଡ଼ିଗଲାଣି । ଗାଁ ଲୋକେ ପାଟି କରି ଯେ ଯାହାର କାମରେ ବାହାରି ଗଲେଣି । ଏସବୁ ଦେଖି ତାର ମନରେ ଅବଶୋଷ ହେଲା । ଏହି ସମୟରେ ହଠାତ୍ ଚମକି ପଡ଼ି ଭାବିଲା, ‘‘ଏ କ’ଣ ? ମୁଁ କେଉଁଠି ? ଏଠିକି ବା ଆସିଲି କେମିତି ? ଏ ଘର—ଏ କୋଠା ବା କାହାର ? ଏ ପଲଙ୍କ ଏଠିକି କୁଆଡ଼ୁ ଆସିଲା ? ମୁଁ ତ ମାଟିରେ କାନିଟି ପକାଇ ଶୋଇଥିଲି—ମୋତେ ଏ ସୁନା ପଲଙ୍କରେ ଏଡ଼େ କଅଁଳିଆ ଗଦିରେ କିଏ ଶୁଆଇଲା ? କ’ଣ, ମୁଁ ସ୍ୱପ୍ନ ଦେଖୁଛି ? ନାହିଁ, ମୁଁ ତ ଚାହିଁଛି—ସ୍ୱପ୍ନ ବା ଦେଖିବି କିପରି ? ତେବେ କ’ଣ ମୋର ମତିଭ୍ରମ ହୋଇଛି ନା, କାର ଏସବୁ ମାୟା ?’’ ଏସବୁ କଥା ଭାବି ଭାବି ସୁମତି ଅବାକ୍ ହୋଇ ସେହି ଘରତଳେ ବସି ପଡ଼ିଲା ଏବଂ ଏକାବେଳକେ ତଟସ୍ଥ ହୋଇଗଲା ।

 

ଠିକ୍ ଏତିକିବେଳେ ଶ୍ରୀକୃଷ୍ଣ ଓ ରୁକ୍ମିଣୀ ନିଜ ବେଶରେ ହସି ହସି ସେଠାରେ ପହଞ୍ଚିଗଲେ-। ସଖୀଙ୍କୁ ଅବାକ୍ ଦେଖି ଶ୍ରୀକୃଷ୍ଣ କହିଲେ, ‘‘ସଖି ! ଏ କ’ଣ, ଇମିତି ବସିଛ କିଆଁ ? କ’ଣ ହେଲା କି ? ବର୍ତ୍ତମାନ ଚିହ୍ନି ପାରୁଛ ? ମୁଁ ପରା ତୁମ କହ୍ନେଇ ଏ ଭିକାରୁଣୀଟି ରୁକ୍ମିଣୀ । ସଖାଙ୍କର ବଡ଼ ଦୁଃଖ କଷ୍ଟ । ସେଥିପାଇଁ ଆସିଛୁ ପରା ।’’

 

ଜଗତପିତା ଶ୍ରୀକୃଷ୍ଣ ଓ ଜଗତ୍‍ମାତା ରୁକ୍ମିଣୀଙ୍କୁ ଦେଖି ସୁମତିର ଆଖି ଦିଓଟି ଲୁହରେ ଛଳ ଛଳ ହୋଇଗଲା । ସେ ପ୍ରଥମେ ଏ ସବୁର ରହସ୍ୟ—ଲୀଳାମୟଙ୍କର ଉଦ୍ଦେଶ୍ୟ ବୁଝି ପାରିଲା ନାହିଁ-। ପରେ ଦୀନବନ୍ଧୁଙ୍କର ଅଶେଷ କରୁଣାର କଥା ତା’ମନରେ ପଡ଼ିଲା । ସେ ମନେ ମନେ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ଚରଣତଳେ ଶତ ଶତ ପ୍ରଣାମ କରିବାକୁ ଲାଗିଲା ।

 

ଏଣେ ସୁଦାମା ଘରେ ପହଞ୍ଚିବା ଲାଗି ଚଞ୍ଚଳ ଚାଲିଛି । ବେଳ ଦିପହର ହେଲାଣି । ଟାଣ ଖରା ମାଡ଼ି ଆସିଲାଣି । ସେଥିରେ ସେ କାହିଁ ବିଶ୍ରାମ ନ କରି ଚାଲିଛି । ‘‘ବ୍ରଜଧାମ ନିକଟ ହେଲାଣି-। ଏଥର ଘରେ ପହଞ୍ଚିବି । ସୁମତି ବିଚାରା ଏହି କେତେଦିନ କ’ଣ କରୁଛି, କିମିତି ଚଳୁଛି, ତାହାର ତ ଭାରି ଦୁଃଖ ହେବଣି—କରିବ ବା କ’ଣ ? ଭାଗ୍ୟରେ ଯାହା ଅଛି, ତାହା ତ ଭୋଗ କରିବାକୁ ହେବ । ସେଥିରେ ସେ ମୋତେ ଖାଲି ହାତରେ ଘରେ ପହଞ୍ଚିବାର ଦେଖି କ’ଣ କହିବ-? ସେଥିରେ ବା ମୋର କି ଅଛି ? ସବୁ ତ ତାଙ୍କରି ବରାଦ । ହଉ, ସେଥିପାଇଁ ପଛଘୁଞ୍ଛା ଦେଲେ କ’ଣ ହେବ ? ଫଳଟି ଉପରରୁ ପଡ଼ିଲେ ତ ଅଧବାଟରେ କାହିଁ ଅଟକି ଯିବନାହିଁ ! ସେଥିରେ ବା ଚିନ୍ତା କ’ଣ ?’’ ଏପରି କେତେ କଥା ଭାବି ଭାବି ନ ଖାଇ ନ ପିଇ ସୁଦାମା ଆସି ବ୍ରଜରେ ପହଞ୍ଚିଲା-। ସେ ଅନ୍ୟ କୁଆଡ଼େ ଲକ୍ଷ୍ୟ ନ ଦେଇ ନିଜର କୁଡ଼ିଆ ଆଡ଼କୁ ଗତି କଲା—ମନେକଲା ସୁମତିକୁ ଦେଖି ତାହାର ସବୁ ଦୁଃଖ ପାଣିପରି ବହିଯିବ ।

 

ଯେଉଁଠି କୁଡ଼ିଆଟି ଥିଲା, ସେଠାରେ ପହଞ୍ଚି ଦେଖେ ତ, ତାହାର ସେ ଭଙ୍ଗା କୁଡ଼ିଆଟି ନାହିଁ । ଗୋଟାଏ ଚାରି ମହଲା କୋଠା ସେଠି ଛିଡ଼ା ହୋଇଛି ‘‘ଏ କ’ଣ ? ମୋ କୁଡ଼ିଆଟି ଗଲା କୁଆଡ଼େ ? ଏ କୋଠାଘର ବା କାହାର ? ଏଠିକି ଆସିଲା ବା କୁଆଡ଼ୁ ? ଏହି କେତୋଟା ଦିନରେ ତ ଏଡ଼େ କୋଠା ତିୟାରି ହେବା ଅସମ୍ଭବ । ତେବେ ତ ସେହି କମଳା ଗଛଟି ଅଛି—ସେହି ଆମ୍ୱ, ବେଲ, ଚମ୍ପାଗଛ ତ ଅଛି । ଠିକ ତ ସେହି ବିଶ୍ୱନାଥ ମନ୍ଦିରଟି ଅଛି । ତେବେ ଏସବୁ କ’ଣ ? ମୋର ତ ଭୁଲ୍‍ ହେବା ସମ୍ଭବ ନୁହେ ।’’ ଇମିତି କେତେ କଥା ଭାବି ସୁଦାମା ଥକା ହୋଇ ସେଠି ବସି ପଡ଼ିଲା । ତାର ପାଟିରୁ କଥା ବାହାରିଲା ନାହିଁ ।

 

ସେଠାରେ ଟିକିଏ ବସିଛି, ତା ମନରେ କେତେ କଥା ପଡ଼ିଲା । ‘‘ଏ କୋଠାଟି କାହାର ? ସୁମତି ବା ଗଲା କୁଆଡ଼େ ? ବେଶୀ ଦିନ ତ ନୁହେ—ଏଇ କେତୋଟା ଦିନ ତ ଯାଇଥିଲି । ସେଥିରେ ଏସବୁ ପରିବର୍ତ୍ତନ ହେଲା ବା କିମିତି ? ବର୍ତ୍ତମାନ କରେ କ’ଣ ? ଯିବି ବା କୁଆଡ଼େ ? ସୁମତିକି କ’ଣ ଆଉ ପାଇବି ନାହିଁ ? କାହିଁ ଗଲା ? କୁଆଡ଼େ ବା ଖୋଜିବି ? କାହିଁକି ଗଲି ? ସବୁ ହରାଇ ବସିଲି ! କୁଡ଼ିଆଟି ଗଲା, ଆଉ ରହିବାକୁ ଯାଗା ନାହିଁ । ସୁମତି ବି ଗଲା—ଆଉ ଜୀବନର ସଙ୍ଗୀ ପାଇବି କୁଆଡ଼ୁ ? ତାର ମୋ ପ୍ରତି କେତେ ଭକ୍ତି, କେତେ ଆଦର ! ହାୟ ରେ ଦଇବ, କି ଦଶା ଦେଲୁ ? ଭଗବାନ୍ ! ବର୍ତ୍ତମାନ ତୁମ୍ଭେ ହିଁ ଭରସା ।’’

 

ଏଣେ ଶ୍ରୀକୃଷ୍ଣଙ୍କ ଦୟାରୁ ସୁମତିର ସବୁ ଦୁଃଖ ଦୁର୍ଦ୍ଦଶା ଘୁଞ୍ଚିଛି । ତାର ଘର ଧନ, ରତ୍ନ, ମଣି ମୁକ୍ତାରେ ପୂରିଛି—ଲୁଗାପଟ୍ଟାର ଅଭାବ ନାହିଁ । ଅନେକ ଦାସ, ଦାସୀ ଆଜ୍ଞା ପାଳିବା ନିମନ୍ତେ ରହିଛନ୍ତି । ମୋଟ ଉପରେ ସୁମତିର କିଛି ଅଭାବ ନାହିଁ । ତେବେ ଏ ସବୁରେ ତାର ମନ ନାହିଁ । ଠାକୁର ସେବା, ଅତିଥି ସତ୍କାର, କାଙ୍ଗାଳିଭୋଜନ—ଏସବୁରେ ତାର ବେଳ ଅଣ୍ଟିବ ନାହିଁ । ନିଜ ହାତରେ ରୋଷେଇ କରି ଏ ସବୁ କାମ କରୁଛି । ଚାକର ବାକରଙ୍କ ଉପରେ ନିର୍ଭର ନାହିଁ । କିନ୍ତୁ ଏ ସବୁରେ ତାର ଆନନ୍ଦ ନାହିଁ । ମନରେ ବଡ଼ ଅବଶୋଷ ରହିଛି । ସେଥିପାଇଁ ସେ ସବୁବେଳେ ଭାବୁଛି, ‘‘ଏତେ ଡେରି କାହିଁକି ହେଲା ? ସଖା ତ ଆସିଲେଣି—ସେ ବା ଗଲେ କୁଆଡ଼େ ? ତାଙ୍କ ଛଡ଼ା ମୋର ଏ କୋଠାବାଡ଼ି, ଧନ ଦୌଲତରେ କି ପ୍ରୟୋଜନ ? ତାଙ୍କ ସେବା ବିନା ଏ ସବୁ ମୋ ପକ୍ଷରେ ବିଷ ସିନା !’’

 

ସେଦିନ ଠାକୁର ସେବା ଓ କାଙ୍ଗାଳିଭୋଜନ ସାରି ସୁମତି ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ସଙ୍ଗେ ସ୍ୱାମୀଙ୍କ ବିଷୟରେ କଥାବାର୍ତ୍ତା ହେଉଛନ୍ତି କାହିଁକି ଏତେ ବିଳମ୍ୱ ହେଲା ପଚାରୁଛନ୍ତି, ଠିକ୍‍ ସେହି ସମୟରେ ତାଙ୍କ ଦୃଷ୍ଟି ଝରକାବାଟେ ରାସ୍ତାରେ ପଡ଼ିଲା ସେ ଦେଖିଲେ ତାଙ୍କ ସ୍ୱାମୀ ରାସ୍ତା ପାଖେ ବସି କ’ଣ ଭାବୁଛନ୍ତି, ବୋଧହୁଏ ଚିହ୍ନି ନ ପାରି ଅବାକ୍ ହୋଇ ରହିଛନ୍ତି । ଏକଥା ସେ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କୁ ଦେଖାଇ ଦେଲା ଓ ସେମାନଙ୍କ ସଙ୍ଗେ ତାଙ୍କ ପାଖକୁ ବାହାରିଲା । ସେ ଦୁହେଁ ଏ ଦୃଶ୍ୟ ଦେଖି ନ ହସି ରହି ପାରିଲେ ନାହିଁ ।

 

ଏଣେ ସୁଦାମା ଅନ୍ୟମନସ୍କ ଥିବାରୁ ଏମାନଙ୍କର ଆସିବା କଥା ଦେଖି ପାରିଲେ ନାହିଁ । ଏଇ ସୁବିଧା ଦେଖି ଶ୍ରୀକୃଷ୍ଣ ନିକଟବର୍ତ୍ତୀ ହୋଇ ପଛଆଡ଼ୁ ଡାକି ଦେଲେ, ‘‘ସଖା ବସି କ’ଣ ଭାବୁଛ କି ?’’

 

ପରିଚିତ ସ୍ୱର—କେଡ଼େ ସ୍ନେହର ଡାକ—ଏଥିରେ ସୁଦାମା ଚମକି ପଡ଼ିଲା । ସେ ଚାହିଁ ଦେଖେ ତ ତାଙ୍କର ବାଲ୍ୟସଖା କହ୍ନେଇ ଭାଇ । ଏଇଟା ତାଙ୍କୁ ଭାରି ଆଶ୍ଚର୍ଯ୍ୟ ଜଣା ପଡ଼ିଲା । ସେ ହଠାତ୍‍ ପଚାରିଲା, ‘‘ସଖା, ଏଠିକି କିମିତି ଆସିଲ ? କେତେବେଳେ ବା ଆସିଲ ?’’

 

‘‘ସଖାଙ୍କ ଅନୁଗ୍ରହରୁ ଆମର କିଛି ଦୁଃଖ ନାହିଁ । ଏଇ ଦେଖ, କେତେ କେତେ କୋଠା ବାଡ଼ି, ଦାସ ଦାସୀ ଧନସମ୍ପତ୍ତି—ଆଉ ଅଭାବ କ’ଣ ?’’ କହି ସୁମତି ସ୍ୱାମୀଙ୍କ ଚରଣତଳେ ପଡ଼ିଗଲେ ।

 

ଏହି ସମୟରେ ରୁକ୍ମିଣୀ ସୁଦାମାର ହାତ ଧରି ଉଠାଇ ଦେଲେ, କହିଲେ, ‘‘ସଖା, ଘର ଭିତରକୁ ଆସ—ଏଠି ବାହାରଟାରେ ବସି କି ଲାଭ ? ଆସ, ସବୁ ଶୁଣିବ ଯେ ।’’

 

ସେ ଦୁହିଁଙ୍କି ଦେଖି ସୁଦାମାର ଆନନ୍ଦର ସୀମା ରହିଲା ନାହିଁ । କୋଟିନିଧି ପାଇଲାପରି ସେ ବୋଧ କଲା । ସେ ମନେ ମନେ ଭାବିବାକୁ ଲାଗିଲା, ‘‘ଆହା, ସୁମତିର କି ଭାଗ୍ୟ ! ଯାହାଙ୍କ ଦର୍ଶନପାଇଁ ଯୋଗୀ ଋଷିମାନେ ବହୁକାଳ ଧରି ନ ଖାଇ ନ ପିଇ ଘୋର ବନସ୍ତରେ ତପସ୍ୟା କରୁଛନ୍ତି, ଅଥଚ ଦର୍ଶନ ପାଉ ନାହାନ୍ତି, ତାହାଙ୍କୁ ଆଣି ଘରେ ରଖିଛି । ତାଙ୍କର ଦର୍ଶନ ପାଇବାକୁ କେତେ କଷ୍ଟ କଲି—କେତେ ବାଟ ଚାଲିଲି । ଅଥଚ ସୁମତି ବିନା ଆୟାସରେ ତାଙ୍କର ଦର୍ଶନ ପାଇଲା-। ଧନ୍ୟ ସୁମତି ! ଧନ୍ୟ ତୋର ତପସ୍ୟା, ଧନ୍ୟ ତୋର ସାଧନା !’’

 

ପରେ ସମସ୍ତେ କୋଠାଭିତର ଆଡ଼କୁ ଯିବାକୁ ଲାଗିଲେ, କିନ୍ତୁ ଦୁଇଚାରି ପାହୁଣ୍ଡ ଯିବାପରେ ସୁଦାମା ଠିଆ ହୋଇ ରହିଲା । ସୁମତିକୁ କହିଲା, ‘‘ଦେଖ ସୁମତି ! ସଖା ମୁରୁକି ମୁରୁକି ହସୁଛନ୍ତି । ଏଥିରେ ତାଙ୍କର କିଛି ଦୁରଭିସନ୍ଧି ଅଛି । ଆଗେ ସେ କଥାଟା ବୁଝି ପରେ ଘରଭିତରକୁ ଯିବା—ନଚେତ୍ ନାହିଁ ।’’ ଏତିକି କହି ସେ ଠିଆ ହୋଇ ରହିଲା । ଅନ୍ୟମାନେ ବି ସେଠି ଠିଆ ହେଲେ ।

 

‘‘ସଖା ଠିଆ ହେଲ କାହିଁକି ? ଘରକୁ ଚାଲ । ସବୁ କଥାରେ ସନ୍ଦେହ କରିବାଟା କ’ଣ ଭଲ ?’’

 

ଶ୍ରୀକୃଷ୍ଣଙ୍କର ଏକଥା ଶୁଣି ସୁଦାମା କହିଲା, ‘‘ସଖା, ତୁମ୍ଭଙ୍କୁ ପିଲା ଦିନରୁ ଦେଖି ଆସିଲି । ତୁମର ଗୋଟିଏ କଥା ତ ସରଳ ଦେଖି ନାହିଁ । ଅତି ଛୋଟ ହୋଇଥିଲ, ପୁତନାଠାରୁ ସ୍ତନ ଖାଇବାବେଳେ ତାହାର ପ୍ରାଣ ଶୋଷିନେଲେ, ଶକଟାସୁର, ବକାସୁର ଆଉ କେତେ ଅସୁରଙ୍କୁ କୌଶଳରେ ମାଇଲ । ଗୋପୀମାନଙ୍କ ଘରେ ପଶି ସେମାନଙ୍କ କ୍ଷୀରରୁ କୌଶଳରେ ଲବଣୀଯାକ ଖାଇ ଯାଅ, ଅଥଚ ସେମାନେ ତାକୁ ମନ୍ଥି ମନ୍ଥି କିଛି ପାଆନ୍ତି ନାହିଁ । କୁରୁସଭାତଳେ ଦ୍ରୌପଦୀଙ୍କୁ ବିବସ୍ତ୍ର କଲାବେଳେ ତାଙ୍କୁ କେଡ଼େ କୌଶଳରେ ବସ୍ତ୍ରଦାନ କରିଛ, ଦୁରାତ୍ମା ଦୁଃଶାସନର ସମସ୍ତ ଶ୍ରମ ପଣ୍ଡ କରିଛ । ସେଦିନ ଦୁର୍ବାସାଙ୍କ ଅଭିଶାପରୁ ବନବାସୀ ପାଣ୍ଡବମାନଙ୍କୁ କି କୌଶଳରେ ରକ୍ଷା କଲ—ସେ ସବୁ କଥା ଭାବିଲେ, ମନେ ହୁଏ, ତୁମେ କେତେବେଳେ କି ଛଳନାରେ କି କାମ କର, ସାମାନ୍ୟ ମନୁଷ୍ୟର ତାହା ବୁଝିବା ଅସାଧ୍ୟ । ନିର୍ବୁଦ୍ଧିଆପଣରେ ସେ ଅନେକ ସମୟରେ ତୁମର ଆପାତ ମଧୁର କାର୍ଯ୍ୟରେ ଭୁଲିଯାଏ ସତ, ମାତ୍ର ଶେଷରେ ବହୁତ କଷ୍ଟ ପାଏ । ଏଣେ ତୁମେ କେତେ ହସ, କେତେ ଉପହାସ କର, ସେ କଥା କେହି ବୁଝେ ନାହିଁ । କେତେବେଳେ ତୁମ୍ଭେ କି ମାୟା ଲଗାଇ, କି ମୋହନ ବଂଶୀ ବଜାଇ, କି ଲୀଳା ଲଗାଇ ଦିଅ ତାହା ଛାର ମନୁଷ୍ୟ ନ ବୁଝି ଅଗ୍ନିରେ ପତଙ୍ଗ ପଡ଼ିବାପରି ଅନ୍ଧଭାବରେ ସେ ଲୀଳାର ମଧୁର ସ୍ରୋତରେ ଭାସିଯାଏ, ଅଥଚ ପରିଣାମରେ ଯେ କି କଷ୍ଟ, କି ଦୁଃଖ ପାଏ ତାହା ସେ ଜାଣେ । ସେତେବେଳେ ତାହାର ଅନୁତାପ ଦେଖି ହସି ହସି ପରା କହିଥାଅ, ମିଥ୍ୟାମାୟାରେ କାହିଁକି ଘାଣ୍ଟି ହେଲ ? ଏ ସଂସାରରେ ଧନ କହ, ଜନ କହ, ପଦମର୍ଯ୍ୟାଦା କହ, କ୍ଷମତା କହ, ପ୍ରଭୁତ୍ୱ କହ ସବୁ ଅଢ଼େଇଦିନିଆ । କାହାରି ବଡ଼ପଣ ଚିରଦିନ ନୁହେ । ତାହା ନ ବୁଝି ଯେ ସଂସାରର ଅସ୍ଥାୟୀ ସୁଖରେ ମଜ୍ଜିଯାଏ, ତାହାର ଜୀବନ କି ଯନ୍ତ୍ରଣାମୟ, କି ଦୁଃଖମୟ ? କହ ଭଲା, ଏ ସବୁ ଜାଣି ଶୁଣି ମୁଁ କାହିଁକି ଦୁଃଖ, ଯନ୍ତ୍ରଣା ଓ ଅନୁତାପକୁ କୋଳ କରିବି ? କେଉଁ ସୁଖର ଆଶାରେ ଏ କୋଠାଘରେ ରହି ଏ ଧନରତ୍ନ ଭୋଗ କରିବି ? ମୋର ସେ ସବୁ ଦରକାର ନାହିଁ । ମୋର ସେହି କୁଡ଼ିଆଘରଟି ଦରକାର—ସେହି ଭିକ୍ଷାବୃତ୍ତି ଆବଶ୍ୟକ—ଅନ୍ୟଥିରେ ମୋର ଆଦୌ ମନ ନାହିଁ । ସଖା ମୋତେ ସଂସାରର ଆବିଳତାରେ ଠେଲି ଦିଅ ନାହିଁ । ମୋର ଏସବୁ ସମ୍ପଦ ଦରକାର ନାହିଁ । ତୁମର ଧନରତ୍ନ—ସବୁ ତୁମେ ନିଅ । ମୋତେ ଏ ଜଞ୍ଜାଳରେ ପକାଇ ନିଷ୍କାମ ଧର୍ମ୍ମରୁ ଭ୍ରଷ୍ଟ କର ନାହିଁ, ସଖା । ମୋର ଏତିକି ପ୍ରାର୍ଥନା ।’’

 

‘‘ସୁମତି, ତୁ ସଖାଙ୍କର ଛଳନା ବୁଝି ପାରୁନାହୁଁ । ତୁ ମନେ କରୁଛୁ, ଆମେ ଗରିବ ଥିଲୁ, ବଡ଼ କଷ୍ଟରେ ଦିନ କାଟୁଥିଲୁ, ତିନି ଓଳିରେ ଓଳିଏ ଖାଇବାକୁ ମିଳୁ ନ ଥିଲା । ବର୍ତ୍ତମାନ ଭାବୁଛୁ ଆମର ଦୁଃଖ ଦୂର ହୋଇଛି, କଷ୍ଟ ଦୂର ହୋଇଛି—ଧନ, ଜନ, ଗୋପଲକ୍ଷ୍ମୀରେ ଆମ ଘର ପୂରି ଉଠୁଛି । ଆଉ ଚିନ୍ତା କ’ଣ ? ସଖାଙ୍କର ଅନୁଗ୍ରହରୁ ଆମର ବହୁତରୁ ବହୁତ ହୋଇଛି, କିନ୍ତୁ ଭାବି ଦେଖ, ଏସବୁ ଆମର ଗଳଗ୍ରହ, ଅନିଷ୍ଟର—ଦୁଃଖର କାରଣ । ସଖା ଅନୁଗ୍ରହ କରିଛନ୍ତି ସତ, କିନ୍ତୁ ସେ ଅନୁଗ୍ରହ ଆମ ଭାବୀ ଜୀବନର ନିଗ୍ରହ ସ୍ୱରୂପ ହୋଇଛି ଭଲ କରି ଚିନ୍ତା କର, ଦେଖିବୁ, ସଂସାରରେ ଧନ, ଜନ, ଗୋପଲକ୍ଷ୍ମୀ, ମର୍ଯ୍ୟାଦା, ପ୍ରଭୁତ୍ୱ ବା ଆଉ ଯାହା ଅଛି ସେ ସବୁ ନେଇ ଲୋକେ କେତେ ଗର୍ବ କରନ୍ତି, କିନ୍ତୁ ସେତେବେଳେ ସେମାନେ ନ୍ୟାୟ ଅନ୍ୟାୟ, ପାପ ପୁଣ୍ୟ, ଧର୍ମ୍ମ ଅଧର୍ମ୍ମ ଓ ମିଥ୍ୟା ଆଚରଣ କରନ୍ତି ତାହାର କଳନା ନାହିଁ । କିନ୍ତୁ ସେ ଧନ ପ୍ରଭୃତି ପାଣିଫୋଟକାପରି କୁଆଡ଼େ ଚାଲିଯାଏ, କେତେ ଲାଞ୍ଛନା, କେତେ ଦୁଃଖ ଦେଇଯାଏ-। ଏ ଗାଁରେ ଆଗେ ଯେ ଧନୀ ଥିଲେ, ଏବେ ସେ କାହାନ୍ତି ? ଏପରି ଅବସ୍ଥାରେ ଆମ ପକ୍ଷରେ ଏ ସବୁର କି ଲୋଡ଼ା ସୁମତି ? କେଉଁ ବଳରେ ତୁ ଆଜି ସଖାଙ୍କୁ ଏଠି ଦେଖୁଛୁ କହିଲୁ ? ସେ ଅମୂଲ୍ୟ ଧନ ଛାଡ଼ି କାହିଁକି ଭଲା ଅସାର ଧନରେ, ଅନର୍ଥ ଅର୍ଥରେ ମନ ବଳାଇବା ? ନାହିଁ, ଆମର ଏ କୋଠାବାଡ଼ି, ଦାସଦାସୀ, ଧନରତ୍ନ ଦରକାର ନାହିଁ । ସେହି କୁଡ଼ିଆ ଖଣ୍ଡିକ ଯଥେଷ୍ଟ ନୁହେ କି-?’’

 

ସ୍ୱାମୀଙ୍କର ଏକଥା ଶୁଣି ସୁମତି କିଛି ଉତ୍ତର ଦେଇ ପାରିଲା ନାହିଁ । ସମସ୍ତେ ମାୟାର ଆଧାର ଶ୍ରୀକୃଷ୍ଣ ପୁଣି ମନ ପରଖିବା ପାଇଁ ଆଉ ଥରେ କହିଲେ, ‘‘ସଖା, କଣ ଗୁଡ଼ାଏ ପାଗଳପରି କହୁଛ ? କେତେ କଷ୍ଟ ସହିଛ, କେତେ ଦୁଃଖ ଭୋଗିଛ । ସେଥିପାଇଁ ଏସବୁ ଆନନ୍ଦରେ ଓ ସ୍ନେହରେ ଦେଇଛୁ । ତୁମେ ଇମିତି ଗୁଡ଼ାଏ କ’ଣ ଭାବୁଛ ? ନାହିଁ, ନାହିଁ, ଆସ—କେତେ ବାଟ ଚାଲିଛ । ବର୍ତ୍ତମାନ ବିଶ୍ରାମ କରିବା, ଦୁଃଖସୁଖ ହେବା ।’’

 

‘‘ନାହିଁ ସଖା, ମୋର ସେ ସବୁ ଲୋଡ଼ା ନାହିଁ । ଜାଣିଛ ତ, ମୋର ଜନ୍ମ ଗରିବ ଘରେ । ଗରିବ ଭାବରେ ଚଳିଛି । ବର୍ତ୍ତମାନ ଏ ଧନଦୌଲତ, ଦାସଦାସୀ, ଯାନବାହାନ, କୋଠାବାଡ଼ି ନେଇ ଯଦି ମୁଁ ଧନୀ, ବଡ଼ଲୋକ ହୋଇ ବସେ, ତେବେ ମୋର ଆଦର ବଢ଼ିବ କି ? ଯେଉଁ ଗରିବମାନଙ୍କ ସଙ୍ଗେ ଆଜୀବନ ଚଳି ଆସିଥିଲି, ଆଜି ସେମାନଙ୍କଠାରୁ ଅଲଗା ହୋଇ ରହିବି, ଏଣେ ଧନୀ ବଡ଼ଲୋକମାନେ ଆକସ୍ମିକ ଅଭ୍ୟୁଦୟରେ ମୋତେ ସଙ୍ଗରେ ମିଶାଇବେ ନାହିଁ । ଫଳରେ ମୁଁ ଏକଘରିଆ ହେବି ସିନା । ତେବେ ଏ ଅପମାନ, କଷ୍ଟ କାହିଁକି ସହିବି ଭଲା ? ଆହୁରି ଏ ଧନସମ୍ପତ୍ତି ଯାହା ବା ଦେଇଛ କେହି ତ ମୋ ସଙ୍ଗରେ ଯିବେ ନାହିଁ—ମୋତେ ବି ଶେଷସ୍ଥାନକୁ ଏକା ହୋଇ ଶୂନ୍ୟ ହସ୍ତରେ ଯିବାକୁ ହେବ । ତେବେ ଏ ଗୋଲକଧନ୍ଦାରେ ପଡ଼ି ଅଢ଼େଇ ଦିନକୁ ଘାଣ୍ଟି ହେବି କାହିଁକି ? ସଖା, ମୋର ତ ଏଥିରେ ସୁଖ ହେବ ନାହିଁ ବରଂ ଦୁଃଖ ହେବ । ତେବେ ତୁମ ସାଙ୍ଗ ଧରିବାର ଫଳ କ’ଣ ଏଇଆ ସଖା ?’’

 

ଶ୍ରୀକୃଷ୍ଣ ବର୍ତ୍ତମାନ ସୁଦାମାର ମନର ଭାବ ଭଲରୂପେ ବୁଝି ପାରିଲେ—ଦେଖିଲେ, ସଖାଙ୍କୁ ଠକି ଦେଇ ଚାଲି ଯିବାର ବାଟ ନାହିଁ । ତାହାର ଲକ୍ଷ୍ୟ ଉଚ୍ଚ ଓ ମହତ୍ । ସେଥିରୁ ବିଚଳିତ କରିବା ସହଜ ନୁହେ । ସେଥିପାଇଁ ନିଜେ ପରାଜୟ ସ୍ୱୀକାର କଲେ—ସଖାଙ୍କୁ ଆନନ୍ଦରେ ସ୍ନେହରେ କୋଳ କରି କହିଲେ, ‘‘ସଖା, ସଖା, ତୁମେ ମୋର ହୃଦୟର ସଖା—ପିଲାଦିନର ସାଙ୍ଗ । ତୁମର ହୃଦୟ ଅନେକ ଥର ପରୀକ୍ଷା କରିଛି । ବର୍ତ୍ତମାନ ବୁଝିଲି, ତୁମେ ଯଥାର୍ଥରେ ମୋଠାରେ ଆସକ୍ତ । ସେ ସୁଖସମ୍ଭୋଗ ଉଦ୍ଦେଶ୍ୟରେ ନୁହେ—ତାହା ନିଷ୍କାମ । ତେଣୁ ତୁମପରି ଭକ୍ତର ଇଚ୍ଛା ପୂରଣ ନ କରି ରହି ପାରିବି ନାହିଁ । ସଖା, ତୁମ୍ଭର ଇଚ୍ଛା ପୂର୍ଣ୍ଣ ହେଉ । ଆଉ ଗୋଟିଏ କଥା, ଏ ଧନସମ୍ପତ୍ତି ଫେରାଇ ନେବି ନାହିଁ । ତୁମେ ସେ ସବୁ ନର ନାରାୟଣ ସେବାରେ ଲଗାଇ ଦିଅ । ମହା ଆନନ୍ଦ ଅନୁଭବ କରିବ, ଜଗତକୁ ଉଚ୍ଚ ଆଦର୍ଶ—ମହାଶିକ୍ଷା ଦେଇଯିବ । ମନେ ରଖ, ମୁଁ ଅନାଥର ନାଥ, ଅସହାୟର ସହାୟ, ନିରାଶ୍ରୟର ଆଶ୍ରୟ, ଦୁର୍ବଳର ବଳ, ଅନ୍ଧାର ନୟନ, ବଧିରର କର୍ଣ୍ଣ, ଗରିବର ଧନ । ଏମାନେ ମୋର ହୃଦୟର ଧନ—ଏମାନେ ବି ମୋତେ ସବୁବେଳେ ଇଚ୍ଛା କରନ୍ତି । ସେଥିପାଇଁ ସେମାନଙ୍କୁ ଏତେ ଭଲ ପାଏଁ । ହଉ ସଖା, ବର୍ତ୍ତମାନ ଯାଉଛି । ଯେତେବେଳେ ଦରକାର ପଡ଼ିବ ମନେ ମନେ ଡାକିବ, ନିଶ୍ଚୟ ଆସିବି ।’’ ଏତିକି କହି ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ସଙ୍ଗେ ଅନ୍ତର୍ହିତ ହୋଇଗଲେ । ସୁଦାମା ଓ ସୁମତି ବହୁବେଳ ସେମାନଙ୍କର କଥା ଭାବିଲେ ଓ ସେମାନଙ୍କ ଚରଣ ଉଦ୍ଦେଶ୍ୟରେ ଶତ ପ୍ରଣାମ କରି ଘର ଆଡ଼କୁ ଚାଲିଗଲେ ।

 

ସତକୁ ସତ—ଶ୍ରୀକୃଷ୍ଣଙ୍କର ଇଚ୍ଛା ଅନୁସାରେ ସେହି କୋଠା ପାଖରେ ସୁଦାମାର ସେହି ପୁରୁଣା କୁଡ଼ିଆଟି ହୋଇଗଲା । ସୁଦାମା ଆନନ୍ଦରେ ସୁମତି ସଙ୍ଗରେ ସେହି କୁଡ଼ିଆଭିତରକୁ ଚାଲିଗଲା ଏବଂ ସ୍ତ୍ରୀକୁ ବୁଝାଇ କହିଲା, ‘‘ଦେଖ ସୁମତି, ଅନ୍ୟର ସୁନ୍ଦର ସୁନାର ପାତ୍ର ଅପେକ୍ଷା ନିଜର ଭଙ୍ଗା ମାଟିପାତ୍ରଟି କି ମୂଲ୍ୟବାନ, କି ସୁନ୍ଦର, କି ତୃପ୍ତିଦାୟକ । ଯଦି ବାଲ୍ୟସଖା ଶ୍ରୀକୃଷ୍ଣଙ୍କୁ ଚିହ୍ନି ପାରିଥିବ । ତେବେ ଏସବୁ କଥାର ସତ୍ୟତା ବୁଝିପାରିବ—ତାଙ୍କ ମାୟା ଜାଣି ପାରିବ—ନ ହେଲେ ତାହା ଜାଣିବା ଅସମ୍ଭବ ।’’

 

ସେହି ମୁହୂର୍ତ୍ତରେ ସେ ସେହି ପ୍ରକାଣ୍ଡ କୋଠାଟି ଅନାଥାଶ୍ରମରେ ଲଗାଇ ଦେଲା ଓ ସେହି ଧର୍ମ୍ମଶାଳାର ପରିଚାଳନା ନିମନ୍ତେ ସମସ୍ତ ଧନରତ୍ନ ଦାନ କଲା । ସେସବୁ ସହିତ ନିଜର ସମସ୍ତ ସମ୍ପର୍କ ତୁଟାଇ ଦେଲା । ନିଜେ ଭିକ୍ଷାନ୍ନରେ ମହାଆନନ୍ଦରେ ସେହି କୁଡ଼ିଆରେ ସୁମତି ସହିତ ଦିନ କଟାଇଲା । ଧନ୍ୟ ତ୍ୟାଗ । ଧନ୍ୟ ଭକ୍ତି । ଏହି କଥା ସମସ୍ତଙ୍କ ମୁଖରୁ ଶୁଣାଗଲା ।

Image